ରାଜେନ୍ଦ୍ର ମହାବିଦ୍ୟାଳୟକୁ ୟୁଜିସିର ବିଶ୍ୱବିଦ୍ୟାଳୟ ମାନ୍ୟତା

ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ମହାବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍) ଅନୁଯାୟୀ ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ଶୁକ୍ରବାର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି।
୨୦୨୦ରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ରାଜ୍ୟ ମାନ୍ୟତା ମିଳିଥିଲା । ନୂଆ ଶିକ୍ଷା ନୀତି ଅନୁସାରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହା ନିଶ୍ଚିତ ଭାବରେ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନୂଆ ଶିକ୍ଷା ନୀତିରେ ଉଲ୍ଲେଖ ଥିବା ଗୁଣାତ୍ମକ ଶିକ୍ଷା ଉପଲବ୍ଧି କରିବ ବୋଲି ସେ ଆଶା ପୋଷର କରୁଛନ୍ତି ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କଲେ ୟୁଜିସି ଅଧିନିୟମ ୧୯୫୬ ର ଧାରା ୧୨(ବି) ରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ। ଏହା ବିଶ୍ୱବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ସହାୟକ ହେବ।
ବିଶ୍ୱବିଦ୍ୟାଳୟ ମାନ୍ୟତାକୁ ନେଇ ଗଣମାଧ୍ୟମରୁ ଜାଣିବା ସହ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହ ଦେଓ, ରାଜ୍ୟସଭା ସାଂସଦ ସୁବାସ ସିଂହ ଓ ମୁଜିବୁଲା ଖାନ ଓ ମମତା ମହାନ୍ତ ଏବଂ  ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଏ ନେଇ ତାଙ୍କୁ ଅବଗତ କରାଇଥିଲେ। ତେବେ ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ୟୁଜିସି ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.