କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନବରଙ୍ଗପୁର ଗ୍ରସ୍ତ ; ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

ମାଆ ଭଣ୍ଡାରଘରଣୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ନବରଙ୍ଗପୁର : କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ ଯାଇ ସ୍ଥାନୀୟ ସର୍କିଟ ହାଉସ ଠାରେ ନବରଙ୍ଗପୁର ଆଦିବାସୀ ଉନ୍ନୟନ ବିଭାଗ ଓ ଜଳସମ୍ପଦ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ  ଲୋଚନ ମିଶ୍ର, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ରତ୍ନାକର ସାହୁ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅମରେନ୍ଦ୍ର ପାଢ଼ୀଙ୍କ ସମେତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଚାଲିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଆଦିବାସୀ ପିଲାଙ୍କ ପାଇଁ ନିର୍ମାଣ ହେଉଥିବା ସ୍କୁଲ ମାନଙ୍କର ବିକାଶ ପାଇଁ ଚାଲିଥିବା କାର୍ୟ୍ୟକ୍ରମର ସମୀକ୍ଷା କରିଛନ୍ତି । କେନ୍ଦ୍ର ସରକାର ବର୍ତ୍ତମାନ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବାରେ ଗୁରୁତ୍ୱ ଦେଇ କାମ କରୁଥିବା ସହ ବିଭିନ୍ନ ଉନୟନ ପ୍ରକଳ୍ପ ଦିଗରେ କାମ କରୁଛନ୍ତି । ତେଣୁ ଆଦିବାସୀ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ହ୍ରାସ ପାଇଥିବା ବେଳେ ଆଦିବାସୀ ଉନ୍ନୟନ ବିଭାଗକୁ ଆଗାମୀ ଦୁଇ ବର୍ଷ ଭିତରେ ଜିଲ୍ଲାକୁ ସ୍ୱାଭାବିକ ଭାବେ ଅନୁଦାନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୨୦୨୩ସୁଦ୍ଧା ଘରେ ଘରେ ଜଳ ପହଞ୍ଚିବା ପାଇଁ ପ୍ରଥମ ପର୍ୟ୍ୟାୟ ରେ ୩୩୨୩ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଦେଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ୪ଟି ପ୍ରକଳ୍ପ କରାଯାଉଛି। ସେଥିମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ଦୁଇଟି ପ୍ରକଳ୍ପର ନିର୍ମାଣ କାମ ଚାଲୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ଓଡ଼ିଶାରେ ଏମଜିଏନଆରଇଜିଏସ କାମରେ ବ୍ୟାପକ ଦୁର୍ନୀତି ଚାଲିଥିବା ମନ୍ତ୍ରୀ ଅଭିଯୋଗ ଆଣିଥିଲେ। କାଗଜପତ୍ର ରେ କାମ କରୁଥିବା ଦର୍ଶାଇ ଟଙ୍କା ହଡପ କରୁଥିବା ସେ ଗୁରୁତର ଅଭିଯୋଗ କରିଛନ୍ତି। ସେଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଚଞ୍ଚକତା କରି ଗରିବ ଲୋକଙ୍କ ଟଙ୍କା ହଡପ କରି ସ୍ଥାନୀୟ ସରକାରୀ ଅଧିକାରୀ ସାମିଲ ରହୁଥିବା କହିଛନ୍ତି। ରାଜ୍ୟ ସରକାର ୟୁସି ଦେଉନଥିବାରୁ ଅନୁଦାନ ଆସିପାରୁନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ସମୀକ୍ଷା ବୈଠକ ପରେ ମନ୍ତ୍ରୀ ପଡାଲଗୁଡା ସ୍ଥିତ ଦୀନନଦୟାଲ ଉପାଧ୍ୟାୟ ବାଳିକା ଆଶ୍ରମକୁ ଯାଇ ଅନ୍ତେବାସୀଙ୍କ ସମସ୍ୟା ବୁଝିବା ସହିତ ପିଲାଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ କରିଛନ୍ତି। ଏହାପରେ ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀ ମନ୍ଦିରକୁ ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ। ତାଙ୍କ ସହ ନବରଙ୍ଗପୁରର ଦୁଇ ପୂର୍ବତନ ସାଂସଦ ଇଂ, ବଳଭଦ୍ର ମାଝୀ ଓ ପର୍ଶୁରାମ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ଭାଜପା ସଭାପତି ଜଗଦିଶ ବିଷୋୟୀ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ସମେତ ଭାଜପା ଜିଲା କର୍ମକର୍ତ୍ତା ଓ କର୍ମୀ ପ୍ରମୁଖ ରହିଥିଲେ। ମାଆଙ୍କ ଦର୍ଶନ ପରେ ସେ ଉମରକୋଟ ଅଭିମୁଖେ ବାହାରିଥିଲେ। ରାସ୍ତାରେ ପାପଡାହାଣ୍ଡି, ଜଟାବାଲ ଓ ଡାବୁଗା ଥରେ ସ୍ୱାଗତ ସମ୍ବର୍ଦ୍ଧନା ପରେ ଉମରକୋଟ ଠାରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ।

Comments are closed.