ଅତର ଓ ଗୁଟ୍‌ଖା ବ୍ୟବସାୟୀ ପୀୟୂଷଙ୍କ ଅଚଳାଚଳ ସମ୍ପତ୍ତି : ୨୫୭ କୋଟି ନଗଦ, ୨୫କିଲୋ ସୁନା, ୨୫୦କିଲୋ ରୁପା

ଲୋକଙ୍କୁ ଦେଖାଇବା ପାଇଁ ଚଲାନ୍ତି ପୁରୁଣା ସ୍କୁଟର ଓ କାର୍‌

କାନପୁର : ଅତର ଓ ଗୁଟ୍‌ଖା ବ୍ୟବସାୟୀ ପୀୟୂ​ଷ ଜୈନ୍‌ଙ୍କ ଗୁପ୍ତଧନର ଯେତେ ହିସାବ କଲେ ମଧ୍ୟ ଶେଷ ହେଉ ନାହିଁ। ଗତ ଗୁରୁବାରଠାରୁ ଅଦ୍ୟାବଧି ଏହାର ଖୋଳତାଡ଼ ଚାଲିଛି। ଇତିମଧ୍ୟରେ ବାପାଙ୍କ ଚିକିତ୍ସା ପାଇଁ ଦିଲ୍ଲୀରେ ଥିବା ପୀୟୂଷଙ୍କୁ କାନପୁର ଡକାଯାଇ ଦୀର୍ଘ ୫୦ଘଣ୍ଟା ଜେରା କରାଯିବା ସହ ରବିବାର ରାତିରେ ତାଙ୍କୁ ଟିକସ ଫାଙ୍କି ଅଭିଯୋଗରେ ଗିରଫ କରାଯାଇଛି।
ତାଙ୍କୁ ପଚରାଉଚରା ପାଇଁ ଅହମ୍ମଦାବାଦ ନିଆଯିବା ସମ୍ଭାବନା ରହିଛି। ଅଦାଲତରେ ହାଜର ପରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ୧୪ଦିନିଆ ଜିମାରେ ନେଇଛନ୍ତି। ଦୀର୍ଘ ୧୨୦ ଘଣ୍ଟାର ଚଢ଼ଉ ତଥା ହିସାବ ପରେ ସୋମବାର ସୁଦ୍ଧା ଜବତ ନଗଦ ଟଙ୍କାର ପରିମାଣ ୨୫୭କୋଟିରେ ପହଞ୍ଚିଥିବାବେଳେ ଘରୁ ୨୫କିଲୋଗ୍ରାମ ସୁନା ଓ ୨୫୦ କିଲୋ ରୁପା ତଥା ସୁନା-ରୁପା ଅଳଙ୍କାର ଜବତ ହୋଇଛି। ଅଳଙ୍କାରସବୁ କନୌଜସ୍ଥିତ ବାସଭବନରୁ ଜବତ ହୋଇଛି। ଏଥିସହିତ ପୀୟୂଷଙ୍କର ୧୮ଟି ବ୍ୟାଙ୍କ ଲକର ଓ ୪ଟି ଘରୁ ୫୦୦ଟି ଚାବି ଚଢ଼ଉ ସମୟରେ ଅଧିକାରୀଙ୍କ ହାତରେ ପଡ଼ିଛି ଏବଂ ଏହାର ତାଲା ସବୁ ଖୋଲା ଚାଲିଛି। କେତେକ ଘର ଏବେ ସୁଦ୍ଧା ଖୋଲାଯାଇପାରି ନାହିଁ। ମାଟି ତଳ ଗୁପ୍ତ ଘରେ ପୋତା ଯାଇଥିବା ଟଙ୍କା ମଧ୍ୟ ଉଦ୍ଧାର ହୋଇଛି। ସେହିଭଳି ଟଙ୍କା ଗଣତି ପାଇଁ ୧୯ଟି ଟଙ୍କାଗଣା ଯନ୍ତ୍ର ନିୟୋଜିତ ହୋଇଛି। ଆଲମାରିରୁ ଉଦ୍ଧାର ପେଟିରୁ କେବଳ ଦୁଇ ହଜାର ଟଙ୍କିଆ ନୋଟ୍‌ ଉଦ୍ଧାର ହୋଇଛି। ପୁନଶ୍ଚ ପ୍ରାୟ ୬କୋଟି ଟଙ୍କା