ଆଗାମୀ ୧୨ ମାସ ଶିଶୁଙ୍କ ପାଇଁ ବିପଦ: ୟୁନିସେଫ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଆଗାମୀ ୧୨ ମାସ ଶିଶୁମାନଙ୍କ ପାଇଁ ବିପଦପୂର୍ଣ୍ଣ। ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରା ନ ଗଲେ ଏହି ସମୟ ମଧ୍ୟରେ ପାଖାପାଖି ୮,୮୧,୦୦୦ ଶିଶୁ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରେ ଜୀବନ ହରାଇବାର ଆଶଙ୍କା ରହିଛି। ବିଶେଷକରି ଭାରତ ଓ ପାକିସ୍ତାନରେ ଏହି ସଂଖ୍ୟା ଅଧିକ ହୋଇପାରେ ବୋଲି ୟୁନିସେଫ ଏହାର ଏକ ରିପୋର୍ଟରେ ସତର୍କ କରିଛି। ଜନସ ହକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ ପବ୍ଲିକ ହେଲ୍‌ଥ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନ ଆଧାରରେ ୟୁନିସେଫ ଏହି ରିପୋର୍ଟ ପ୍ରସ୍ତୁତ କରିଛି।

ଦକ୍ଷିଣ ଏସିଆର ୬୦୦ ନିୟୁତ ଶିଶୁଙ୍କ ପ୍ରତି କୋଭିଡ-୧୯ କିଭଳି ବିପଦ ସୃଷ୍ଟି କରିଛି ସେ ସମ୍ବନ୍ଧରେ ପ୍ରସ୍ତୁତ ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତ ଓ ପାକିସ୍ତାନରେ ଶିଶୁମାନେ କରୋନା ସମୟରେ ମିଳିମିଳା ଏବଂ ନିମୋନିଆରେ ପୀଡିତ ହୋଇପାରନ୍ତି। କରୋନା ଯୋଗଁ ବିଶ୍ବରେ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଥିବା ବେଳେ ମିଳିମିଳା ଓ ନିମୋନିଆ ଭଳି ରୋଗର ମୁକାବିଲା ନିମନ୍ତେ ଚାପରେ ରହିଛି। ଏମାନଙ୍କ ମଧ୍ୟରୁ ୧୫୫ ନିୟୁତଶିଶୁ କେବଳ ଭାରତର ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପଟେ ମହାମାରୀ ମୁକାବିଲା ଲାଗି ଲାଗୁ କରାଯାଇଥିବା ଲକଡାଉନ ତଥା ଅନ୍ୟାନ୍ୟ ଯୋଜନା କାରଣରୁ ଶିଶୁମାନେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ୟୁନିସେଫର ଆଞ୍ଚଳିକ ନିର୍ଦେଶକ ଜିନ ଗଫ କହିଛନ୍ତି। ଜରୁରୀ ଭିତ୍ତିରେ ଏହାର ନିରାକରଣ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ କୋଭିଡ-୧୯ ଏହି ଶିଶୁମାନଙ୍କ ଆଶା ଓ ଭବିଷ୍ୟତ ନଷ୍ଟ କରିବ ବୋଲି ସେ ସଚେତନ କରିଛନ୍ତି।

Comments are closed.