ଇମ୍ରାନଙ୍କ ନେତୃତ୍ଵ ସମୟରେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ହେଉଛି, ବିପଦରେ ହିନ୍ଦୁ ଓ ଖ୍ରୀଷ୍ଟିୟାନ: ଜାତିସଂଘ ରିପୋର୍ଟ

ଜାତିସଂଘ: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପ୍ରତି ଅତ୍ୟାଚାର କରାଯାଉଛି। ଫଳରେ ଦେଶରେ ରହୁଥିବା ହିନ୍ଦୁ ଏବଂ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଇମ୍ରାନ ଖାନଙ୍କ ନେତୃତ୍ଵରେ ଦେଶରେ ଧାର୍ମିକ ସ୍ବତନ୍ତ୍ରତାର ସ୍ଥିତି ବାରମ୍ବାର ବିଗିଡିବାରେ ଲାଗିଛି ବୋଲି ଜାତିସଂଘ ଏହାର ରିପୋର୍ଟରେ ଦର୍ଶାଇଛି। ତେହରିକ-ଇ-ଇନସାଫ ସରକାର ଦ୍ବାରା ଭେଦଭାବପୂର୍ଣ୍ଣ ଆଇନ ତିଆରି କରି ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର କରିବା ଲାଗି ଚରମପନ୍ଥୀ ଲୋକଙ୍କୁ ସଶକ୍ତ କରାଇଛି ବୋଲି ରିପୋର୍ଟରେ କୁହାଯାଇଛି।

ଡିସେମ୍ବର ମାସରେ ଜାରି ହୋଇଥିବା ରିପୋର୍ଟରେ ଇସଲାମ ଧର୍ମର ସୁରକ୍ଷା ପାଇଁ ରହିଥିବା ଆଇନର ରାଜନୀତିକରଣ ତଥା ସଶକ୍ତୀକରଣ ଏବଂ ଅବମଦିଆ ବିରୋଧୀ ଆଇନକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ରିପୋର୍ଟରେ କୁହାଯାଇଛି, ଇସଲାମ ସମ୍ପ୍ରଦାୟ ପକ୍ଷରୁ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ଏହି ଆଇନକୁ କେବଳ ବ୍ୟବହାର କରାଯାଉନାହିଁ, ରାଜନୈତିକ ଫାଇଦା ହାସଲ ପାଇଁ ମଧ୍ୟ ବ୍ୟବହାର କରାଯାଉଛି। ଇସଲାମିକ ରାଷ୍ଟ୍ରରେ ଖ୍ରୀଷ୍ଟିୟାନ ଏବଂ ହିନ୍ଦୁ ସମ୍ପ୍ରଦାୟର ମହିଳା ଓ ଯୁବତୀମାନେ ନିର୍ଯାତିତା ଅବସ୍ଥାରେ ରହୁଛନ୍ତି। ପ୍ରତିବର୍ଷ ହଜାର ହଜାର ମହିଳା ଓ ଯୁବତୀଙ୍କୁ ଅପହରଣ କରାଯାଇ ଧର୍ମାନ୍ତରୀକରଣ କରାଯିବା ପରେ ମୁସଲମାନଙ୍କ ସହିତ ବିବାହ କରି ଦିଆଯାଉଛି। ଅପହର୍ତ୍ତାମାନଙ୍କ ଧମକ ଯୋଗୁ ପୀଡ଼ିତା ନିଜ ପରିବାରକୁ ଫେରିବାର ଆଶା ବହୁତ  କମ୍‌ ରହିଥାଏ। ପୁଲିସ କାର୍ଯ୍ୟାନୁଷ୍ଠାନର ଅଭାବ, ନ୍ୟାୟିକ ପ୍ରକ୍ରିୟାରେ ଦୁର୍ବଳତା ଏବଂ ପୀଡ଼ିତାଙ୍କ ସହିତ ଉଭୟ ପୁଲିସ ଏବଂ ନ୍ୟାୟପାଳିକାର ଭେଦଭାବ ଯୋଗୁ ଏଭଳି  ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।

ରିପୋର୍ଟରେ ଜାତିସଂଘ ପକ୍ଷରୁ କେତେକ ଉଦାହରଣ ଦିଆଯାଇଛି। ଗତ ମେ ମାସରେ ସିନ୍ଧ ପ୍ରଦେଶର ମୀରପୁରଖାସରେ ରହୁଥିବା ଜଣେ ହିନ୍ଦୁ ପ୍ରାଣୀ ଚିକିତ୍ସକ କୁରାନ ପୁସ୍ତିକାର କାଗଜରେ ଔଷଧ ଗୁଡ଼ାଇଦେବାରୁ ତାଙ୍କ ବିରୋଧରେ ମୁସଲିମଙ୍କ ଭଗବାନଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ଅଣାଯାଇଥିଲା। ପରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ତାଙ୍କ କ୍ଲିନିକ ସମେତ ସ୍ଥାନୀୟ ହିନ୍ଦୁମାନଙ୍କୁ ଦୋକାନ ଓ ଘର ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ଜାତିସଂଘ ପାକିସ୍ତାନର ଏହି ଆଇନକୁ ବିରୋଧ କରିଛି, ଯାହାକୁ ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଇସଲାମର ଅପମାନ କରିଥିବା ଅଭିଯୋଗ ଆଣି ଅପରାଧୀ ସାବ୍ୟସ୍ତ କରିବାରେ ବ୍ୟବହାର କରାଯାଉଛି। ଆଇନର ଦୁରୁପୋଯୋଗ କରି ସଂଖ୍ୟାଲଘୁଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Comments are closed.