ମୂଲ୍ୟର ଡ୍ରମ୍‌ ଭର୍ତ୍ତି ୬୦୦କିଲୋ ଚନ୍ଦନ ତେଲ ଜବତ ହୋଇଛି। ପୀୟୂଷଙ୍କ କାନପୁର ବାସଭବନରୁ ୧୭୭କୋଟି ଓ କାରଖାନାରୁ ୧୦ କୋଟି ଟଙ୍କା ଜବତ ହୋଇଥିବାବେଳେ କନୌଜ ଘରୁ ୧୦୭ କୋଟି ଟଙ୍କା ଜବତ ହୋଇଛି। ପୀୟୂଷ ଓ ତାଙ୍କ ସହଯୋଗୀଙ୍କ ମାଲିକାନାରେ ମୋଟ ୪୦ଟି କମ୍ପାନୀ ରହିଛି। ସେଥିମଧ୍ୟରୁ ଦୁଇଟି ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ରହିଛି। ଏତଦ୍‌ ବ୍ୟତୀତ ତାଙ୍କର ମୋଟ ୧୬ଟି ମୂଲ୍ୟବାନ ଜମି ତଥା ଘର ଠାବ କରାଯାଇଛି। ସେଥିମଧ୍ୟରୁ କାନପୁରରେ ୪, କନୌଜରେ ୭, ମୁମ୍ବଇରେ ୨, ଦିଲ୍ଲୀରେ ଗୋଟିଏ ଏବଂ ଦୁବାଇରେ ଦୁଇଟି ରହିଛି। ଗୁଜରାତ ଓ ମୁମ୍ବଇରେ ତାଙ୍କ ବ୍ୟବସାୟର ଦୁଇଟି ଶାଖା ସହ କୋଠା ରହିଛି। ଇତିମଧ୍ୟରେ କନୌଜସ୍ଥିତ ପୁରୁଣା ଘରକୁ ସେ ୭୦୦ ବର୍ଗମିଟର ବିଶିଷ୍ଟ ପ୍ରାସାଦରେ ପରିଣତ କରିଛନ୍ତି। ପୀୟୂଷ କାନପୁରର ଆନନ୍ଦପୁରୀଠାରେ ଅଧିକଂାଶ ସମୟ ବସବାସ କରୁଥିବାବେଳେ ସେଠାକାର ଇଟ୍ଟାରୱାଲି ଗଳିରେ ରହିଛି ଅତର କାରଖାନା ଓ ପରିବହନ ସଂସ୍ଥା ଗଣପତି ରୋଡ୍‌ କ୍ୟାରୟର୍ସ। ଉତ୍ତର ପ୍ରଦେଶ ଓ ଗୁଜରାତରୁ ଆସିଥିବା ୫୦ରୁ ଅଧିକ ଅଧିକାରୀ ଚଢ଼ଉରେ ସାମିଲ ହୋଇଛନ୍ତି। ଜବତ ଟଙ୍କା ଓ ଅନ୍ୟ ସମ୍ପତ୍ତି ପରିମାଣ ଆହୁରି ବଢ଼ିବାର ସମ୍ଭାବନା ଥିବା ଆୟକର ଓ ଜିଏସ୍‌ଟି କର୍ତ୍ତୃପକ୍ଷ କହିଛନ୍ତି।
ଏତେ ସମ୍ପତ୍ତିର ଅଧିକାରୀ ହୋଇ ମଧ୍ୟ ପୀୟୂଷ ଆଇନ ଆଖିରେ ଧୂଳି ଦେବା ପାଇଁ ଓ ଲୋକଙ୍କଆଡ଼ୁ ନଜର ହଟାଇବା ଲକ୍ଷ୍ୟରେ ସର୍ବଦା ପୁରୁଣା ସ୍କୁଟର ଓ ପୁରୁଣା କାର୍‌ ବ୍ୟବହାର କରନ୍ତି ଏବଂ ବାହାରକୁ ସାଧାରଣ ଜୀବନଯାପନ କରନ୍ତି। ନିଜ ସହର କନୌଜରେ ସେ ସ୍କୁଟର ଧରି ବୁଲନ୍ତି; ନଚେତ୍‌ ଟୟଟା କ୍ବାଲିସ ଓ ଏକ ମାରୁତି ଗାଡ଼ି