ସିୟୁଇଟି ସହ ମିଶିବ ନିଟ୍‌, ଜେଇଇ

ନୂଆଦିଲ୍ଲୀ : ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ହେଉଥିବା ଅଲଗା ଅଲଗା ପ୍ରବେଶିକା ପରୀକ୍ଷାକୁ ଏକତ୍ର କରିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଯୋଜନା କରିଛନ୍ତି । ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଜେଇଇ ଓ ଡାକ୍ତରୀ ପାଠ୍ୟକ୍ରମ ନିଟ୍‌ ନାମରେ ଅଲଗା ଅଲଗା ପ୍ରବେଶିକା ପରୀକ୍ଷା ହେଉଛି। ଏହି ଦୁଇଟି ପ୍ରବେଶିକା ପରୀକ୍ଷାକୁ ଆଗାମୀ ଦିନରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ- ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ସହିତ ମିଶ୍ରଣ କରାଯାଇ ଗୋଟିଏ ପ୍ରବେଶିକା ପରୀକ୍ଷା କରାଯିବ। ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ଭଳି ବିଷୟ ପରିବର୍ତ୍ତେ ତିନିଟି ବିଷୟରେ ପ୍ରବେଶିକା ପରୀକ୍ଷା ଦେବେ। ପିଲାମାନେ ଗୋଟିଏ ଥର ପ୍ରବେଶିକା ପରୀକ୍ଷା ଦେଇ ବିଭିନ୍ନ ବିଷୟରେ ନାମଲେଖା ନିମନ୍ତେ ଯୋଗ୍ୟତା ହାସଲ କରିବେ । ଏ ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗ ଆବଶ୍ୟକ ନିୟମ ପ୍ରଣୟନ ନିମନ୍ତେ ବିଭିନ୍ନ ଅଂଶୀଦାରଙ୍କୁ ନେଇ କମିଟି ଗଠନ କରିବାର ଯୋଜନା କରିଛି। ପ୍ରତିବର୍ଷ ପ୍ରାୟ ୪୩ ଲକ୍ଷ ଛାତ୍ରଛାତ୍ରୀ ନିଟ୍ ଓ ଜେଇଇ ଓ ସିୟୁଇଟି ପରୀକ୍ଷା ଦେଉଥିବାବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ତିନିଟି ଯାକ ପ୍ରବେଶିକା ପରୀକ୍ଷା ଦେଉଛନ୍ତି । ଏପରି କ୍ଷେତ୍ରରେ ତିନିଟି ଯାକ ପ୍ରବେଶିକା ପରୀକ୍ଷାର ମିଶ୍ରଣକୁ ୟୁଜିସି ଗୁରୁତ୍ବ ଦେଉଛି। ତେବେ ଜେଇଇ କ୍ଷେତ୍ରରେ ତିନିଟି ବିଷୟ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ ପରୀକ୍ଷା ଦେବାକୁ ହେବ। ମାତ୍ର ନିଟ୍ କ୍ଷେତ୍ରରେ ଗଣିତ ବଦଳରେ ଜୀବ ବିଜ୍ଞାନ ବିଷୟରେ ପରୀକ୍ଷା ଦେବାକୁ ହେବ।
ଦୁଇଟି ପ୍ରବେଶିକା ପରୀକ୍ଷା ମିଶ୍ରଣର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ୟୁଜିସି ଅଧ୍ୟକ୍ଷ କହିଛନ୍ତି ଯେ ପିଲାମାନେ ଏକାଧିକ ପରୀକ୍ଷା ଦେବା ଦ୍ବାରା ମାନସିକ ଚାପରେ ରହୁଛନ୍ତି । ତେଣୁ ପିଲାଙ୍କ ମାନସିକ ଚାପ ହ୍ରାସ କରିବା ପାଇଁ ଗୋଟିଏ ପ୍ରବେଶିକା ପରୀକ୍ଷା କରାଯିବ। ଦ୍ବିତୀୟତଃ ପରୀକ୍ଷା ଆୟୋଜନ ନିମନ୍ତେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ହ୍ରାସ କରିବା ଦିଗରେ ଏହା ସହାୟକ ହେବ।

Comments are closed.