ବରଗଡ ବିକାଶ ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ଶଯ୍ୟାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଆଗାମୀ କିଛି ମାସ ପାଇଁ ବିକାଶ ହସ୍ପିଟାଲରେ ଗରିବଙ୍କ ପାଇଁ ଶସ୍ତାରେ ଚିକିତ୍ସା ସେବା ଯୋଗାଇବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁକ୍ରବାର ବରଗଡ଼ ଜିଲ୍ଲାର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ଆଗାମୀ କିଛି ମାସ ପାଇଁ ଏହି ହସ୍ପିଟାଲରେ ଗରିବ ଅସହାୟଙ୍କ ପାଇଁ ଶସ୍ତାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ବିକାଶ ଗ୍ରୁପର ଚେୟାରମ୍ୟାନ ଡ଼ି.ମୂରଲି କ୍ରୀଷ୍ଣାଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ କୋଭିଡ୍-୧୯ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ କର୍ପୋରେଟ୍ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ମେଡ଼ିକାଲ ଭିତିଭୂମିକୁ ପ୍ରାଥମିକତା ଦିଆଯାଇ ବିଭିନ୍ନ ଜିଲ୍ଲାର ମେଡିକାଲଗୁଡିକରେ ବେଡ୍ ସଂଖ୍ୟା ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ଭିତିଭୂମିକୁ ବୃଦ୍ଧି କରାଯାଉଛି। କରୋନାର ଦ୍ୱିତୀୟ ଲହରୀର ମୁକାବିଲା କରିବା ପାଇଁ ବରଗଡର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଇଣ୍ଡିଆନ ଅଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ(ସିଏସଆର) ପାଣ୍ଠିରୁ ୧୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଭେଣ୍ଟିଲେଟର ସହ ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି। ଇଣ୍ଡିଆନ ଅଏଲ ବରଗଡର ଦାସରୀ ବୀର ରାଜୁ (ଡ଼ିଭିଆର) ଏବଂ ଗୁନମ ରାମଚନ୍ଦ୍ର ରାଓ ମେମୋରିଆଲ ଟ୍ରଷ୍ଟ (ଜିଆରସିଆର) ସହଯୋଗରେ ୭୦ଟି ଭେଣ୍ଟିଲେଟର ସହିତ ଆଇସିୟୁ ବେଡ୍, ୩୦ଟି ଭେଣ୍ଟିଲେଟର ଶଯ୍ୟାର ଅପଗ୍ରଡେସନ କରିବା ସହ ୫୦ ମନିଟର ଏବଂ ୨୦ ସିରିଞ୍ଜ୍ ପମ୍ପ ଆନୁଷଙ୍ଗିକ ମେଡ଼ିକାଲ ଉପକରଣର ବ୍ୟବସ୍ଥା କରାଯାଇଛି। ଏହି ଅତ୍ୟାଧୁନିକ ସୁବିଧା ଦ୍ୱାରା ପଶ୍ଚିମ ଓଡିଶା ତଥା ବରଗଡର ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ଼ -୧୯ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି। କର୍ପୋରେଟ୍ ଅନୁଷ୍ଠାନ ମାନେ ଟେଷ୍ଟିଂ ବଢାଇବା, ନିଜ ବ୍ୟବସ୍ଥାରେ ଟିକାକରଣ ସୁବିଧା କରିବା, ଭେଂଟିଲେଟର, ଅମ୍ଳଜାନ ଯୋଗାଣ, ଆଇସିୟୁ ସହ ବେଡ୍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ଉପକରଣର ଉପଲବ୍ଧିକୁ ବିକଶିତ କରି ବର୍ତମାନ କୋଭିଡ୍ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ କୋଭିଡ୍-୧୯କୁ ପ୍ରତିହତ କରିବା ପାଇଁ ସେଲ ସହଯୋଗରେ ରାଉରକେଲା ସହରରେ ୬୦୦ଟି ବେଡ୍, ସୁନ୍ଦରଗଡ଼ରେ ଏନଟିପିସି ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ୫୦୦ଟି ବେଡ୍, ଝାରସୁଗୁଡ଼ାର ବ୍ରଜରାଜନଗର ଏବଂ ଲଖନପୁର ଅଂଚଳରେ ଏମସିଏଲ ଦ୍ୱାରା ୧୫୦ଟି ଅକ୍ସିଜେନ ସଂଯୁକ୍ତ ବେଡ଼୍ ଓ ସମ୍ବଲପୁରରେ ଏମସିଏଲ ତରଫରୁ ୧୦୦ଟି ବେଡର ବ୍ୟବସ୍ଥା କରାଯାଉଛି । କର୍ପୋରେଟ୍ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଆରମ୍ଭ ହେଉଥିବା ଟିକାକରଣ ବ୍ୟବସ୍ଥାରେ ବରଗଡ଼ ଜିଲ୍ଲାକୁ ସାମିଲ କରାଯାଇଛି। ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ବ୍ୟବସ୍ଥା ବ୍ୟତିତ କର୍ପୋରେଟ୍ ଅନୁଷ୍ଠାନମାନେ ୧+୧ ଟିକା ଅର୍ଥାତ୍ ନିଜ କର୍ମଚାରୀଙ୍କୁ ଟିକା ଦେବା ସହ ଅସହାୟ ଲୋକଙ୍କୁ ଟିକା ଦେବାର ଦାୟିତ୍ୱ ନେବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରାଜ୍ୟ ଏବଂ ନାଗରିକ ସମାଜ ସହିତ କର୍ପୋରେଟ୍ ସେକ୍ଟର ଅଂଶଗ୍ରହଣ ସହିତ ମିଳିତ ଭାବେ କାର୍ଯ୍ୟ କରି ଭାରତ କୋଭିଡ୍ -୧୯ ମହାମାରୀ ସହିତ ମୁକାବିଲା କରିପାରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟକା ରିତା ସାହୁ ହସ୍ପିଟାଲ ଠାରେ ଉପସ୍ଥିତ ଥିବା ବେଳେ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ପଦ୍ମପୁର ବିଧାୟକ ବିଜୟ ସିଂହ ବରିହା ଯୋଡ଼ି ହୋଇଥିଲେ। ଏହାସହ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ତରୁଣ କାପୁର, ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଶ୍ରୀକାନ୍ତ ମାଧବ ବୈଦ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Comments are closed.