ବିଦ୍ୟୁତ ବିଭାଗର ଚାଷୀ ଶୋଷଣ, ପ୍ରତିମାସରେ ଆସୁଛି ମନଇଚ୍ଛା ବିଲ

ଉଖୁଣ୍ଡା: ଚମ୍ପୁଆ ଉପଖଣ୍ଡର ବିଭିନ୍ନ ଗ୍ରାମର ଚାଷୀମାନେ ଚମ୍ପୁଆ ଉପଖଣ୍ଡ ଉଠା ଜଳସେଚନ ବିଭାଗ ତରଫରୁ ଚାଷୀ ମାନେ ନିଜ ଚାଷ ଜମିରେ ଗଭୀର ନଳକୂଅ ଖୋଳି ପରିବା ଚାଷ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚାଷ କରି ପରିବାର ପ୍ରତି ପୋଷଣ ଠିକ୍‍ ଭାବରେ କରି ପାରୁଥିଲେ। ଚାଷୀମାନଙ୍କ ପ୍ରତି ମାସରେ ମିଟର ଯେତିକି ଉଠୁଥିଲା ସେହି ଅନୁପାତରେ ଚାଷୀମାନେ ବିଦ୍ୟୁତ୍‍ ବିଭାଗ ପାଖରେ ପ୍ରତି ମାସରେ ବିଦ୍ୟୁତ୍‍ ବିଲ ପୈଠ କରୁଥିଲେ। ପୂର୍ବରୁ ନେସ୍କା କର୍ତ୍ତୃପକ୍ଷ ପ୍ରତି ମାସରେ ମିଟର ଦେଖି ବିଲ ପ୍ରଦାନ କରୁଥିଲେ କିନ୍ତୁ ନେସ୍କାର କାର୍ଯ୍ୟକାଳ ସରିବା ପରେ ଅନ୍ୟ ଏକ କମ୍ପାନୀ ଏଠାକୁ ନେଇ ପରିଚାଳିତ କରୁଛି। ନୂତନ ଭାବରେ ନେଇଥିବା କମ୍ପାନୀ ଚାଷୀଙ୍କ ଚାଷ ଜମିରେ ଗଭୀର ନଳକୂଅରେ ଲାଗିଥିବା ମିଟର ପାଖକୁ ଯାଉ ନାହାନ୍ତି କିମ୍ବା କେଉଁ ମାସରେ କେତେ ଚାଷୀଙ୍କ ବିଲ ହୋଇଛି ତାର କୌଣସି ତଥ୍ୟ ନନେଇ ପ୍ରତି ମାସରେ ମନଇଚ୍ଛା ବିଲ ଚାଷୀଙ୍କ ପାଖକୁ ପଠାଇ ଦେଇ ଚାଷୀଙ୍କୁ ଶୋଷଣ କରିଚାଲିଛି।

ଚାଷୀଙ୍କ ପାଖକୁ ଗୋଟାଏ ମାସରେ ୬ଶହ ଟଙ୍କାର ବିଲ ଆସିଲା ବେଳେ ଅନ୍ୟ ମାସରେ ଚାଷୀଙ୍କ ପାଖକୁ ୭୫୦ଟଙ୍କାର ବିଲ ଆସୁଛି। ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ଚାଷୀଙ୍କ ବିଲରେ ହୋଇଥିବା ଗଭୀର ନଳକୂଅ ଗୁଡିକରୁ ବ୍ୟବହାର କରୁ ନାହାନ୍ତି। ଗଭୀର ନଳକୂଅର ମୋଟର ନ ଚାଲି ମଧ୍ୟ ଚାଷୀଙ୍କ ପାଖକୁ ପ୍ରତି ମାସରେ ୫ ଶହରୁ ଆରମ୍ଭ କରି ୭ ଶହ ୫୦ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ୍‍ ବିଲ ଆସୁଥିବାରୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି। ଚାଷୀମାନେ ବିଦ୍ୟୁତ୍‍ ବିଭାଗର ମନ ଇଚ୍ଛା ଦର ବୃଦ୍ଧିକୁ ବିରୋଧ କରି ରିମୁଳି ସ୍ଥିତ ବିଦ୍ୟୁତ୍‍ କାର୍ଯ୍ୟାଳୟର ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଚମ୍ପୁଆ ସ୍ଥିତ ଉପଖଣ୍ଡ ବିଦ୍ୟୁତ୍‍ କାର୍ଯ୍ୟାଳୟ. ଯୋଡା କାର୍ଯ୍ୟାଳୟ, କେନ୍ଦୁଝର କାର୍ଯ୍ୟାଳୟ ଠାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଚାଷୀମାନଙ୍କ ଅଭିଯୋଗକୁ ପାଇ ମଧ୍ୟ ବିଦ୍ୟୁତ୍‍ ବିଭାଗ ଅଧିକାରୀ ମାନେ ନିରବ ରହିଛନ୍ତି ବୋଲି ଚାଷୀ ହରିଶ୍ଚନ୍ଦ୍ର ମହାନ୍ତ, ହରେକୃଷ୍ଣ ବାରିକ, ଲମ୍ବୋଦର ମହାନ୍ତ, ବସନ୍ତ ବାରିକ, ସମରା ମୁଣ୍ଡା, ଦୌଲତ ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି।

