ଜେୱାର ବିମାନବନ୍ଦରର ଭୁଲ୍‌ ଫଟୋ ପ୍ରସାର କରି କେନ୍ଦ୍ରମନ୍ତ୍ରୀମାନେ ହଟହଟା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ନଏଡ଼ାର ଜେୱାରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଗୁରୁବାର ଶିଳାନ୍ୟାସ ହୋଇଥିବା ବିଶ୍ବର ଚତୁର୍ଥ ବୃହତ୍‌ ବିମାନବନ୍ଦରର ପ୍ରସ୍ତାବିତ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରି ବିଜେପି ନେତାମାନେ ଘୋର୍‌ ହଟହଟା ହୋଇଛନ୍ତି। କିଛି ନେତା ଦୁଇଟି ବିମାନବନ୍ଦରର ଫଟୋ ସେମାନଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସ୍ଥାନିତ କରିଥିଲେ; ଯାହାକି ଯଥାକ୍ରମେ ବେଜିଂ ଓ ଦକ୍ଷିଣ କୋରିଆର ବୋଲି ଜଣାପଡ଼ିଛି। ଏହାକୁ ନେଇ ଉକ୍ତ ଦୁଇ ରାଷ୍ଟ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସୂଚନାନୁଯାୟୀ, କେତେଜଣ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ବେଜିଂସ୍ଥିତ ଡାକ୍ସିଂ ଆନ୍ତର୍ଜାତିକ ବିମାନବନ୍ଦରର ଚିତ୍ରକୁ ସେମାନଙ୍କ ଟ୍ବିଟରରେ ସ୍ଥାନିତ କରି ଏହାକୁ ଜେୱାର ବିମାନବନ୍ଦରର ପ୍ରସ୍ତାବିତ ରୂପ ବୋଲି ଦର୍ଶାଇଥିଲେ। ଆଉ କିଛି ଦକ୍ଷିଣ କୋରିଆର ଇଞ୍ଚେଅନ୍‌ ଆନ୍ତର୍ଜାତିକ ବିମାନବନ୍ଦରର ଚିତ୍ର ସ୍ଥାନିତ କରିଥିଲେ। ଏମାନଙ୍କ ମଧ୍ୟରେ ଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରହଲ୍ଲାଦ ସିଂହ, ଅର୍ଜୁନ ରାମ ମେଘୱାଲ, ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ। ଏହି ବିମାନବନ୍ଦର ପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟ ହେବ ଓ ଲକ୍ଷେ ଲୋକ ନିଯୁକ୍ତି ପାଇବେ ବୋଲି ଠାକୁର ଲେଖିଥିଲେ। ଆଉ ଟିକେ ଆଗକୁ ଯାଇ ପଞ୍ଜାବ କେଶରୀ, ଦୈନିକ ଜାଗରଣ ଓ ଜି ନ୍ୟୁଜ୍‌ ଭଳି କେତେକ ଗଣମାଧ୍ୟମ ମଧ୍ୟ ଭୁଲ୍‌ ଚିତ୍ର ପ୍ରକାଶ କରିଥିଲେ। ଚୀନ୍‌ର ଜନୈକ ସରକାରୀ ଅଧିକାରୀ ଶେନ୍‌ ଶିୱେଇ ପ୍ରଥମେ ଏହାକୁ ଠାବ କରିବା ପରେ ବିସ୍ମୟ ପ୍ରକାଶ କରିଥିଲେ। ପରେ ନେତାମାନେ ଏହାକୁ ନିଜ ଟ୍ବିଟରରୁ ହଟାଇ ଦେଇଥିଲେ।

Comments are closed.