କରୋନା ବେଳେ ଶିଶୁଙ୍କର ଅଧିକ ଯତ୍ନ ନିଅନ୍ତୁ: ୟୁନିସେଫ୍‌

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ପିତାମାତାଙ୍କ ଯତ୍ନ ସହିତ ଶୈଶବ ବିକାଶକୁ ଅଧିକ ଗୁରୁତ୍ବ ଦେବାକୁ ୟୁନିସେଫ୍ ଆହ୍ବାନ ଜଣାଇଛି। ଶିଶୁ ମୃତ୍ୟୁହାର କମାଇବା, ସେମାନଙ୍କ ବିରୁଦ୍ଧରେ ହିଂସାକୁ ରୋକିବା ଓ ଦୀର୍ଘମିଆଦି ଭିତ୍ତିରେ ଆର୍ଥିକ ସୁଧାର ଓ ଉତ୍ପାଦକତା ବଢାଇବା ପାଇଁ ଏହା ଜରୁରୀ ଶିଶୁମାନଙ୍କ ସଂପର୍କରେ ଆଜି ୟୁନିସେଫ ପକ୍ଷରୁ ଏକ ଅଧୟନ ରିପୋର୍ଟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ଓ ମମତାଭରା ପରିବେଶ ସୃଷ୍ଟି ଦିଗରେ ଅଭିଭାବକ, ସମାଜ ଓ ସରକାର ନିଜର ଗୁରୁଦାୟିତ୍ବକୁ ବୁଝିବା ଜରୁରୀ। କିନ୍ତୁ ଆଜିର ଏହି ସଙ୍କଟ ସମୟରେ ଛୋଟ ପିଲାମାନଙ୍କ ପାଇଁ ସହାୟତାମୂଳକ ସେବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉ ନାହିଁ। ଫଳରେ ଛୋଟ ପିଲାମାନେ ବିଶେଷଭାବେ ପ୍ରଭାବିତ ହେଉଛନ୍ତି। ଶିଶୁମାନଙ୍କ ଶୃଙ୍ଖଳିତ କରିବା ବାହାନାରେ ସେମାନଙ୍କୁ ପ୍ରାୟ ୩୦ ପ୍ରକାରର ଶାରିରୀକ ଓ ବାଚନିକ ନିର୍ଯାତନା ଦିଆଯାଏ।
ଏହି ଅଧ୍ୟୟନରେ ପିଲାମାନଙ୍କ ଉପରେ ଘରେ କରାଯାଉଥିବା ବିଭିନ୍ନ ପ୍ରକାରର ହିଂସା ସଂପର୍କରେ ଆଲୋକପାତ କରାଯାଇଛି। ଏହି ଅବସରରେ ଭାରତରେ ଅବସ୍ଥାପିତ ୟୁନିସେଫ ପ୍ରତିନିଧି ଡ.ଯଶମିନ ଅଲି ହକ କହିଛନ୍ତି ଯେ ଇବୋଲା ସମୟରେ ଆମର ଅଭିଜ୍ଞତା କହୁଛି ଯେ ସଂକଟ ସମୟରେ ପରିବାରଗୁଡ଼ିକ ଶିଶୁମାନଙ୍କ ଉପରେ ଅଧିକ ହିଂସା, ନିର୍ଯାତନା ଦିଅନ୍ତି ବା ଅବହେଳା କରନ୍ତି; କିନ୍ତୁ ଏହାର କୁପ୍ରଭାବ ଶିଶୁମାନଙ୍କ ଉପରେ ସାରା ଜୀବନ ପଡ଼ିଥାଏ । ଏପ୍ରିଲରେ ଦୁଇ ସପ୍ତାହର ଲକଡାଉନ ସମୟରେ ପିଲାମାନଙ୍କ ସଂପର୍କିତ ସହାୟତା ଫୋନ୍ କଲ ୫୦ପ୍ରତିଶତ ବଢିଛି। ସ୍କୁଲ ବନ୍ଦ ହେବା ଦ୍ବାରା ପିଲାମାନଙ୍କ ଶିକ୍ଷା ଓ ଲାଳନପାଳନ ଲାଗି ପିତାମାତାଙ୍କ ଉପରେ ଚାପ ବଢିଯାଇଛି। ଏହା ଦ୍ବାରା ପିଲାମାନଙ୍କ ଉପରେ ହିଂସା ଆଶଙ୍କା ବଢିଛି। ଗବେଷଣାରୁ ଜଣାପଡ଼ିଛି ଯେ ଶିଶୁମାନେ ଅବହେଳା, ହିଂସା ଓ ନିର୍ଯାତନାର ସମ୍ମୁଖୀନ ହେଲେ ତାହା ତାଙ୍କ ମସ୍ତିଷ୍କ ଉପରେ ଗଭୀର ଚାପ ପକାଇଥାଏ। ନିୟମିତଭାବେ ଏହି ଚାପ ରହିଲେ ତାହା ସେମାନଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ଉପରେ ପ୍ରଭାବ ପକାଇଥାଏ। ଏଣୁ ଶିଶୁମାନଙ୍କ ଲାଳନପାଳନ ପାଇଁ ପିତାମାତାଙ୍କ ସକାରାତ୍ମକ ଆଭିମୁଖ୍ୟ ରହିବା ଜରୁରୀ। କୋଭିଡ-୧୯ ଅଧୀନରେ ଶିଶୁ ସୁରକ୍ଷା ସେବାକୁ ଜରୁରୀ ସେବା ଘୋଷଣା କରାଯିବାର ଆବଶ୍ୟକତା ରହିଛି। ଓଡ଼ିଶା ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗ କହିଛନ୍ତି ଯେ ଘରେ ଘରେ ଅରୁଣିମା ନାମକ ଏକ ଘରୋଇ ପାଠ୍ୟକ୍ରମ ଅଙ୍ଗନବାଡିରେ ନାଁ ଲେଖାଇଥିବା ଛୋଟ ପିଲାଙ୍କ ପାଇଁ ଆରମ୍ଭ କରାଯାଇଛି । ଓଡ଼ିଶା ସରକାର ଓ ୟୁନିସେଫ ସହଯୋଗିତାରେ ଆରମ୍ଭ କରାଯାଇଥିବା ଏହି ପାଠ୍ୟକ୍ରମକୁ ସକାରାତ୍ମକ ସମର୍ଥନ ମିଳିଛି। କରୋନା ପରେ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି।

Comments are closed.