ଅସୁରକ୍ଷିତ ବ୍ୟାଙ୍କ ଜମା

ଲୋକଙ୍କ କଷ୍ଟାର୍ଜିତ ଧନକୁ ଚଳୁ କରା ନଯାଉ

ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କରେ ସୁରକ୍ଷା ଏବଂ ସୁଧ ଆଶାରେ ଲୋକେ ଟଙ୍କା ଜମା ରଖନ୍ତି। ନିଜର ଆବଶ୍ୟକତା ଅନୁସାରେ ଅର୍ଥ ଉଠାଇ ଖର୍ଚ୍ଚ କରନ୍ତି। ଏହା ସତ୍ତ୍ବେ ଅଧିକାଂଶ ଜମାକାରୀ ଜାଣନ୍ତି ନାହିଁ ଯେ ସେମାନେ ନିରାପଦ ବିଚାର କରି ଯେଉଁ ଟଙ୍କା ବ୍ୟାଙ୍କରେ ରଖିଥାନ୍ତି ତାହା ଭରସାଯୋଗ୍ୟ ନୁହେଁ। କୌଣସି କାରଣରୁ ଯଦି ବ୍ୟାଙ୍କ ଦେବାଳିଆ ହୁଏ ବା କାରବାରରେ ବିଫଳତା ପାଇଁ ବନ୍ଦ ହୋଇଯାଏ ତେବେ ଜମାକାରୀ ନିଜର ଅର୍ଥ ଫେରିପାଇବାର କୌଣସି ବୈଧାନିକ ବ୍ୟବସ୍ଥା ନାହିଁ। ବର୍ତ୍ତମାନର ନିୟମ ଅନୁସାରେ ଏଭଳି ସ୍ଥିତିରେ ଜମାକାରୀଙ୍କୁ ମାତ୍ର ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ କ୍ଷତିପୂରଣ ଆକାରରେ ଫେରାଇବାର ବ୍ୟବସ୍ଥା ରହିଛି। ଏହାର ଅର୍ଥ ଜମାକାରୀଙ୍କ ମୋଟ ଜମା ମଧ୍ୟରୁ ମାତ୍ର ଏକଲକ୍ଷ ଟଙ୍କା ବୀମାଭୁକ୍ତ ହେଉଥିବାବେଳେ ଅବଶିଷ୍ଟ ରାଶି ଏହାର ଅନ୍ତର୍ଭୁକ୍ତ ନୁହେଁ।
ମୁମ୍ବଇସ୍ଥିତ ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ (ପିଏମସି)ର ପରିଚାଳନାଗତ ବିଫଳତା ତଥା ଖରାପ ଆର୍ଥିକ ସ୍ଥିତି ପରିପ୍ରେକ୍ଷୀରେ ରିଜର୍ଭବ୍ୟାଙ୍କ ଏହା ଉପରେ କେତେକ କଟକଣା ଜାରି କରିଥିଲା। ସେଥି ମଧ୍ୟରୁ କୌଣସି ଜମାକାରୀ ୧୦୦୦ରୁ ଅଧିକ ଟଙ୍କା ନିଜ ଜମାଖାତାରୁ ଉଠାଇ ପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଥିଲା। ଏହି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଡିପୋଜିଟ ଇନ୍‌ସ୍ୟୁରାନ୍ସ ବ୍ୟବସ୍ଥାରେ ଜମାକାରୀଙ୍କର ଏକଲକ୍ଷଟଙ୍କା ପର୍ଯ୍ୟନ୍ତ ଜମା ବୀମାଭୁକ୍ତ। ତେଣୁ ବ୍ୟାଙ୍କର ଆର୍ଥିକ ସଂକଟ କାଳରେ ଏକଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଜମାକାରୀ ଉଠାଇ ପାରିବେ ନାହିଁ। ବୀମାଭୁକ୍ତ ହୋଇନଥିବା ଅର୍ଥ ଜମାଖାତାଧାରୀଙ୍କୁ ଫେରାଇବା ବ୍ୟାଙ୍କର ଆର୍ଥିକସ୍ଥିତି ସୁଧାର ଉପରେ ନିର୍ଭରକରେ। ଏହାର ଅର୍ଥ ଆର୍ଥିକ ସ୍ଥିତି ନ’ସୁଧୁରିଲେ ବା ବ୍ୟାଙ୍କ ଦେବାଳିଆ ହୋଇ ବନ୍ଦ ହୋଇଗଲେ ଜମାକାରୀ ସେମାନଙ୍କ କଷ୍ଟାର୍ଜିତ ଅର୍ଥ ଫେରିପାଇବା ସମ୍ଭାବନା କ୍ଷୀଣ। ସେତେବେଳେ ରିଜର୍ଭବ୍ୟାଙ୍କ ପକ୍ଷରୁ ସଫେଇ ଦିଆଯାଇଥିଲା ଯେ କେନ୍ଦ୍ରୀୟ ବ୍ୟାଙ୍କର ଜଣେ ନିୟନ୍ତ୍ରକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପିଏମସି ବ୍ୟାଙ୍କର ଆର୍ଥିକ ସ୍ଥିତିର ସମୀକ୍ଷା ଚାଲିଛି। ତେଣୁ ଜମାକାରୀମାନେ ଆତଙ୍କିତ ହେବା ଅନୁଚିତ।
ହେଲେ ଅଳ୍ପଦିନ ପରେ ଜମାଅର୍ଥର ବୀମାକରଣ ପ୍ରସଙ୍ଗ ନେଇ ସଂସଦଠାରୁ ବିଭିନ୍ନ ସ୍ତରରେ ସଂଶୟ ପ୍ରକାଶ ପାଇବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେତେକ ସ୍ପଷ୍ଟୀକରଣ ଦେଇଥିଲେ। ଜମା ଉପରେ ବୀମା ବ୍ୟବସ୍ଥାକୁ ଏକଲକ୍ଷରୁ ୫ ଲକ୍ଷ ଟଙ୍କା କରାଯିବ ଓ ସଂସଦର ଶୀତ ଅଧିବେଶନରେ ଏ ସଂକ୍ରାନ୍ତରେ ଏକ ବିଲ୍ ଆସିବ ବୋଲି ସେ କହିଥିଲେ। ସଂସଦର ଶୀତ ଅଧିବେଶନ ଏବେ ଚାଲିଛି ଏବଂ ଏଭଳି କୌଣସି ବିଲ୍‌ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ନାହିଁ ବୋଲି ରିଜର୍ଭବ୍ୟାଙ୍କର ଡିପୋଜିଟ ଇନ୍‌ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇଜିସି) କହିଛି।
ସେଇଭଳି ସୂଚନା ଅଧିକାର ଆଇନ ବଳରେ ଏ ସମ୍ପର୍କରେ ମଗାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଭାରତୀୟ ରିଜର୍ଭବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କ ବନ୍ଦ ହୋଇଗଲେ କିମ୍ବା ଦେବାଳିଆ ହୋଇଗଲେ ଜମାକାରୀ ସେମାନଙ୍କ ଜମା ବାବଦରେ ବୀମା ବ୍ୟବସ୍ଥାରେ ସର୍ବାଧିକ ଏକଲକ୍ଷ ଟଙ୍କା ଫେରିପାଇବେ। ଯେତେଟଙ୍କା ଜମା ଥାଉ ପଛେ ଏକଲକ୍ଷ ଟଙ୍କାରୁ ଗୋଟିଏ ପଇସା ଅଧିକ ଫେରସ୍ତ ମିଳିବ ନାହିଁ। ଏହି ନିୟମ ସ୍ଥାୟୀ, ସଂଚୟ, ମିଆଦୀ, ଚଳନ୍ତି ଓ ଅନ୍ୟ ସମସ୍ତ ଜମା ପାଇଁ ପ୍ରଯୁଜ୍ୟ। ଆହୁରି ମଧ୍ୟ ଏହି ଏକଲକ୍ଷଟଙ୍କାରେ ଉଭୟ ସୁଧ ଓ ମୂଳଧନ ସବୁ ଅନ୍ତର୍ଭୁକ୍ତ। ରିଜର୍ଭବ୍ୟାଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯିବା ପରେ ଜମାକାରୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହେବା