ଅନ୍‌ଲକ୍‌-୨.୦ ଜୀବନ ଏବେ ମଧ୍ୟ ନିରାପଦ ନୁହେଁ

ରୋନା ମହାମାରୀ ସଂକ୍ରମଣ ଏବେ ଭାରତରେ ଚରମ ସୀମାରେ ପହଞ୍ଚିଥିବାବେଳେ କେନ୍ଦ୍ର ସରକାର ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ କୋହଳ ଅନଲକ୍‌-୨.୦ ନିର୍ଦେଶାବଳୀ ଘୋଷଣା କରିଛନ୍ତି। ଏଥିରେ ପୂର୍ବରୁ ଜାରି ଥିବା କେତେକ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। ତଥାପି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ କ୍ଷମତା ଦିଆଯାଇଛି। ଦୀର୍ଘକାଳୀନ ଲକ୍‌ଡାଉନ୍‌କୁ ସମୂଳେ ପ୍ରତ୍ୟାହାର କରିବା ସାଂପ୍ରତିକ ପରିସ୍ଥିତିରେ ସମ୍ଭବ ନୁହେଁ, ତେଣୁ ପର୍ଯ୍ୟାୟକ୍ରମେ ଯେଉଁସବୁ କୋହଳ ନିଷ୍ପତ୍ତି ନିଆଯାଉଛି ତାହା ଯଥାର୍ଥ।
ଓଡ଼ିଶା ସରକାର ଏହି ପର୍ଯ୍ୟାୟରେ ଲାଗୁ ହୋଇଥିବା କଟକଣା ସବୁକୁ ସେଭଳି କୋହଳ କରିନାହାନ୍ତି ଏବଂ ନ’କରିବା ଉଚିତ ମଧ୍ୟ। ରାଜ୍ୟରେ ଏବେ କରୋନା ଭୂତାଣୁ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ୁଛି। ଆଗୁଆ ପଦକ୍ଷେପ ତଥା ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଫଳରେ ସଂକ୍ରମିତଙ୍କର ଆରୋଗ୍ୟ ହାର ବଢ଼ୁଥିଲେ ମଧ୍ୟ କରୋନା ଯୋଦ୍ଧା, ବିଶେଷତଃ ଚିକିତ୍ସକମାନଙ୍କର ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ସଂଗରୋଧ ବ୍ୟବସ୍ଥା ବାହାରେ କିଛି ଗ୍ରାମ ଓ ସହରାଞ୍ଚଳରେ ଲୋକେ ସଂକ୍ରମିତ ହେବାରୁ ଗୋଷ୍ଠୀ ସଂକ୍ରମଣର ଭୟ ବୃଦ୍ଧି ପାଇଛି। ରାଜ୍ୟରେ ଏଯାଏ ଗୋଷ୍ଠୀ ସଂକ୍ରମଣ ଘଟଣା ଘଟି ନଥିଲେ ମଧ୍ୟ ଏହାର ସମ୍ଭାବନାକୁ ସହଜରେ ଏଡ଼ାଇ ଦେଇ ହେବନାହିଁ। ଏଥି ପାଇଁ କଠୋର କଟକଣା ଓ ସତର୍କତା ଅପରିହାର୍ଯ୍ୟ।

ଗଣତନ୍ତ୍ର ଓ ଦାୟିତ୍ବପୂର୍ଣ୍ଣ ଶାସନ ବ୍ୟବସ୍ଥାରେ ଗଣର ଜୀବନସୁରକ୍ଷା ସର୍ବାଗ୍ରେ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସବୁ ଜୀବନ ଗୁରୁତ୍ବପୂର୍ଣ୍ଣ ଏବଂ ଏହାର ସୁରକ୍ଷା ସରକାରଙ୍କ ଦାୟିତ୍ବ। ଏଥିପାଇଁ ସରକାର ଉତ୍ତରଦାୟୀ। ସେହି ନ୍ୟାୟରେ ସରକାର ସଫଳ ହୁଅନ୍ତୁ କି ନ’ହୁଅନ୍ତୁ ତାଙ୍କୁ ତାଙ୍କ କାର୍ଯ୍ୟ କରିବାକୁ ପଡ଼ିବ। ରାଜ୍ୟ ସରକାର ଅଳସୁଆ ହୋଇ ବସି ରହିପାରିବେ ନାହିଁ। ତେଣୁ ସରକାର ତାଙ୍କ ସାଧ୍ୟ ମତେ ଉଦ୍ୟମ କରୁଛନ୍ତି ଏବଂ ଲୋକଙ୍କୁ ସତର୍କ କରାଉଛନ୍ତି। ଏଭଳି ସମୟରେ କଟକଣା ଉଠାଇଦେବା କିମ୍ବା ଏହାକୁ ଅଧିକ କୋହଳ କରିବା ଆତ୍ମଘାତୀ ହୋଇଥାନ୍ତା। ଆମର ଲୋକଚରିତ୍ର ଯାହା ସେଥିରେ ସେମାନଙ୍କୁ କଟକଣା ମଧ୍ୟରେ ସମ୍ଭାଳିବା ମଧ୍ୟ କଷ୍ଟ। ତେଣୁ କଟକଣା ପ୍ରତ୍ୟାହାର ବା କୋହଳର ପ୍ରଶ୍ନ ଉଠୁନାହିଁ। ସର୍ବୋପରି ଏଯାଏ ଓଡ଼ିଶାରେ କରୋନା ସଂକ୍ରମଣର ସ୍ଥିତି ଅନ୍ୟ ରାଜ୍ୟଙ୍କ ତୁଳନାରେ ଭଲ ଅଛି। ତେଣୁ ଏହି ସମୟରେ କଟକଣା ଅଧିକ କୋହଳ ହୋଇଥିଲେ କଷ୍ଟଲବ୍ଧ ସଫଳତା ଅଚିରେ ନଷ୍ଟ ହୋଇଥା’ନ୍ତା। ଆସନ୍ତୁ, ଏ କାର୍ଯ୍ୟରେ ସରକାରଙ୍କୁ ସହଯୋଗ କରିବା ଏବଂ କରୋନାକୁ ହରାଇବା ପାଇଁ ଆଉଟିକେ ତ୍ୟାଗ କରିବା। ମନେ ରଖିବାକୁ ହେବ ଯେ ଏବେ ମଧ୍ୟ ଆମ ଜୀବନ ନିରାପଦ ନୁହେଁ।

Comments are closed.