ଜୈସ, ଲସ୍କର ପରି ଆତଙ୍କବାଦୀ ସଂଗଠନର ୪୬୦ କୋଟି ଟଙ୍କା ଅବରୋଧ କଲା ଆମେରିକା

ନୂଆଦିଲ୍ଲୀ: ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ବିଭିନ୍ନ ସଙ୍ଗଠନର ପ୍ରାୟ ୪୬୦ କୋଟି ଟଙ୍କା (ଭାରତୀୟ ମୁଦ୍ରାରେ) ଅବରୋଧ କରିଛି ଆମେରିକା । ଏହି ସଙ୍ଗଠନ ମଧ୍ୟରୁ ଅନେକ ପାକିସ୍ତାନୀ ସଙ୍ଗଠନ ରହିଛି, ଯେଉଁଗୁଡ଼ିକ କି କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି । ଗୁରୁବାର ଆମେରିକାର ଟ୍ରେଜେରୀ ବିଭାଗ ବାର୍ଷିକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।
ସୂଚନା ଅନୁସାରେ ଆମେରିକାର ଟ୍ରମ୍ପ ସରକାର ଲସ୍କର ଏ ତୋଇବାର ୩.୪୨ ଲକ୍ଷ ଡ଼ଲାର ଅବରୋଧ କରିଛି । ସେହିପରି ଜୈଶ ସଙ୍ଗଠନ୪୫.୭୯ ହଜାର ଡ଼ଲାର ମଧ୍ୟ ଜବତ କରାଯାଇଛି ।
ଏହାବ୍ୟତୀତ ହିଜବୁଲ ମୁଜାହିଦ୍ଦିନର ବିପୁଳ ରାଶି ଅବରୋଧ କରାଯାଇଛି । ସେହିପରି ଅଲକାଏଦାର ପ୍ରାୟ ୪ ନିୟୁତ ଡ଼ଲାର ପାଣ୍ଠିକୁ ମଧ୍ୟ ଆମେରିକା ରୋକିଛି ।
ଆମେରିକାର ଟ୍ରେଜେରୀ ବିଭାଗ ମଧ୍ୟ ତେହେରିକ-ଇ-ତାଲିବାନ ପାକିସ୍ତାନର ପାଣ୍ଠିକୁ ମଧ୍ୟ ଅବରୋଧ କରିଛି। ରିପୋର୍ଟ ଅନୁଯାୟୀ ଗତବର୍ଷ ଆମେରିକା ପ୍ରାୟ ୭୦ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ପାଣ୍ଠି ଜବତ କରିବାକୁ ପଦକ୍ଷେପ ନେଇଥିଲା। ଏହି ଆତଙ୍କବାଦୀ ସଂଗଠନଗୁଡ଼ିକରେ ଅଲ କାଏଦା ଏବଂ ହକାନି ନେଟୱାର୍କ ମଧ୍ୟ ଅନ୍ତର୍ଭୁକ୍ତ।