ଅନୁମୋଦିତ କୋଭିଡ ଟିକା ତାଲିକାରେ କୋଭାକ୍ସିନକୁ ସାମିଲ କଲା ବ୍ରିଟେନ

ଲଣ୍ଡନ: ବ୍ରିଟେନର ଅନୁମୋଦିତ କୋଭିଡ ପ୍ରତିଷେଧକ ଟିକା ତାଲିକାରେ ଚୀନର ସିନୋଭାକ, ସିନୋଫାର୍ମ ଏବଂ ଭାରତର କୋଭାକ୍ସିନକୁ ସାମିଲ କରାଯାଇଛି । ଏଣିକି ଏହିସବୁ ଟିକା ନେଇଥିବା ବିଦେଶୀ ନାଗରିକମାନେ ବି୍ରଟେନ ଯିବାରେ ଆଉ ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଦୀର୍ଘ ଏକମାସର ପ୍ରତୀକ୍ଷା ପରେ ଶେଷରେ ବ୍ରିଟେନ ସରକାର ଭାରତ ନିର୍ମିତ କୋଭାକ୍ସିନ ଟିକାକୁ ଅନୁମତି ପ୍ରଦାନ କରିଥିବାରୁ ଭାରତୀୟମାନେ ବ୍ରିଟେନ ଗସ୍ତ କରିବାରେ ଆଉ ଅସୁବିଧା ରହିବ ନାହିଁ ବୋଲି କୁହାଯାଇଛି । ଭାରତୀୟ କମ୍ପାନୀ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକା ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ବ୍ରିଟେନ ସରକାର ଚଳିତ ନଭେମ୍ବର ୨୨ ତାରିଖରୁ ସ୍ୱୀକୃତି ପ୍ରଦାନ କରୁଥିବା ଏକ ସରକାରୀ ବିବୃତିରେ କୁହାଯାଇଛି । ଭାରତ ସମେତ ସଂଯୁକ୍ତ ଆରବ ଏମିରେଟ୍ସ, ମାଲୟେସିଆ ଆଦି ରାଷ୍ଟ୍ରରୁ ସିନୋଭାକ, ସିନୋଫାର୍ମ ଏବଂ କୋଭାକ୍ସିନ ଟିକାର ସମ୍ପୂର୍ଣ୍ଣ ମାତ୍ରା ନେଇସାରିଥିବା ଯାତ୍ରୀ ଆଗାମୀ ୨୨ ତାରିଖରୁ ବ୍ରିଟେନ ଆସିପାରିବେ ବୋଲି କୁହାଯାଇଛି । ଫଳରେ ସେମାନଙ୍କୁ ଆଉ ଯାତ୍ରାରମ୍ଭ ପୂର୍ବରୁ କୋଭିଡ ପରୀକ୍ଷା, ବ୍ରିଟେନରେ ପହଞ୍ଚିବା ପରେ ଏକାନ୍ତ ବାସ ଅଥବା ଅଷ୍ଟମ ଦିନରେ ପୁନଃ ପରୀକ୍ଷା ଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ସେମାନଙ୍କୁ କେବଳ ବ୍ରିଟେନରେ ପହଞ୍ଚିବାର ଦ୍ୱିତୀୟ ଦିନରେ ଲାଟେରାଲ ଫ୍ଲୋ ପରୀକ୍ଷା କରାଇବେ । ଚଳିତ ମାସ ୨୨ରୁ ଏହିସବୁ ଟିକା ସମେତ ଫାଇଜର ବାୟୋଏନଟେକ, ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା (କୋଭିଶିଲ୍ଡ ସମେତ), ମଡର୍ଣ୍ଣା ଏବଂ ଜାନସେନ (ଜନସନ ଆଣ୍ଡ ଜନସନ) ଆଦି ଟିକାକୁ ସ୍ୱୀକୃତି ମିଳିବାକୁ ଯାଉଛି ।

Comments are closed.