ୟୁଏନ୍‌ଏସ୍‌ସି ଅଧ୍ୟକ୍ଷ ପଦରେ ଭାରତ

ନୂଆଦିଲ୍ଲୀ: ଧାରାବାହିକ ପରିବର୍ତ୍ତନ କ୍ରମରେ ଭାରତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସସି)ର ଅଧ୍ୟକ୍ଷ ପଦ ଭାର ଗ୍ରହଣ କରିଛି। ଭାରତର ଅଧ୍ୟକ୍ଷ ପଦ କାର୍ଯ୍ୟକାଳ ଅଗଷ୍ଟ ୧ (ରବିବାର) ଠାରୁ ଆରମ୍ଭ ହୋଇଛି। ଭାରତର ଏହି ଅଧ୍ୟକ୍ଷତା କାର୍ଯ୍ୟକାଳ ଏକମାସ ପାଇଁ ରହିବ। ଅଗଷ୍ଟ (ସୋମବାର) ପ୍ରଥମ କାର୍ଯ୍ୟଦିବସରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପରିଷଦର କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇବେ। ଭାରତ ନିଜର କାର୍ଯ୍ୟକାଳ ସମୟରେ ବିଶ୍ବରେ ଆତଙ୍କବାଦ ଦମନ, ସାମୁଦ୍ରିକ ସୁରକ୍ଷା ଓ ଆଞ୍ଚଳିକ ଶାନ୍ତି ଉପରେ ଗୁରୁତ୍ବଦେବ ବୋଲି ଜଣାଯାଇଛି। ଏହା ସହିତ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଭାବେ ଭାରତର ପ୍ରତିନିଧି ତିରୁମୂର୍ତ୍ତି ସିରିୟା, ଇରାକ, ସୋମାଲିଆ, ୟେମେନ ଓ ଅନ୍ୟ ମଧ୍ୟପ୍ରାଚ୍ୟ ରାଷ୍ଟ୍ରର ପ୍ରତିନିଧିଙ୍କ ସହିତ ବୈଠକର ଆୟୋଜନ କରିଥିବା ଜଣାଯାଇଛି।

ତିରୁମୂର୍ତ୍ତି କହିଛନ୍ତି ଯେ ଭାରତର ଏହି କାର୍ଯ୍ୟକାଳ ସମୟରେ ଆନ୍ତର୍ଜାତିକ ସୁରକ୍ଷା ଓ ଶାନ୍ତି ବୃଦ୍ଧି ପାଇବ। ସେହିଭଳି ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଅାକବରଉଦ୍ଦିନ କହିଛନ୍ତି ଦୀର୍ଘ ୭୫ବର୍ଷ ପରେ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେବାର ଗୌରବ ହାସଲ କରିଛି। ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନିରାପତ୍ତା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ। ଏହା ପୂର୍ବରୁ ୧୯୯୨ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ସୁରକ୍ଷା ପରିଷଦ ବୈଠକରେ ସାମିଲ ହୋଇଥିଲେ। ଜାତିସଂଘ ନିରାପତ୍ତା ପରିଷଦରେ ୧୫ ଟି ଦେଶ ସାମିଲ ଅଛନ୍ତି । ଯେଉଁଥିରେ ୫ ଟି ଦେଶ ସ୍ଥାୟୀ ଓ ୧୦ ଟି ଦେଶ ଅସ୍ଥାୟୀ ସଦସ୍ୟ। ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ଥିବା ଦେଶଗୁଡିକ ହେଲେ ଚୀନ, ଫ୍ରାନ୍ସ, ରୁଷ, ବ୍ରିଟେନ ଓ ଆମେରିକା। ଏହି ପରିଷଦରେ ଭାରତ ଅସ୍ଥାୟୀ ସଦସ୍ୟତା ପାଇଛି। ଭାରତକୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ମାତ୍ର ୨ବର୍ଷ ପାଇଁ ମିଳିଛି। ଏହି ସଦସ୍ୟତାର ଅବଧି ୨୦୨୧ ଜାନୁଆରୀ ୧ରୁ ଆରମ୍ଭ ହୋଇଛି। ଅସ୍ଥାୟୀ ସଦସ୍ୟ ଭାବେ ଭାରତକୁ ପ୍ରଥମ କରି ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ଏହି ଅଧ୍ୟକ୍ଷତା ପଦ କ୍ରମାନ୍ବୟରେ ବିଭିନ୍ନ ସଦସ୍ୟ ରାଷ୍ଟ୍ରକୁ ପ୍ରଦାନ କରାଯାଇଥାଏ। ୨୦୨୨ ଡିସେମ୍ବରରେ ଭାରତକୁ ପୁଣି ଥରେ ଏହି ଅଧ୍ୟକ୍ଷତା ଦାୟିତ୍ବ ମିଳିବ।

Comments are closed.