ଝୁମ୍ପୁରା ଓ ଚମ୍ପୁଆ ବ୍ଲକର ୫୦ରୁ ଉଦ୍ଦ୍ୱର୍ ଚାଷୀଙ୍କ ଦସ୍ତଖତ ରହିଥିବା ଅଭିଯୋଗ ବିଦ୍ୟୁତ୍‍ ବିଭାଗର ଅଧିକାରୀ ପାଖରେ ପଡିଥିଲେ ମଧ୍ୟ ଚାଷୀଙ୍କ ଅଭିଯୋଗକୁ ବିଦ୍ୟୁତ୍‍ ବିଭାଗ କାହିଁକି ଗ୍ରହଣ କରି ଏହାର ସମାଧାନ କରିବା ଦିଗରେ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଠାରେ ପ୍ରଶ୍ନ ଉଠୁଛି। ଚଳିତ ବର୍ଷ ଚାଷୀ ମାନେ ନିଜ ନିଜ ବାଡି ବଗିଚାରେ କରିଥିବା ପରିବା ଚାଷ ଲଘୁଚାପ ବର୍ଷାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଚାଷୀ ମାନେ ବାଡିରେ ହୋଇଥିବା ପନିପରିବାକୁ ବିକ୍ରି କରି ପ୍ରତି ମାସରେ ବିଦ୍ୟୁତ୍‍ ବିଲ ପୈଠ କରିଥାନ୍ତି। ଚାଷୀ ପାଖରେ ବର୍ତ୍ତମାନ ରୋଜଗାର ପନ୍ଥା କିଛି ନଥିବା ବେଳେ କିପରୀ ବିଦ୍ୟୁତ୍‍ ବିଲ ପୈଠ କରିବେ ବୋଲି ଚିନ୍ତାରେ ପଡିଯାଇଛନ୍ତି। ଏପଟେ ବିଦ୍ୟୁତ୍‍ ବିଭାଗର କର୍ମଚାରୀ ମାନେ ଚାଷୀଙ୍କୁ ବିଦ୍ୟୁତ୍‍ ବିଲ ପୈଠ କରିବା ପାଇଁ ତାଗିଦ କରିଚାଲିଛନ୍ତି। ବିଦ୍ୟୁତ୍‍ ବିଲ ପୈଠ ନକଲେ ବିଦ୍ୟୁତ୍‍ ସଂଯୋଗ କାଟି ଦେବାକୁ ଧକମ ଦେଇଛନ୍ତି। ବିଦ୍ୟୁତ୍‍ ବିଭାଗ ଚାଷୀଙ୍କ ପାଖକୁ ମନଇଚ୍ଛା ବିଦ୍ୟୁତ୍‍ ପଠାଇବା ବନ୍ଦ ନ କଲେ ଆଗାମୀ ଦିନରେ ଚାଷୀ ମାନେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚାଷୀ ମାନେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

Comments are closed.