ସ୍ବାଭାବିକ। ଆଗରୁ ଏହି ବ୍ୟବସ୍ଥା ଥିଲା, କିନ୍ତୁ ଅନେକ ଲୋକ ତାହା ଜାଣି ନଥିଲେ। ପିଏମସି ବ୍ୟାଙ୍କ ଘଟଣା ପରେ ଏହା ଜଣାପଡ଼ିଲା। ଏବେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ହେବାସହ ଠକେଇ ଓ ବିପୁଳ ପରିମାଣର ଋଣ ଆଦାୟ ହୋଇପାରୁନଥିବାରୁ ବ୍ୟାଙ୍କ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା କମୁଛି।
ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଗତ ଛ’ମାସ ମଧ୍ୟରେ ୯୫,୭୦୦କୋଟିରୁ ଅଧିକ ଟଙ୍କା ଜାଲିଆତି ହୋଇଛି। ଏ ଯାବତ୍‌ ଭାରତରେ ବ୍ୟାଙ୍କ ସମୂହଙ୍କ ଅନାଦାୟ ଓ ଅଚଳ ସମ୍ପତ୍ତିର ପରିମାଣ ୮.୦୬ଲକ୍ଷ କୋଟି ଟଙ୍କା। ଏହା କମୁଥିଲେ ମଧ୍ୟ ବିଶେଷ ଉତ୍ସାହଜନକ ନୁହେଁ। ଏହି ବିରାଟ ଅର୍ଥର ବଡ଼ଭାଗ ହାତଗଣତି କେଇଜଣ ଶିଳ୍ପପତି ଓ ବ୍ୟବସାୟୀଙ୍କ ଉପରେ ରହଛି। ସେମାନଙ୍କ ମଧ୍ୟରୁ କେଇଜଣ ଦେଶଛାଡ଼ି ଚମ୍ପଟ ମାରିଛନ୍ତି। ତେଣେ କ୍ଷତିରେ ଚାଲୁଥିବା ସରକାରୀ ବ୍ୟାଙ୍କଗୁଡ଼ିକୁ ରାଜକୋଷରୁ ସରକାର ବିପୁଳ ଅର୍ଥ ଯୋଗାଇବାର ବ୍ୟବସ୍ଥା କରିଛନ୍ତି।
ଆହୁରି ମଧ୍ୟ ସରକାର ଏବେ ଯେଉଁ ଏଫ୍‌ଆରଡିଆଇ ବିଲ ଆଣିବାକୁ ପୁନର୍ବାର ମସୁଧା କରୁଛନ୍ତି ତା’ଦ୍ବାରା ବ୍ୟାଙ୍କ ଦେବାଳିଆ ଓ ବନ୍ଦ ହୋଇଗଲେ ଜମାକାରୀ କେବଳ ଏକ ଲକ୍ଷ ଟଙ୍କା ପାଇ ଚୁପ୍‌ ହୋଇ ବସିବାକୁ ବାଧ୍ୟ ହେବେ। ବ୍ୟାଙ୍କ ବ୍ୟବସ୍ଥାରେ ସୁଧାର ନ’ଆଣି ଜମାକାରୀଙ୍କ କଷ୍ଟାର୍ଜିତ ଅର୍ଥକୁ ଆଇନ ସମ୍ମତଭାବେ ଆତ୍ମସାତ କରିବାକୁ ଏ ଯେଉଁ ସରକାରୀ ପ୍ରକ୍ରିୟା ଚାଲିଛି ତାହା ଜନବିରୋଧୀ ଓ ଦେଶର ଅର୍ଥନୀତି ବିରୋଧୀ। ଏଭଳି ଘଟଣା ଲୋକଙ୍କୁ ବ୍ୟାଙ୍କ ପ୍ରତି ବିମୁଖ କରିବ ଏବଂ ଜନଅସନ୍ତୋଷ ବୁଦ୍ଧିରେ ସହାୟକ ହେବ। ମୋଦୀ ସରକାରଙ୍କ ଅମଳରେ ଅନେକ ନୂଆନୂଆ କଥା ହେଉଛି। ପିଆଜ କିଲୋ ମଧ୍ୟ ୧୫୦ଟଙ୍କା ଛୁଇଁ ରେକର୍ଡ଼ କରିବାକୁ ଯାଉଛି। ଶେଷରେ ଲୋକଙ୍କ ଝାଳବୁହା ଧନକୁ ବିଧିବଦ୍ଧଭାବେ ଗଡ଼ପ୍‌ କରି ନିଆଗଲେ ଦେଶର ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖାଯିବା ନିଶ୍ଚିତ। ସାଧୁ ସାବଧାନ।

Comments are closed.