ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ ଆତ୍ମାହୁତି ଘଟଣା: ଶବ ରଖି ବିକ୍ଷୋଭ, କୁଳପତିଙ୍କ ନାମରେ ମାମଲା

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠାରେ ମଙ୍ଗଳବାର ପ୍ରାୟ ୧୦ଟା ୪୫ ମିନିଟ ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ସମ୍ମୁଖରେ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମଦାହ ଭଳି ଚରମ ପଦକ୍ଷେପ ଉଠଇଥିଲେ। କୁଳପତିଙ୍କ କଟୁକ୍ତି ତଥା ଭର୍ତ୍ସନାକୁ ସହ୍ୟ କରି ନପାରି ଗତ ୨୭ ବର୍ଷ ଧରି ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରତାରିତ ଶ୍ରୀ ମିଶ୍ର ସମ୍ପୂର୍ଣ୍ଣ ନିରାଶ ହୋଇ ରହିଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରି ତାଙ୍କୁ ସ୍ଥାୟୀ କରାଯାଇ ନଥିଲା ବା ସ୍ଥାୟୀ ପେ’ ସ୍କେଲ ମଧ୍ୟ ଦିଆଯାଇ ନଥିଲା। ୨୭ ବର୍ଷ ଲଢ଼େଇର ଅବସାନ ତାଙ୍କ ମୃତ୍ୟୁରେ ଘଟିଲା।

ପ୍ରଥମେ ବୁର୍ଲା ମେଡ଼ିକାଲ ଏବଂ ପୁଣି କଟକ ଯିବା ବାଟରେ ତାଙ୍କର ଅନୁଗୋଳରେ ପରଲୋକ ଘଟିବା ପରେ ତାଙ୍କ ଶବକୁ ଅନୁଗୋଳରେ ହିଁ ବ୍ୟବଚ୍ଛେଦ କରାଯିବା ପରେ ବୁଧବାର ସକାଳେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ସାଙ୍ଗରେ ଥିଲେ ତାଙ୍କ ପୁଅ ଅଭିଷେକ ମିଶ୍ର (ଅଙ୍କିତ)। ଶବକୁ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ରଖାଯାଇ ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଶେଷଦର୍ଶନ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ପୁରାତନ ପ୍ରଶାସନିକ କୋଠାକୁ ଅଣାଯାଇଥିଲା। କୁଳପତିଙ୍କୁ ଗିରଫ କରାଯିବା ପାଇଁ ଦାବି କରାଯାଇଥିଲା। ମୃତ ଦୀନବନ୍ଧୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ଏବଂ ସିଣ୍ଡିକେଟ ବୈଠକରେ ଆହୁରି ୧୦ ଲକ୍ଷ ଟଙ୍କା ଏବଂ ପୁଅକୁ ଆଉଟ୍‌ସୋର୍ସିଂରେ ଚାକିରୀ ଦେବାକୁ ଅନୁମୋଦନ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଶବ ଉଠିଥିଲା। ଅନ୍ୟପକ୍ଷରେ ସ୍ବର୍ଗତ ମିଶ୍ରଙ୍କ ପୁଅ ଅଭିଷେକଙ୍କ ଏତଲା ଆଧାରରେ ବୁର୍ଲା ଥାନାରେ କୁଳପତି କୁଳପତି ମିତ୍ତଲ, ପିଇଓ ଅବିନାଶ କର ଏବଂ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ଶତପଥୀଙ୍କ ନାମରେ କେସ ନମ୍ବର ୨୫୧/୨୦୨୧ରେ ମାମଲା ରୁଜୁ କରାଯାଇଥିବା ଏସଡ଼ିପିଓ ସତ୍ୟବ୍ରତ ଦାସ ସୂଚନା ଦେଇଛନ୍ତି।

ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ସଭାନେତ୍ରୀ ଡା. ରାସେଶ୍ୱରୀ ପାଣିଗ୍ରାହୀ, ବିଜେଡି ଜିଲା ସଭାପତି ସିଦ୍ଧାର୍ଥ ଦାସ, କଂଗ୍ରେସ ଦଳ ଜିଲା ସଭାପତି ତଥା ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ସମେତ ବୁର୍ଲା ନଗର ବିଜେଡି ପୂର୍ବତନ ସଭାପତି ଦେବାଶିଷ ନନ୍ଦ, ବିଜେଡି ବରିଷ୍ଠ ନେତା ଅଶୋକ ମହାକୁଡ଼, ପ୍ରଦ୍ୟୁମ୍ନ ମିଶ୍ର, ତରଣୀସେନ ଚାନ୍ଦ, ପୂର୍ବତନ ବିଜେଡି ନେତା ଶିଶିର ଦାଣ୍ଡିଆ, ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘର ସମ୍ପାଦକ ସତ୍ୟନାରାୟଣ କର, ଦିଲ୍ଲୀପ ବଡ଼ପଣ୍ଡା, ବିଶ୍ୱନାଥ ଧର, ନିରୁପମା ମିଶ୍ର, କମଳେନ୍ଦୁ ମେଣ୍ଡଲି, ସୁରେନ୍ଦ୍ର ବାରିକ, ସୁଧାଂଶୁ ମାଝୀ, ସୁଦାମ ଭୋଇ, ସୁଲଟୁ ପାଢ଼ୀ, ନିର୍ମଳ ବେହେରା, ପ୍ରକାଶ ପ୍ରଧାନ, ନିର୍ମଲ ବଗର୍ତ୍ତି, ଧନେଶ ସୁରୁଜାଲ, ଗୋପାଲ ଡ଼ୁଙ୍ଗ୍ରୀ, ହେମନ୍ତ ନାୟକଙ୍କ ସମେତ ସତାଧିକ କର୍ମଚାରୀ ଶ୍ରୀ ମିଶ୍ରଙ୍କ ଶେଷଦର୍ଶନ କରିବା ପରେ ବିଭିନ୍ନ ଦାବି କରି ଧାରଣାରେ ବସି ରହିଥିଲେ। ସ୍ବର୍ଗତ ମିଶ୍ରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ମୃତକଙ୍କ ପୁଅକୁ ସ୍ଥାୟୀ ଚାକିରୀ ପ୍ରଦାନ କରାଯିବା, ଅଭିଯୋଗ ପତ୍ରରେ ଦର୍ଶାଯାଇଥିବା କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ, ପିଇଓ ଅବିନାଶ କର ଏବଂ ପ୍ରଫେସର ବିଶ୍ୱଜିତ ଶତପଥୀଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ଏହା ପୂରଣ ନହେବା ଯାଏ ଶବ ପ୍ରଶାସନିକ କୋଠାରୁ ଉଠିବ ନାହିଁ ବୋଲି ଅଡ଼ି ବସିଥିଲେ।

Comments are closed.