ଚଳାନ୍ତି। ତାଙ୍କ ଘରୁ ସ୍କୁଟର ସହ ଏହି ଦୁଇଟି ଗାଡ଼ି ହିଁ ଜବତ ହୋଇଛି। ଅପରପକ୍ଷରେ ୧୫ବର୍ଷର ପୁଅ ପ୍ରତ୍ୟୁଷଙ୍କ ନାମରେ ଥିବା ଫକ୍ସୱାଗନ୍‌ ଗାଡ଼ି ଜବତ ହୋଇଛି। ପୀୟୂଷ ତାଙ୍କ ରାସାୟନବିତ୍‌ ବାପାଙ୍କଠାରୁ ଅତର ପ୍ରସ୍ତୁତି ଶିକ୍ଷା କରିଥିଲେ। ଗତ ୧୫ ବର୍ଷ ଧରି ସେ କାନପୁରରେ ଏହି ବ୍ୟବସାୟ ଚଳାଇ ଆସିଛନ୍ତି। ବିଦେଶକୁ ମଧ୍ୟ ସେ ଅତର ରତ୍ପାନୀ କରନ୍ତି। ଏଥିସହିତ ତାଙ୍କ ପ୍ରସ୍ତୁତ ‘ଶିଖର’ ଗୁଟ୍‌ଖାର ଚାହିଦା ଦେଶରେ ବେଶ୍‌ ରହିଛି। ଏହି ବ୍ୟବସାୟରେ ତାଙ୍କୁ ଭାଇ ଅମ୍ବରୀଶ ସହାୟତା କରନ୍ତି। କନୌଜରେ ତାଙ୍କର ପେଟ୍ରୋଲ ପମ୍ପ, ଶୀତଳ ଭଣ୍ଡାର ସହ ଅତର କାରଖାନା ରହିଛି। ତଦନ୍ତକାରୀ ଅଧିକାରୀ ବିବେକ ଜୋହରୀଙ୍କ ସୂଚନାନୁଯାୟୀ, ପୀୟୂଷ ପ୍ରତି ବର୍ଷ ବା ଦେଢ଼ ବର୍ଷରେ ନିଜର ସୁରକ୍ଷା କର୍ମୀ ଓ ଜଗୁଆଳି ପରିବର୍ତ୍ତନ କରନ୍ତି। ମାତ୍ର ୭୫୦୦ ଟଙ୍କାରେ ନିଯୁକ୍ତ ସୁରକ୍ଷା କର୍ମୀଙ୍କୁ କେବେ ହେଲେ ସେ ଘର ଭିତରକୁ ପ୍ରବେଶ ଅନୁମତି ଦେଇ ନ ଥାନ୍ତି। ବୟାନ ସମୟରେ ପୀୟୁଷ କହିଛନ୍ତି ଯେ ବାପା-ଜେଜେ ବାପାଙ୍କ ଅମଳରୁ ଗଚ୍ଛିତ ଥିବା ୪୦୦କିଲୋ ସୁନାକୁ ପର୍ଯ୍ୟାୟକ୍ରମେ ବିକ୍ରୟ କରି ସେ ଉକ୍ତ ସମ୍ପତ୍ତି ଠୁଳ କରିଛନ୍ତି। ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ସୂଚନାନୁଯାୟୀ ପୀୟୂଷଙ୍କର ଔଷଧ ବ୍ୟବସାୟ ମଧ୍ୟ ରହିଛି; ତେବେ ତଦନ୍ତରୁ ଏହା ସ୍ପଷ୍ଟ ହୋଇ ନାହିଁ। ପୀୟୂଷଙ୍କ ସମ୍ପତ୍ତିକୁ ନେଇ ଯେତିକି ଚର୍ଚ୍ଚା ଚାଲିଛି; ସେହି ପରିମାଣରେ ତାଙ୍କ ରାଜନୈତିକ ପୃଷ୍ଠପୋଷକତା ଏବେ ଚର୍ଚ୍ଚାରେ ରହିଛି। ପୀୟୂଷ କେଉଁ ଦଳର ବୋଲି ବିଜେପି ଓ ସମାଜବାଦୀ ପାର୍ଟି ପରସ୍ପର ପ୍ରତି କାଦୁଅ ଫିଙ୍ଗା ଚଳାଇଛନ୍ତି।

Comments are closed.