ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ୟୁଜିସି ଟିମର ପରିଦର୍ଶନ

ଖଡିଆଳ : ନୂଆପଡା ଜିଲା ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ୟୁଜିସି ପିଅର୍ ଟିମ ୨ ଦିନିଆ ଗସ୍ତରେ ଆସି ପରିଦର୍ଶନ କରିଛନ୍ତି। ସ୍ୱୟଂଶାସିତ ମାନ୍ୟତାର ସଂପ୍ରସାରଣ ପାଇଁ ୬ ଜଣିଆ ଟିମର ଚେୟାରମ୍ୟାନ ଭାବରେ ଏମଡି ବିଶ୍ୱ ବିଦ୍ୟାଳୟ ରୋତକ୍ର ପୂର୍ବତନ କୁଳପତି ପ୍ରଫେସର ବି.କେ.ପୁନିଆ, ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗ ପ୍ରଫେସର ଏସ.ଏସ. ସିଂହ, ଗୁରୁ ଘାସିଦାସ ବିଶ୍ୱ ବିଦ୍ୟାଳୟ ବିଲାସପୁରର ଡଃ ଦେବେନ୍ଦ୍ରନାଥ ବର୍ମା, ରାୟପୁର ସରକାରୀ ନାଗାର୍ଜୁନ ପିଜି ବିଶ୍ୱ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସଞ୍ଜନ କୁମାର ସାହୁ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରତିନିଧି ପି. ଗୁରୁ, ରାଜ୍ୟ ସରକାରଙ୍କ ପ୍ରତିନିଧି ଡଃ ନରେଶ କୁମାର ଶର୍ମା ୟୁଜିସି ଅଣ୍ଡର ସେକ୍ରେଟାରୀ ଭାବରେ ମହାବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷା ଅନୁପମା ପାଢୀଙ୍କ ନେତୃତ୍ୱରେ ସମସ୍ତ ବିବରଣୀ ଅବଗତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟର ସମସ୍ତ ବିଭାଗ ପରିଦର୍ଶନ, ସମସ୍ତ କର୍ମଚାରୀଙ୍କ ସହ ସାକ୍ଷାତକାର କରିଥିଲେ। ଏଥିରେ ଲାଇବ୍ରେରୀ, ଲାବୋରେଟରୀ, ଜିମ୍, ହଷ୍ଟେଲ, ପାଠାଗାର ପ୍ରଭୃତି ପରିଦର୍ଶନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ମହାବିଦ୍ୟାଳୟର ସମସ୍ତ ନଥିପତ୍ର ତଦାରଖ କରିଥିଲେ। ଏହି ପରିଦର୍ଶନ ବେଳେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ।