ହିଂସାତ୍ମକ ବିକ୍ଷୋଭ ଦମନରେ ନୂଆ ଦୃଷ୍ଟାନ୍ତ ରଖିଛୁ : ଯୋଗୀ

ଲକ୍ଷ୍ନୌ : ହିଂସାତ୍ମକ ବିକ୍ଷୋଭକୁ ନିୟନ୍ତ୍ରଣ କରିବାରେ ଉତ୍ତରପ୍ରଦେଶ ସର୍ବୋତ୍କୃଷ୍ଟ ଦୃଷ୍ଟାନ୍ତ ରଖିଛି। ହିଂସାକାଣ୍ଡ ଘଟାଇବା, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବିକ୍ଷୋଭକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବା ଭଳି ପଦକ୍ଷେପ ଏଭଳି ବିକ୍ଷୋଭକୁ ନିୟନ୍ତ୍ରଣ କରିବାରେ ଯଥାର୍ଥ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସରକାରଙ୍କ ପଦକ୍ଷେପରେ ସବୁ ବିକ୍ଷୋଭକାରୀ ଏବେ କାନ୍ଦୁଛନ୍ତି ଓ ଭୁଲ୍‌ କରିଥିବା ଭାବୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସିଏଏକୁ ନେଇ ଘଟିଥିବା ହିଂସାକାଣ୍ଡ ପରିପ୍ରେକ୍ଷୀରେ ଯୋଗୀ କହିଛନ୍ତି ଯେ ପୁଲିସ ୫ହଜାରରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ପୁଲିସ ପକ୍ଷରୁ ମୋଟ ୪୯୮ ମାମଲା ଦାୟର କରାଯାଇଥିବାବେଳେ ୧୨୪୬ଜଣଙ୍କୁ ଗିରଫ କରାଯାଇଛି ଓ ୫୫୫୮ଜଣଙ୍କୁ ଅଟକ ରଖାଯାଇଛି। ସେହିଭଳି ୨୦ହଜାର ୯୫୦ ଆପତ୍ତିଜନକ ସାମାଜିକ ଗଣମାଧ୍ୟମ ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ୯୫ଟି ମାମଲା ରୁଜୁ ହୋଇଛି। ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ୧୦୦୦ ଛାତ୍ରଙ୍କ ନାମରେ ମାମଲା ରୁଜୁ ହୋଇଛି। ଏସ୍‌ଆଇଟି ଦ୍ବାରା ଏହି ଘଟଣାର ତଦନ୍ତ ଚାଲିଛି; ହିଂସାକାଣ୍ଡରେ ସମ୍ପୃକ୍ତ ଜଣଜଣ କରି ସମସ୍ତଙ୍କ ବିରୋଧରେ ଆଗକୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗୀ ଚେତାବନୀ ଶୁଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିକ୍ଷୋଭ ଦମନ ପାଇଁ ଯୋଗୀ ପୁଲିସକୁ ‘ପ୍ରତିଶୋଧ’ ନେବାକୁ ଆହ୍ବାନ ଦେଇଥିଲେ।

Comments are closed.