ସ୍ବାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ବିରିନ୍ଦାପଡାବାସୀ

ଜି.ଉଦୟଗିରି: ବଣ ପାହାଡ ଘେରା କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିବାଡି ପଞ୍ଚାୟତ ସ୍ଥିତ ବିରିନ୍ଦାପଡା ଗ୍ରାମବାସୀ ସ୍ବାଧୀନତାର ୭୪ ବର୍ଷ ପରେ ବି ତାଙ୍କ ମୌଳିକ ସୁବିଧାରୁ ଅଦ୍ୟାବଧି ବଞ୍ଚତ ଥିବା ଦେଖିବାକୁ ମିଳିଛି। ବିବରଣୀରୁ ପ୍ରକାଶ ଯେ, ସେହି ଗ୍ରାମକୁ ନା ଅଛି ଗମନାଗମନ ସୁବିଧା, ନା ଅଛି ପାନୀୟ ଜଳ ସୁବିଧା। ପାଖାପାଖି ଏକ ବର୍ଷ ତଳେ ସ୍ବେଛାସେବୀ ଅନୁଷ୍ଠାନ ଗୁଞ୍ଜ ଓ ଓ୍ବାର୍ଡ ସହ ସେହି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏକ ବାଉଁଶ ପୋଲ ନିର୍ମାଣ କରାଯାଇଥିଲା। ତଥାପି ପ୍ରଶାସନ ପୋଲ ନିର୍ମାଣର ନାମ ଧରୁନଥିବା ବେଳେ ପୋଲ ନିର୍ମାଣ ହେବ କହି ବର୍ଷକ ଭିତରେ କେବଳ ମାଟି ପରିକ୍ଷା କରାଯାଇଥିବା ଦେଖିବାକୁ ମିଳିଛି।

ଯାତାୟତର ସୁବିଧା ନଥିବାରୁ ସେଠାରେ ଥିବା ଏକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ଅପରପକ୍ଷେ ସରକାର ଘରେଘରେ ପାନୀୟ ଜଳ ସଂଯୋଗ କରିବାକୁ ଡିଣ୍ଡିମ ପିଟୁଥିବା ବେଳେ ସେଠାରେ ମାତ୍ର ଚାରୋଟି କୂଅ ଯୋଗେ ପିଇବା ପାଣିକୁ ଭରସା କରୁଛନ୍ତି। ଯାହାକି ଖରାଦିନେ ଶୁଖି ଯାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଅପରପକ୍ଷେ କୂଅ ବା ଚୁଆ ପାଣି ପିଇବା ନିଷେଧ ଥିବା ବେଳେ ଜୀବନ ବଞ୍ଚାଇବା ସକାଶେ ପିଇବା ପାଣି ନଥିବା ବେଳେ ଜୀବିକା ପାଇଁ ଉଠା ଜଳ ସେଚନ ବ୍ୟବସ୍ଥା ପରିହାସ ଭଳି ଲାଗୁଛି। ପାଖାପାଖି ୨୦୦ ଜନବସତି ବିଶିଷ୍ଟ ବିରିନ୍ଦାପଡା ଗ୍ରାମବାସୀ ଯାତାୟତ କରୁଥିବା ବାଉଁଶ ପୋଲ ବର୍ଷାଦିନେ ବୁଡିଯାଇ ପୋଲ ଉପରକୁ ପ୍ରାୟ ୪ ରୁ ୫ ଫୁଟ ପାଣି ଉଠିଯାଏ, ଫଳରେ ଯାତାୟତ ଠପ ହୋଇଯାଏ। ଦୁଇ ତିନି ଦିନ ପରେ ପାଣି ଶୁଖିଲେ ପୁଣି ଯାତାୟତ ସ୍ବାଭାବିକ ହୁଏ। ଏହି ବର୍ଷା ଦିନରେ କୌଣସି ରୋଗୀ ଭଗବାନଙ୍କୁ ଭରସା କରି ରହିବା ଛଡା ଅନ୍ୟ ଭରସା ନାହିଁ। ଦେଖାଯାଉ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଇ ବିରିନ୍ଦାପଡା ଗ୍ରାମବାସୀଙ୍କ ମୌଳିକ ସୁବିଧାର ସମାଧାନ କରୁଛନ୍ତି ଦେଖିବାର କଥା।

Comments are closed.