ଆସନ୍ନ ବର୍ଷା, ଅତିରିକ୍ତ ବନ୍ୟାଜଳ ବିପନ୍ନଙ୍କ କାଳ

ଦୁଇଦିନ ଧରି ଉତ୍ତର ଓଡ଼ିଶାରେ ଓଜାଡ଼ିବ, ଡାକିଆଣିବ ନୂଆ ବନ୍ୟା ବିପଦ

ମୁଣ୍ଡଳି ଉପରେ ସମସ୍ତଙ୍କ ନଜର,  ହୀରାକୁଦର ୨୮ ଫାଟକ ଖୋଲା

ଭୁବନେଶ୍ୱର : ହୀରାକୁଦରୁ ଛଡ଼ା ଯାଇଥିବା ୪୦ଟି ଫାଟକର ମହାନଦୀ ବନ୍ୟାଜଳ ଶୁକ୍ରବାର ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ। ଆସନ୍ନ ଲଘୁଚାପ ବର୍ଷା ବନ୍ୟା ବିପନ୍ନଙ୍କ ସମେତ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି। ମହାନଦୀର ତଳମୁଣ୍ଡରେ ଗତ ୨୪ ଘଣ୍ଟା ଧରି ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ପୂର୍ବରୁ ହୀରାକୁଦରୁ ୩୪ ଓ ପରେ ୨୬ଟି ଫାଟକ ଦେଇ ନିଷ୍କାସିତ ବନ୍ୟାପାଣି ଏବେ ସୁଦ୍ଧା ମୁଣ୍ଡୁଳି ଦେଇ ପ୍ରବାହିତ ହେଉଛି। ଏହା ଭିତରେ ପୁଣି ଅତିରିକ୍ତ ୧୪ଟି ଫାଟକର ବନ୍ୟାପାଣି ମହାନଦୀର ମୁଣ୍ଡଳିରେ ଆସନ୍ତାକାଲି ସନ୍ଧ୍ୟାରେ ପହଞ୍ଚିବା ପରେ ବିଶେଷକରି କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାର ତଳିଆ ଅଞ୍ଚଳ ପାଇଁ ବିପଦ ବଢାଇପାରେ। ଏହି ବନ୍ୟାଜଳ ପୂର୍ବର ୧୨ଲକ୍ଷ କ୍ୟୁସେକ୍‌ରୁ ଅଧିକ ରହିପାରେ। ଆରମ୍ଭ ହୋଇଯାଇଥିବା ଲଘୁଚାପଜନିତ ପ୍ରବଳରୁ ଅତିପ୍ରବଳ ବର୍ଷା ମହାନଦୀ ଅବବାହିକାର ୭ ଜିଲା ସମେତ ୧୬ଟି ଜିଲା ପ୍ରତି ନୂଆ ବିପଦ ସୃଷ୍ଟି କରିଛି। ଛତିଶଗଡ଼ ଓ ମହାନଦୀ ଉପରମୁଣ୍ଡରେ ମଧ୍ୟ ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାକୁ ଦେଖି ଗୁରୁବାର ସନ୍ଧ୍ୟାରୁ ହୀରାକୁଦ ଜଳଭଣ୍ଡାରର ୧୨ଟି ଫାଟକ ବନ୍ଦ କରାଯାଇଛି। ଏବେ ୨୮ଟି ଗେଟ୍‌ ଦେଇ ମହାନଦୀରେ ବନ୍ୟାଜଳ ଛଡାଯାଉଛି। ଉପରମୁଣ୍ଡରୁ ମହାନଦୀକୁ ବନ୍ୟାଜଳ ପ୍ରବେଶ କମିଥିବାରୁ ଏ ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ଇଆଇସି) ବିଜୟ ମିଶ୍ର କହିଛନ୍ତି ଯେ, ପରିସ୍ଥିତିକୁ ଦେଖି ହୀରାକୁଦ ଜଳଭଣ୍ଡାର ପରିଚାଳନା କରାଯାଉଛି। ଆଗକୁ ବର୍ଷା ଆସୁଥିବାରୁ ଆମେ ହୀରାକୁଦର ଜଳସ୍ତର ୬୨୨ରେ ରଖିବାକୁ ଚେଷ୍ଟା କରିବୁ। ମୁଣ୍ଡଳିରେ ଜଳସ୍ତର କମୁଛି। ବର୍ତ୍ତମାନ ୧୦ଲକ୍ଷ ୨୬ ହଜାର କ୍ୟୁସେକ୍ ଜଳ ଅତିକ୍ରମ କରୁଛି। ଆସନ୍ତାକାଲି ସନ୍ଧ୍ୟାରୁ ଏହା ବଢିପାରେ। ଇତିମଧ୍ୟରେ ମହାନଦୀ ୭ଟି ଘାଇ ହୋଇଛି। ବର୍ଷା କମିବା ପରେ ଏହି ସବୁ ଘାଇର ମରାମତି କରାଯିବ। ମହାନଦୀ ବାଦ୍‌ ଅନ୍ୟ ନଦୀ ଗୁଡିକର ଜଳସ୍ତର କମୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଗୁରୁବାର ରାଜ୍ୟ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି) ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ, ମହାନଦୀ ଉପରମୁଣ୍ଡ କିମ୍ବା ତଳମୁଣ୍ଡରେ ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇନି। ଏବେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି। ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଲଘୁଚାପ ଅବପାତର ରୂପ ନେଇପାରେ। ପୂର୍ବ ଅବପାତ ଯେଉଁ ବାଟରେ ଯାଇଥିଲା ସେହି ଅଞ୍ଚଳ ଦେଇ ଅବପାତ ଯିବ। ମହାନଦୀର ଉପର ମୁଣ୍ଡରେ ସର୍ବାଧିକ ୫୦ ମି.ମି. ବର୍ଷା ହେବା ଆକଳନ କରାଯାଉଛି। ଯଦି ଏହି ପରିମାଣର ବର୍ଷା ହୁଏ, ତେବେ ୫ଲକ୍ଷରୁ ୫.୫୦ ଲକ୍ଷ ପର୍ଯ୍ୟନ୍ତ ପାଣି ହୀରାକୁଦକୁ ପ୍ରବେଶ କରିବ। ହୀରାକୁଦରୁ ୪ଲକ୍ଷରୁ ୫ଲକ୍ଷ କ୍ୟୁସେକ ଭିତରେ ଜଳ ଛଡ଼ାଯିବ। ମୁଣ୍ଡଳିରେ ଏହି ପ୍ରବାହ ୭ରୁ ୮ଲକ୍ଷ କ୍ୟୁସେକ ଭିତରେ ରଖିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।
ଶ୍ରୀ ଜେନା କହିଛନ୍ତି ଯେ, ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ଥିବାରୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲା ପ୍ରଶାସନକୁ ସତର୍କ କରାଯାଇଛି। ମୟୂରଭଞ୍ଜର ସମସ୍ତ ଜଳଶଯ୍ୟା ଗୁଡିକୁ ଖାଲି କରାଯାଉଛି। ବର୍ତ୍ତମାନ ୪୮ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ସ୍ଥିତି ଲାଗି ରହିବ। କେବଳ କଣାସ ବ୍ଲକକୁ ବାଦ୍ ଦେଲେ ବାକି ସବୁ ଅଞ୍ଚଳରେ ପାଣି କମୁଛି। ବର୍ତ୍ତମାନ ସୁଦ୍ଧା ବନ୍ୟାରେ ଦୁଇ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। ବନ୍ୟା ପ୍ରପୀଡିତ ଅଞ୍ଚଳରେ ଲୋକଙ୍କୁ ଯଥାସମ୍ଭବ ସୁବିଧା ଯୋଗାଇବା ଚେଷ୍ଟା ଜାରି ରହିଛି। କିଛି ଜିଲାର ବନ୍ୟାଞ୍ଚଳରେ ଅତ୍ୟାବଶ୍ୟକ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ଘରୋଇ ବୋଟ୍ ନିୟୋଜନ ଲାଗି ଅନୁମତି ଦିଆଯାଇଛି।
ପ୍ରକାଶଥାଉକି, ମହାନଦୀରେ ଏତେ ପରିମାଣର ବନ୍ୟାଜଳ ୨୦୧୧ ମସିହା ପରଠୁ କେବେ ଆସି ନଥିବା ଖୋଦ୍‌ ଏସଆରସି ଶ୍ରା ଜେନା ଦୁଇଦିନ ତଳେ ସ୍ବୀକାର କରିଥିଲେ। ପ୍ରଥମ ପର୍ଯ୍ୟାୟର ବନ୍ୟାପାଣିରେ ଇତିମଧ୍ୟରେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଦ, ଅନୁଗୋଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି ୧୦ଟି ଜିଲାରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି କରିସାରିଥିବା ଖୋଦ୍‌ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗତକାଲି କହିଥିଲେ। ଏବେ ବି ଶହ ଶହ ଗାଁ ଜଳବନ୍ଦୀ ଅବସ୍ଥାରେ ଅଛି। ବନ୍ୟାକ୍ଲିଷ୍ଟଙ୍କ କକର୍ଥନା ବଢିବାରେ ଲାଗିଛି। ଏହାଭିତରେ ପୁଣି ମୁଣ୍ଡଳି ଦେଇ ହୀରାକୁଦର ୪୦ ଫାଟକର ବନ୍ୟାଜଳ ଆସନ୍ତାକାଲି ପ୍ରବେଶ କରିବାକୁ ଥିବାବେଳେ ଲଗାଣ ବର୍ଷା ସମ୍ଭାବନା ତଳିଆ ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି।
ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବନ୍ୟା ଯୋଗୁଁ ୧୩ଜିଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୦୬୬ ଗ୍ରାମ ପ୍ରଭାବିତ ହୋଇଛି। ବନ୍ୟାରେ ୪୭୦ଟି ଗ୍ରାମ ଜଳଘେରରେ ଥିବାବେଳେ ୨ ଲକ୍ଷ ୫୫ ହଜାର ୩୨୫ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

Comments are closed.