ସେପ୍ଟେମ୍ବର ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୫ ବେଳକୁ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସମ୍ଭାବନା। ଘୁର୍ଣ୍ଣିବଳୟ ସୃଷ୍ଟିର ୪୮ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୁଳ ଛୁଇଁବ। ଏହାର ପ୍ରଭାବରେ ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ୱର ୨୫ ତାରିଖ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବା ୪୮ ଘଣ୍ଟା  ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଓଡ଼ିଶା ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ଏବଂ ଏଥିନେଇ ସତର୍କ ସୂଚନା ଜାରି କରାଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣରେ ବର୍ଷା ଅନୁଭୁତ ହୋଇଛି। ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କିମି ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ସେଥିପାଇଁ ୧୨ଟି ଜିଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହେବ। ସେହିପରି ଆସନ୍ତାକାଲି ପାଇଁ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ କେତେକ ଜିଲା ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Comments are closed.