ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ରାଜ୍ୟରେ ଆଦିବାସୀଙ୍କ ବିକାଶ ସନ୍ତୋଷଜନକ ନୁହେଁ : କେନ୍ଦ୍ରମନ୍ତ୍ରୀ ଟୁଡୁ

‘ହିସାବ ମିଳୁନଥିବା ୩୩ କୋଟି ଟଙ୍କାର ସ୍ୱତନ୍ତ୍ର ଅଡିଟ ହେବ’

ରାଉରକେଲା : ଉଭୟ ରାଜ୍ୟ ଓ କେନ୍ଦ୍ର ଯୋଜନାର ବାଟମାରଣଶ ହେଉଛି । ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ରାଜ୍ୟରେ ଆଦିବାସୀଙ୍କ ବିକାଶ ସନ୍ତୋଷ ଜନକ ନୁହେଁ ବୋଲି କେନ୍ଦ୍ର ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ କହିଛନ୍ତି । ଶୁକ୍ରବାର ଉଦିତନଗରସ୍ଥିତ ଆଇଟିଡିଏ ହଲ୍ ପରିସରରେ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିବା ସହିତ ଆଦିବାସୀଙ୍କ ଜୀବନଧାରଣମାନର ବିକାଶ ପାଇଁ ଆସୁଥିବା ଯୋଜନାର ଅର୍ଥ ହରିଲୁଟ ହେଉଥିବା କହିଥିଲେ । ଆଦିବାସୀଙ୍କ ଅର୍ଥନୈତିକ ବିକାଶ, ଗମନାଗମନର ବିକାଶ ପାଇଁ ଆନ୍ତରିକ ଦୃଷ୍ଟି ଦିଆଯାଉନାହିଁ । ସେ କହିଲେଯେ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଭାରତ ସରକାରଙ୍କ ଆଦିବାସୀଙ୍କ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଖୋଲିଲା । ସୁନ୍ଦରଗଡ଼ର ସାଂସଦ ଜୁଏଲ ଓରାମ ଏହି ବିଭାଗର ମନ୍ତ୍ରୀ ହେଲେ। ସେତେବେଳେ ଜୁଏଲଙ୍କ ଉଦ୍ୟମରେ ଆସିଥିବା ବହୁ ଅନୁଦାନ ରାଜ୍ୟ ସରକାରଙ୍କ ଅସହଯୋଗରୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏପରିକ ଜୁଏଲଙ୍କ ମନ୍ତ୍ରୀତ୍ୱ ସମୟରେ ଜିଲାକୁ ଆସିଥିବା ୩୩ କୋଟି ଟଙ୍କାର ହିସାବ ମିଳୁନାହିଁ। ଏହାର ସ୍ୱତନ୍ତ୍ର ଅଡିଟ ହେବ। କେନ୍ଦ୍ରୀୟ ଅଧିକାରୀ ଜିଲାକୁ ଆସି ଏହାର ତଦନ୍ତ କରିବା କରିବା ସହିତ ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।

ମନ୍ତ୍ରୀ କହିଲେ ଯେ ଏଠାରେ ବିଧାୟକ ପ୍ରସ୍ତାବ ଦେଲେ ଅଧିକାରୀ ତାହା କାର୍ଯ୍ୟକାରୀ କରୁନାହାଁନ୍ତି । ବିଧାୟକ ଶଙ୍କର ଓରାମ ଦେଇଥିବା ଅନେକ ପ୍ରସ୍ତାବ କାଯ୍ୟକାରୀ ହୋଇନଥିବା ସେ ଉଦାହରଣ ଛଳରେ କହିଥିଲେ। ଏଠାରେ ଅଧିକାରୀଙ୍କ କଥାରେ ତାଳମେଳ ରହୁନଥିବା ବେଳେ ବହୁ ତୃଟି ନଜରକୁ ଆସିଛି । ଶୁକ୍ରବାର ସକାଳେ ବଣାଇ ଓ ପାନପୋଷ ଆଇଟିଡିଏର କାର୍ଯକ୍ରମର ଅଗ୍ରଗତିର ସମୀକ୍ଷା କରାଯାଇଥିବା ବେଳେ ପରବର୍ତୀ ପର୍ଯ୍ୟାୟରେ ସୁନ୍ଦରଗଡ଼ ଆଇଟିଡିଏର ସମୀକ୍ଷା କରାଯାଇଛି । ସମୀକ୍ଷା ବୈଠକରେ ମୌଖିକରେ ଗୋଟିଏ କଥା କୁହାଯାଉଥିବା ବେଳେ ଲିଖିତରେ ପୃଥକ ତଥ୍ୟ ଦିଆଯାଉଛି। କାଗଜପତ୍ରରେ ସବୁ ଠିକ୍ କରାଯାଉଥିବା ବେଳେ ବାସ୍ତବତା ହେଉଛି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ୧୫୦୦କୋଟି ଟଙ୍କାର ବୃହତ ଉଠାଜଳସେଚନ ପ୍ରକଳ୍ପ ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ବେଳେ ଚାଷୀ ପ୍ରଭାବିତ ହେଉଛନ୍ତି । ଚାଷୀକୂଳ ଆବଶ୍ୟକ ସମୟରେ ପାଣି ପାଉନାହାଁନ୍ତି । ଉପଯୁକ୍ତ ତଦାରଖ ହେଉନଥିବାରୁ ଧାର୍ଯ୍ୟ ଲକ୍ଷ୍ୟ ବିଫଳ ହେଉଛି । ମନ୍ତ୍ରୀ କହିଲେ ଯେ କେବଳ ସୁନ୍ଦରଗଡ଼ ଜିଲା ନୁହେଁ, ରାଜ୍ୟର ଅନ୍ୟ ଜିଲାରେ ଆଇଟିଡିଏ ପକ୍ଷରୁ ମଧ୍ୟ ଆଦିବାସୀଙ୍କ ବିକାଶ ପାଇଁ ମାନସିକତା ସୃଷ୍ଟି ହେଉନଥିବା ସ୍ପଷ୍ଟ ହେଉଛି। କ୍ରମାଗତ ଭାବେ ଏହିଭଳି ସମୀକ୍ଷା ମାଧ୍ୟମରେ କାର୍ଯ୍ୟକ୍ରମର ଅଗ୍ରଗତି ବାଦରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ। ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ରସରକାରଙ୍କ ଅଙ୍ଗୀକାରବଦ୍ଧତା ରହିଛି ବୋଲି ସେ କହିଥିଲେ। ଏହି ଅବସରରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ସୁନ୍ଦରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.