ଉତ୍ତରପ୍ରଦେଶ ବାଦାଉଁରେ ‘ନିର୍ଭୟା’ ମାମଲାର ପୁନରାବୃତ୍ତି; ଅଙ୍ଗନବାଡ଼ି କର୍ମୀଙ୍କୁ ବଳାତ୍କାର, ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଦାଉଁଠାରେ ଦିଲ୍ଲୀ ‘ନିର୍ଭୟା’ ମାମଲାର ପୁନରାବୃତ୍ତି ଘଟିଛି। ଏଠାରେ ଜଣେ ମଧ୍ୟବୟସ୍କା ଅଙ୍ଗନବାଡ଼ି କର୍ମୀଙ୍କୁ ଅତି ଜଘନ୍ୟ ଭାବେ ବଳାତ୍କାର ପରେ ହତ୍ୟା କରାଯାଇଛି। ପୂର୍ବରୁ ଏହି ବାଦାଉଁ ଓ ହାଥରସ୍‌ରେ ଘଟିଥିବା ଦୁଇଟି ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ନିନ୍ଦିତ ଉତ୍ତରପ୍ରଦେଶ ପୁନର୍ବାର ଚର୍ଚ୍ଚାକୁ ଆସିଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ମନ୍ଦିର ପୂଜକ ମହନ୍ତ ବାବା ସତ୍ୟନାରାୟଣ ଫେରାର ଥିବାବେଳେ ତା’ର ସହଯୋଗୀ ବେଦରାମ ସହ ଗାଡ଼ିଚାଳକ ଯଶପାଲକୁ ଗିରଫ କରାଯାଇଛି। ରବିବାର ସନ୍ଧ୍ୟାରେ ସ୍ଥାନୀୟ ମନ୍ଦିର ପରିସରରେ ଏହି ବୀଭତ୍ସ କାଣ୍ଡ ଘଟିଛି। ଡାକ୍ତରୀ ମାଇନା ରିପୋର୍ଟ ଅନୁସାରେ ମହିଳାଙ୍କ ବୟସ ୫୦ ହେବ। ତାଙ୍କ ପଞ୍ଜରା ହାଡ଼ ସହ ଗୋଡ଼ ହାଡ଼ ଭାଙ୍ଗିଛି ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତାଙ୍କ ଗୁପ୍ତାଙ୍ଗରେ ଲୁହା ଛଡ଼ ଭର୍ତ୍ତି କରାଯିବାଜନିତ କ୍ଷତରୁ ଅତିଶୟ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ବଳାତ୍କାର କରାଯାଇଥିବାର ପ୍ରମାଣ ମିଳିଥିବା ଡାକ୍ତର ଯଶପାଲ ସିଂହ କହିଛନ୍ତି।

ପୂଜକ ସତ୍ୟନାରାୟଣ ଅଜ୍ଞାତ ସ୍ଥାନରୁ ସୋମବାର ଏକ ଭିଡିଓ ପ୍ରସାରଣ କରି ଏଥିରେ ସଫେଇ ଦେଇଛି ଯେ ମହିଳା ଜଣଙ୍କ ସୋମବାର ସକାଳେ ମନ୍ଦିରକୁ ପୂଜା ପାଇଁ ଆସିଥିବାବେଳେ ପରିସରସ୍ଥ କୂଅରେ ପଡ଼ି ଯାଇଥିଲେ। ସେ ଓ ସହଯୋଗୀମାନେ ତାଙ୍କୁ ସେଥିରୁ ଉଦ୍ଧାର କରିଥିଲେ। ସେତେବେଳେ ସେ ଜୀବିତ ଥିଲେ। ଅପରପକ୍ଷରେ ସୋମବାର ସକାଳେ ମହିଳାଙ୍କ ଘର ସମ୍ମୁଖରେ ଉଠାଯାଇଥିବା ଏକ ଫଟୋରୁ ଦେଖାଯାଇଛି ଯେ ଏକ ଖଟିଆରେ ତାଙ୍କ ମୃତ ଶରୀର ପଡ଼ିରହିଛି। ଏହାକୁ ଏକ ହଳଦିଆ ଚଦରରେ ଢ଼ଙ୍କା ଯାଇଛି। ଶରୀରର ନିମ୍ନାଂଶ ରକ୍ତ ଜୁଡ଼ୁବୁଡ଼ୁ ହୋଇଥିବାବେଳେ ପାଦ ମୋଡ଼ି ହୋଇରହିଛି। ମହିଳାଙ୍କ ପୁଅଙ୍କ କହିବାନୁସାରେ ରବିବାର ସନ୍ଧ୍ୟାରେ ତାଙ୍କ ମାଆ ପ୍ରତିଦିନ ଭଳି ମନ୍ଦିରକୁ ଯାଇଥିଲେ; କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ମନ୍ଦିର ପରିସରରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରିବାର ଲୋକେ ମନ୍ଦିର ପରିସରସ୍ଥ ପୂଜକଙ୍କ ଘର ସମ୍ମୁଖରୁ ମୃତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଘରକୁ ଆଣିଥିଲେ। ପୂଜକ ସାଙ୍ଗରେ ଆସିଥିଲେ ମଧ୍ୟ ଛାଡ଼ିଦେଇ ତରବର ହୋଇ ପଳାଇଥିଲେ।

ବାଦାଉଁ ଜିଲା ପୁଲିସ ଅଧୀକ୍ଷକ ସଂକଳ୍ପ ଶର୍ମାଙ୍କ କହିବାନୁଯାୟୀ, ରବିବାର ସନ୍ଧ୍ୟାରେ ଅଙ୍ଗନବାଡ଼ି କର୍ମୀଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ପରିବାର ଲୋକେ ସ୍ଥାନୀୟ ଉଘାଇତି ଥାନା ପୁଲିସ ଆରମ୍ଭରୁ ଆବଶ୍ୟକ ପଦକ୍ଷେପ ନେବାରେ ଅବହେଳା କରିଥିବା ଅଭିଯୋଗ କରିଥିବାରୁ ଥାନାଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂଜକକୁ ଧରିବା ପାଇଁ ପୁଲିସର ୪ଟି ଦଳ ଉଦ୍ୟମ ଜାରି ରଖିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା ଘଟଣାର ତଦନ୍ତ ପାଇଁ ଏକ ପ୍ରତିନିଧି ଦଳ ପଠାଇଛନ୍ତି। ଏତିସହିତ ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ଏ ସମ୍ପର୍କରେ ସେ ପତ୍ର ଲେଖିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବାଦାଉଁ ଜିଲାପାଳ ପ୍ରଶାନ୍ତ କୁମାର କହିଛନ୍ତି।

Comments are closed.