କେନ୍ଦ୍ର ମନ୍ତ୍ରୀଙ୍କ ଓୟୁଏଟି ପଶୁ ଚିକିତ୍ସାଳୟ ପରିଦର୍ଶନ ; କାମରେ ଖିଲାପ କରୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନରେ ଥିବା ପ୍ରାଣୀ ଚିକିତ୍ସାଳୟକୁ ସୋମବାର ଅପରାହ୍ଣରେ ଅଚାନକ ଗସ୍ତ କରିଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଚିକିତ୍ସାଳୟରେ ଡାକ୍ତର ସଠିକ୍‌ ଭାବେ ଚିକିତ୍ସା କରୁ ନଥିବା ଅଭିଯୋଗ ପାଇବା ପରେ ଶ୍ରୀ ଷଡଙ୍ଗୀ ଗସ୍ତ କରି ସ୍ଥିତି ପରଖିଥିଲେ। ଶୈଳଶ୍ରୀବିହାର ଅଞ୍ଚଳର ଏକ ଗାଈକୁ ସକାଳୁ ଚିକିତ୍ସା ପାଇଁ ସ୍ଥାନୀୟ ଲୋକ ଆଣିଥିଲେ। ତେବେ ଚିକିତ୍ସାରେ ଅବହେଳା କରାଯିବା ସହ ବିଳମ୍ବ କରାଯାଇଥିଲା। ଏନେଇ କିଛି ଲୋକ ମନ୍ତ୍ରୀଙ୍କୁ ଫୋନ୍‌ କରି ଜଣାଇଥିଲେ। ନିୟମିତ ଭାବେ ଏହି ଚିକିତ୍ସାଳୟରେ ଡାକ୍ତର ରହୁ ନଥିବାବେଳେ ସଠିକ୍‌ ଭାବେ ଚିକିତ୍ସା ହେଉ ନଥିବା କିଛି ଲୋକ କେନ୍ଦ୍ର ମନ୍ତ୍ରୀଙ୍କୁ ଗସ୍ତ ସମୟରେ ଅବଗତ କରିଥିଲେ।
ମନ୍ତ୍ରୀ ଗସ୍ତ ସମୟରେ କୌଣସି ଡାକ୍ତର ଓ ସହାୟକ ନଥିବା ଦେଖିଥିଲେ। ପ୍ରାୟ ୨୦ ମିନିଟ୍‌ ପରେ ନିର୍ଦେଶକ ମନୋରଞ୍ଜନ ଦାଶ ଓ ଡିନ୍‌ ଡ.ଲକ୍ଷ୍ମଣ ବାବୁ ପହଞ୍ଚି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଅନୁପସ୍ଥିତ ଥିବା ଡାକ୍ତରଙ୍କ ବିରୋଧରେ ଯାଞ୍ଚ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବୁ ନିର୍ଦେଶକ ଶ୍ରୀ ଦାଶଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ଷଡଙ୍ଗୀ କହିଛନ୍ତି ଡାକ୍ତର ମଦ୍ୟ ପାନ କରି ଚିକିତ୍ସା କରୁଥିବା ଓ ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇଥିଲା। ଚିକିତ୍ସାଳୟ ଗସ୍ତ କାଳରେ କୌଣସି ଡାକ୍ତର ନଥିଲେ। ଯାଞ୍ଚ କରି କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ଖୁବ୍ ଶୀଘ୍ର ଏନେଇ ଓୟୁଏଟି ଅଧିକାରୀଙ୍କୁ ଚିଠି ଲେଖାଯିବ।

Comments are closed.