ବ୍ରିଟେନରେ କରୋନା ନିୟନ୍ତ୍ରଣହୀନ; ଭାରତ ସହ ୬ ଦେଶ ବାତିଲ କଲେ ବିମାନ ଚଳାଚଳ

ନୂଆଦିଲ୍ଲୀ : ବ୍ରିଟେନରେ କରୋନା ଏବେ ନିୟନ୍ତ୍ରଣହୀନ । କିଛିଦିନ ପରେ ପୁଣି ଥରେ କରୋନା ମେଲାଇଛି ତାର କାୟା । କରୋନାର ନୂତନ ରୂପ ବ୍ରିଟେନ ଅନୁଭବ କରୁଥିବା ଖୋଦ ସେଠାକାର ସରକାର ସ୍ବୀକାର କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଲଣ୍ଡନ ସହ ଦେଶର କିଛି ଅଞ୍ଚଳରେ ଲକଡ଼ାଉନ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆସନ୍ତାକାଲିଠାରୁ ଡ଼ିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଭାରତ ଅଭିମୁଖେ ଆସିବାକୁ ଥିବା ସବୁ ବିମାନର ଉଡ଼ାଣକୁ ବାତିଲ କରିଛନ୍ତି । କେବଳ ଭାରତ ସରକାର ନୁହନ୍ତି, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ବେଲଜିୟମ, ଅଷ୍ଟ୍ରିଆ ଏବଂ ଇଟାଲୀ ସରକାର ମଧ୍ୟ ବ୍ରିଟେନକୁ ବିମାନ ଯାତାୟତ ଉପରେ କଟକଣା ଲଗାଇଛନ୍ତି ।
ସୂଚନା ଅନୁସାରେ ବ୍ରିଟେନରେ କରୋନା ଭୂତାଣୁର ଏକ ନୂଆ ଷ୍ଟ୍ରେନ୍ ଠାବ କରାଯାଇଛି । ପୂର୍ବରୁ ଏସ୍, ଏଲ୍ ଷ୍ଟ୍ରେନ୍ ପରି କରୋନା ଭୂତାଣୁ ଠାବ ହୋଇଥିଲା, ମାତ୍ର ଏହି ନୂତନ ଗୁଣଧାରୀ ଷ୍ଟ୍ରେନ୍ ପ୍ରଥମଥର ପାଇଁ ବ୍ରିଟେନରେ ଠାବ ହୋଇଛି । ଏହା ପୂର୍ବ ଭୂତାଣୁ ତୁଳନାରେ ଶକ୍ତିଶାଳୀ କି ଦୁର୍ବଳ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଏହି ସ୍ଥିତିରେ ଭାରତ ସରକାର ଭାରତକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଆସନ୍ତା କାଲି ଅର୍ଥାତ୍ ମଙ୍ଗଳବାର ରାତି ୧୨ଟାରୁ ଡ଼ିସେମ୍ବର ୩୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବ୍ରିଟେରୁ ଭାରତକୁ ବା ଭାରତରୁ ବ୍ରିଟେନକୁ କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।ଅନ୍ୟପକ୍ଷରେ ଆଜି ରାତିରେ ବା ଆସନ୍ତାକାଲି ମଧ୍ୟରାତ୍ରି ମଧ୍ୟରେ ଯେଉଁ ଯାତ୍ରୀମାନେ ଭାରତ ଆସିବେ ସେମାନଙ୍କର ଆରଟି-ପିସିଆର୍ ପରୀକ୍ଷା ହେବ। ଏହାପରେ ଯାତ୍ରୀମାନଙ୍କୁ ବିମାନବନ୍ଦରରୁ ବାହାରକୁ ଯିବାକୁ ଅନୁମତି ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ କିଛିଦିନ ତଳେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବ୍ରିଟେନରେ ଦେଖା ଯାଉଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଅତ୍ୟନ୍ତ ଘାତକ ବୋଲି ଉଲ୍ଲେଖ କରି ଏହା ସୁପର େସ୍ପ୍ରଡ଼ର ପରି କାମ କରୁଥିବା କହିଥିଲେ । ସେଥିପାଇଁ ବ୍ରିଟେନକୁ ବିମାନ ଚଳାଚଳ ନ କରିବା ପାଇଁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଅନୁରୂପ ଭାବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ କେଜରିୱାଲଙ୍କୁ ସମର୍ଥନ କରିବା ସହ ଭାରତ ସରକାର ଏ ଦିଗରେ ସକାରାତ୍ମକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ବ୍ରିଟେନରେ କରୋନାଙ୍କ ନୂଆ ଷ୍ଟ୍ରେନ୍ ଖବର ଚିନ୍ତାଜନକ, ଭାରତ ସରକାର ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ତୁରନ୍ତ ବ୍ରିଟେନ, ଅନ୍ୟ ୟୁରୋପୀୟ ଦେଶରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍ ବୋଲି ସେ କହିଥିଲେ ।