ଚୀନ ବାହୁଡ଼ା ଜାପାନୀ କମ୍ପାନୀ ଭାରତ ମୁହାଁ; ଉତ୍ତରପ୍ରଦେଶରେ ପହଞ୍ଚିଲେ ୬

ଚୀନର ଦାଦାଗିରିରେ ଅତିଷ୍ଠ ବିଦେଶୀ କମ୍ପାନୀ ଏବେ ସେଠାରେ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇ ଅନ୍ୟତ୍ର ନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାପାନ ନିଜ ଦେଶର କମ୍ପାନୀଗୁଡ଼ିକୁ ଚୀନରେ ପ୍ରକଳ୍ପ ବନ୍ଦ କରିବାକୁ ଏକପ୍ରକାର ପରୋକ୍ଷ ନିର୍ଦେଶ ଦେଇଛି । ଆମେରିକୀୟ କମ୍ପାନୀ ଆପଲ୍ ଚୀନ ପ୍ରକଳ୍ପ ଭାରତକୁ ଉଠାଇ ଆଣିବାକୁ ନିଷ୍ପତ୍ତି ନେଇଛି । ଏପରି ସ୍ଥିତିରେ ଚୀନରେ ପ୍ରକଳ୍ପ ସ୍ଥାପନ କରିଥିବା ଅଧା ଡ଼ଜନ ବିଦେଶୀ କମ୍ପାନୀ ଉତ୍ତରପ୍ରଦେଶରେ ନିଜର ନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ବର୍ତମାନ ଉତ୍ତରପ୍ରଦେଶ ଯୋଗୀ ସରକାର ରାଜ୍ୟରେ ନିବେଶ ନିମନ୍ତେ କ୍ରମାଗତ ପ୍ରୟାସ କରୁଛନ୍ତି ଏବଂ ଏଥିପାଇଁ ଏକ ଅଲଗା ଡ଼େସ୍କ ମଧ୍ୟ ସୃଷ୍ଟି କରିଛନ୍ତି । କରୋନା ସଂକ୍ରମଣ ଓ ଏହାର ପରବର୍ତୀ ସ୍ଥିତିରେ ଏହି ପ୍ରକଳ୍ପ ଯୋଗୁଁ ଅର୍ଥବ୍ୟବସ୍ଥା ଲାଭାନ୍ବିତ ହେବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାର ଆଶା ରଖିଛନ୍ତି ।

ଏହି କମ୍ପାନୀମାନେ ପ୍ରକଳ୍ପ ନିମନ୍ତେ କରିଛନ୍ତି ଆଗ୍ରହ

ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ଉଦ୍ୟମ କିଛି ପରିମାଣରେ ସଫଳ ହେବାରେ ଲାଗିଛି । ଜାପାନର ଅଧା ଡ଼ଜନ କମ୍ପାନୀ ରାଜ୍ୟରେ ନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରେ ମିୟାଚୀ କର୍ପ ଓ ଟୋକାଚି କର୍ପ ପରି ବଡ଼ କମ୍ପାନୀ ମଧ୍ୟ ଅନ୍ତର୍ଭୁକ୍ତ । ଫାଇନାନ୍ସିଆଲ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ନିବେଶ ପ୍ରସ୍ତାବରେ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ କିଛି କମ୍ପାନୀ ରାଜ୍ୟରେ ହ୍ୟାଚେରି ନିର୍ମାଣ, ଜଳସେଚନ ନିମନ୍ତେ ୧୦ ମେଗାୱାଟର ସୌର ପ୍ରକଳ୍ପ ସ୍ଥାପନ, କୃଷି ପାର୍କ ସ୍ଥାପନ ପରି ପ୍ରସ୍ତାବ ଦେଇଛନ୍ତି । ଜାପାନୀ କମ୍ପାନୀଗୁଡ଼ିକ ସହ ରାଜ୍ୟ ଏମ୍ଏସଏମଇ ଓ ନିବେଶ ବିଭାଗ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ଭିଡ଼ିଓ କନଫରେନ୍ସ ଜରିଆରେ ସିଧାସଳଖ କଥାବାର୍ତା କରୁଛନ୍ତି । ଏଥିରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ବର୍ମାଙ୍କୁ ମଧ୍ୟ ସାମିଲ କରାଯାଇଛି ।

ତତ୍କାଳ ଜମି ଓ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା

ଯେଉଁମାନେ ଉତ୍ତରପ୍ରଦେଶରେ କାରଖାନା ସ୍ଥାପନ ନିମନ୍ତେ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ତତ୍କାଳ ଜମି ଓ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉପଲବ୍ଧ ଜିଆଇଏସ୍ ମ୍ୟାପ ନିବେଶକମାନଙ୍କୁ ପ୍ରଦାନ କରାଯାଇଛି । ୧ ଲକ୍ଷ ଏକର ଜମିକୁ ଶିଳ୍ପ ନିମନ୍ତେ ସଂରକ୍ଷିତ ରଖାଯାଇଛି । ଏହାବ୍ୟତୀତ ରାସ୍ତା ନିର୍ମାଣ, ବିମାନ ଚଳାଚଳ ବ୍ୟବସ୍ଥା ମଧ୍ୟ ତୁରନ୍ତ କରାଯିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ କହିଛନ୍ତି ଯେ ବହୁଦେଶୀୟ କମ୍ପାନୀମାନେ ଚୀନରୁ ମୁହଁ ଫେରାଉଛନ୍ତି, ସେମାନଙ୍କୁ ଆକର୍ଷିତ କରିବା ପାଇଁ ଆମ ପକ୍ଷରୁ ସବୁପ୍ରକାର ଉଦ୍ୟମ ରହିବ । କିଛି ଜାପାନୀ କମ୍ପାନୀ ଉତ୍ତରପ୍ରଦେଶରେ ପ୍ରକଳ୍ପ ସ୍ଥାପନ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି, ସେମାନଙ୍କ ନିମନ୍ତେ ସରକାର ନିଜ ପରିସରରେ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ଶ୍ରୀ ସିଂହ କହିଛନ୍ତି ।

Comments are closed.