ଇରାନରେ ବିମାନ ଦୁର୍ଘଟଣାଗ୍ରସ୍ତ,୧୭୦ ଯାତ୍ରୀ ମୃତ

ତେହରାନ: ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ବୁଧବାର ସକାଳେ ଇରାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାାରେ ବିମାନରେ ଥିବା ୧୭୦ ଯାତ୍ରୀ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ବିମାନଟି ଇରାନର ରାଜଧାନୀ ତେହରାନ୍ ସ୍ଥିତ ଇମାମ୍ ଖୁମୈନୀ ବିମାନବନ୍ଦରୁ  ଉଡ଼ାଣ କରିବାର କିଛି ସମୟ ପରେ ହିଁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ତେଣୁ ଏହା ତଳକୁ ଖସି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଦୁର୍ଘଟଣାଗ୍ରସ୍ତ ଏହି ବୋଇଂ ୭୩୭ ବିମାନଟି ୟୁକ୍ରେନ୍ ଇଣ୍ଟରନ୍ୟାସ୍ନାଲ୍ ଏୟାରଲାଇନ୍ସର। ଦୁର୍ଘଟଣା ବେଳେ ବିମାନଟି ୭୯୦୦ ଫୁଟ୍ ଉଚ୍ଚରେ ଉଡ଼ୁଥିଲା। ତେଣୁ ଏହା ତଳକୁ ଖସି ପଡ଼ିବାରୁ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଜୀବିତ ଥିବା ଲୋକଙ୍କ ସନ୍ଧାନ କରିଥିଲେ। ହେଲେ ଏଯାଏ କାହାକୁ ବି ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ପାରିନାହିଁ।

 

ଇରାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମୁଖପାତ୍ର ରେଜା ଜାଫରଜାଦେ କହିଛନ୍ତି, “ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗି ଯାଇଥିଲା। ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯାଇଥିଲେ ବର୍ତ୍ତମାନ ଯାଏଁ କାହାକୁ ବି ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇପାରି ନାହିଁ।  ବିମାନରେ ଲାଗିଥିବା ନିଆଁ ଏତେ ପ୍ରଖର ରହିଥିଲା ଯେ ବିମାନ ନିକଟକୁ ଯିବା ପାଇଁ  ସମ୍ଭବ ହୋଇନଥିଲା। ପୂର୍ବରୁ ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ଇରାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମୁଖପାତ୍ର ରେଜା ଜାଫରଜାଦେ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯାତ୍ରୀ ଓ ବିମାନ ସଦସ୍ୟଙ୍କୁ ମିଶାଇ ବିମାନରେ ମୋଟ ୧୭୦ ଜଣ ଲୋକ ଥିଲେ।

Comments are closed.