ୟୁଏଫଓକୁ ଠାବକଲା ଆମେରିକୀୟ ଜାହାଜ ; ସମୁଦ୍ର ଜଳରାଶିରେ ଅଦୃଶ୍ୟ ହୋଇଗଲା

ନ୍ୟୁୟର୍କ: ଆମେରିକା ଏବଂ ୟୁରୋପର କେତେକ ଭାଗରେ ୟୁଏଫଓ (ଅନ୍‍ ଆଇଡେଣ୍ଟିଫାଏଡ ଫ୍ଲାଇଂ ଅବଜେକ୍ଟ) ଏବଂ ଏଲିଅନ ଦୃଶ୍ୟମାନ ହେବାନେଇ ଅନେକ ଥର ଖବର ଲୋକଙ୍କ ନିକଟକୁ ଆସିଛି। ଏପରିକି ସେମାନଙ୍କ ଚିତ୍ର ଓ ଭିଡିଓ ମଧ୍ୟ ଉତ୍ତୋଳନ କରାଯାଇଛି। ତଥାପି ଏହା ଏପର୍ଯ୍ୟନ୍ତ ପୃଥିବୀବାସୀଙ୍କ ପାଇଁ ବିସ୍ମୟ ହୋଇ ରହିଛି। ୨୦୧୯ରେ ଆମେରିକାର ଏକ ଯୁଦ୍ଧ ଜାହାଜ ଏହିଭଳି ଏକ ୟୁଏଫଓକୁ ଠାବ କରିବା ସହିତ ତାହାର ଭିଡିଓ ଚିତ୍ର ମଧ୍ୟ ଉତ୍ତୋଳନ କରିବାରେ ସମର୍ଥ ହୋଇଥିଲା, ଯାହା ଏବେ ଗଣମାଧ୍ୟମରେ ପ୍ରସାରିତ ହେଉଛି। ୟୁଏସଏସ ଓମାହାର କମ୍ବାଟ ଇନଫର୍ମେସନ ସେଣ୍ଟର (ସିଆଇସି) ପକ୍ଷରୁ ସାନ୍‍ ଡିଏଗୋ ଉପକୂଳରେ ଉତ୍ତୋଳନ କରାଯାଇଥିବା ଏହି ଭିଡିଓ ଚିତ୍ରରେ ୟୁଏଫଓ କିଛି ସମୟ ଆକାଶମାର୍ଗରେ ତୀବ୍ର ବେଗରେ ଗତି କରୁଥିବା ଏବଂ ପରେ ସମୁଦ୍ରର ଜଳରାଶି ମଧ୍ୟକୁ ପ୍ରବେଶ କରି ଅଦୃଶ୍ୟ ହୋଇଯାଉଥିବା ଦେଖିବାକୁ ମିଳିଛି। ଉକ୍ତ ଭିଡିଓକୁ ଚଳିତ ମାସ ୧୪ ତାରିଖରେ ସାମାଜିକ ଗଣମାଧ୍ୟମରେ ଛଡାଯାଇଛି। ଅନୁସନ୍ଧାନକାରୀ ଚଳଚ୍ଚିତ୍ର ନିର୍ମାତା ଜେରେମି କର୍ବେଲ କହିଛନ୍ତି, ଗୋଲାକୃତି ଦେଖାଯାଉଥିବା ୟୁଏଫଓ ଏକ ମଧ୍ୟମ ଧରଣର ଯାନ ଭଳି ଦେଖାଯାଉଛି। ଏହାର ଗୋଲେଇ ପ୍ରାୟ ୬ ଫୁଟ ଥିଲା ଏବଂ ତାହା ଘଣ୍ଟା ପ୍ରତି ୪୬ରୁ ୧୫୮ ମାଇଲ ବେଗରେ ଗତି କରୁଥିଲା। କିଛି ସମୟ ପାଇଁ ଏହା ଆକାଶ ମାର୍ଗରେ ଗତିକରିବା ପରେ ସମୁଦ୍ର ଜଳରାଶି ମଧ୍ୟକୁ ଅକ୍ଷତ ଅବସ୍ଥାରେ ହଠାତ୍‍ ପ୍ରବେଶ କରିଥିଲା। ପେଣ୍ଟାଗନ ଏହି ଭିଡିଓ ଚିତ୍ର ଆମେରିକୀୟ ଯୁଦ୍ଧ ଜାହାଜରେ ଉତ୍ତୋଳନ କରାଯାଇଥିବା ସ୍ପଷ୍ଟ କରିଥିଲେ ମଧ୍ୟ ସେ ସମ୍ପର୍କରେ ଅଧିକ କିଛି ତଥ୍ୟ ଦେଇନାହିଁ।

Comments are closed.