ଅଭିଭାବକ ଦେଉନାହାନ୍ତି ଫି’ – ସଙ୍କଟରେ ଘରୋଇ ସ୍କୁଲ କଲେଜ

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଏଥିପାଇଁ ସବୁ ସ୍କୁଲ କଲେଜ ବନ୍ଦ ରହିଛି। ଲକ୍‌ଡାଉନ୍‌ ସମୟରେ ଘରୁ ବାହାରକୁ ଯିବା ପାଇଁ ଅନେକ କଟକଣା ଜାରି କରାଯାଇଛି। ଅପରପକ୍ଷରେ ତିନି ମାସର ସ୍କୁଲ କଲେଜ ଫି’ ସମ୍ପୂର୍ଣ୍ଣ ଛାଡ଼ କିମ୍ବା ପରସ୍ଥିତି ସ୍ବାଭାବିକ ହେବା ପରେ ଫି’ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୁଣି ଜୁନ୍‌ ୧୭ ପର୍ଯ୍ୟନ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କଠାରୁ ଫି’ ସଂଗ୍ରହ ପରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଦରମା ଦିଆଯାଉଛି ବୋଲି ଘରୋଇ ସ୍କୁଲ କଲେଜ କର୍ତ୍ତୃପକ୍ଷ କହୁଛନ୍ତି। ତେବେ ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ସ୍କୁଲ ଫି’ ପଇଠ କରୁନାହାନ୍ତି, କିନ୍ତୁ ନିର୍ଦ୍ଧାରିତ ସମୟରେ ସେମାନଙ୍କୁ ଦରମା ଦେବାକୁ ସରକାର କହୁଛନ୍ତି। ଏଭଳି ପରିସ୍ଥିତିରେ ଶିକ୍ଷକ-ଶିକ୍ଷିୟିତ୍ରୀ ଏବଂ କର୍ମଚାରୀଙ୍କୁ ଦରମା ଦେବା ଘରୋଇ ସ୍କୁଲ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରେ କଷ୍ଟକର ହୋଇପଡିଛି।

ଲକ୍‌ଡାଉନ୍‌ ହେବା ଦିନଠାରୁ ଘରୋଇ ସ୍କୁଲ କଲେଜ ଶିକ୍ଷକ-ଶିକ୍ଷୟିତ୍ରୀ ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରୁଛନ୍ତି। ତଥାପି ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ସ୍କୁଲ ଫି’ ପଇଠ କରୁନାହାନ୍ତି। ଫଳରେ ଘରୋଇ ସ୍କୁଲ କଲେଜ ଏବେ ସଙ୍କଟରେ ରହିଛି। ଦରମା ମିଳୁ ନଥିବାରୁ ଶହଶହ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଆର୍ଥିକ ଅନଟନରେ ଜୀବନ ଅତିବାହିତ କରୁଛନ୍ତି ବୋଲି ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ପ୍ରୋଭାଇସ୍‌ ଚେୟାର୍‌ମ୍ୟାନ୍‌ ତଥା ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ସମ୍ପାଦକ ବିନୋଦ ଦାଶ ପ୍ରକାଶ କରିଛନ୍ତି। ଏହି ସମସ୍ୟା ସମାଧାନ ପାଇଁ ସରକାରୀ ସ୍ତରରେ ତୁରନ୍ତ ପଦକ୍ଷେପ ନିଆଯାଉ। ଫଳରେ ବିଭିନ୍ନ ଘରୋଇ ସ୍କୁଲ କଲେଜରେ କାର୍ଯ୍ୟରତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଦରମା ଦିଆଯାଇପାରିବ ବୋଲି ସେ ନିବେଦନ କରିଛନ୍ତି।

Comments are closed.