ମନ୍‍ କି ବାତ ପରେ..ସିଲୁ ନାୟକଙ୍କ ସହ ଭିସିରେ କଥା ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି: ଜଣେ ଓଡ଼ିଆ ପୁଅ ଚାକିରି ନକରି ଏକାଧିକ ଓଡ଼ିଆ ପିଲାଙ୍କୁ ମାଗଣାରେ କୋଚିଂ ଦେଇ ଆର୍ମି, ସିଆରପିଏଫ, ପୁଲିସ ପ୍ରଭୃତିରେ ଭର୍ତ୍ତି କରାଇବାରେ ସଫଳ ଭୂମିକା ଗ୍ରହଣ କରିବା ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍‍ କି ବାତ କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲା ନାଉଗାଁ ବ୍ଲକର ସିଲୁ ନାୟକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭକାମନା ଜଣାଇବା ସହ ଆମଦେଶ ଏଭଳି ଅଧିକ ନାୟକଙ୍କୁ ତିଆରି କରୁ ବୋଲି ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଏଭଳି ପ୍ରଶଂସା ଶୁଣିବା ପରେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସମ୍ପୃକ୍ତ ଯୁବକଙ୍କ ସହ ଭିଡ଼ିଓ କଲ୍‍ ମାଧ୍ୟମରେ ଦୀର୍ଘ ସମୟ ଧରି କଥା ହୋଇଥିବା ଦେଖିବାକୁ ମିଳିଛି। ଏହି କୋଚିଂର ପ୍ରେରଣା କେଉଁଠୁ ପାଇଲେ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଆଉ କଣ କରାଯିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ତାଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ସିଲୁ ନାୟକ କହିଥିଲେ ଯେ, ସେ ପୁଲିସରେ ଇଣ୍ଟରଭ୍ୟୁ ଦେଇ ଚାକିରି ଛାଡ଼ି ପିଲାମାନଙ୍କୁ ଦୀର୍ଘ ୫/୬ବର୍ଷ ହେବ ମାଗଣା କୋଚିଂ ଦେଇ ଆସୁଛନ୍ତି। ତାଙ୍କଠାରୁ କୋଚିଂ ନେଇ ୪୦/୫୦ରୁ ଊଦ୍ଧ୍ୱର୍ ପିଲା ବିଭିନ୍ନ ବିଭାଗରେ ଚାକିରି ପାଇଛନ୍ତି ଏବଂ ପ୍ରତିବର୍ଷ ୧୦/୧୨ଜଣ ପ୍ରତିରକ୍ଷା ବିଭାଗରେ ଭର୍ତ୍ତି ହେଉଛନ୍ତି। ଛୋଟ ବେଳୁ ଦେଶ ପାଇଁ କିଛି କରିବାକୁ ସ୍ୱପ୍ନ ରଖିଥିଲେ, ଯାହା ଆଜି ସାକାର ହେଉଛି ବୋଲି କହିଛନ୍ତି। ଏକ ଛୋଟ ଘରେ ପିଲାମାନଙ୍କୁ କୋଚିଂ ଦେଉଛନ୍ତି ଏବଂ ଧୌର୍ଯ୍ୟ ରଖିଲେ ସଫଳତା ନିଶ୍ଚିତ ବୋଲି ଶ୍ରୀ ନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି। ତେବେ ଏହି କୋଚିଂ ପାଇଁ ରହିଥିବା ଅନ୍ୟ ଆବଶ୍ୟକତା ସମ୍ପର୍କରେ ଏକ ତାଲିକା ପ୍ରସ୍ତୁତ କରି ପଠାଇବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସମ୍ପୃକ୍ତ ଯୁବକଙ୍କୁ ଜଣାଇଛନ୍ତି।

Comments are closed.