କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟଙ୍କ ସୂଚନା : ଓଡ଼ିଶାରେ ଆଉ ୩ ବିମାନବନ୍ଦର

ଝାରସୁଗୁଡ଼ା/ଲଖନପୁର : ଓଡ଼ିଶାରେ ଆଉ ୩ଟି ନୂଆ ବିମାନ ବନ୍ଦର ସ୍ଥାପନ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଏଠାରେ ସୂଚନା ଦେଇଛନ୍ତି।
ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅନୁଷ୍ଠିତ ଉଡ଼ାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ କୋଭିଡ ସମୟରେ ସମଗ୍ର ଦେଶରେ ବିମାନସେବା ଗୁରୁତର ପ୍ରଭାବିତ ହୋଇଥିଲା । ଦିଲ୍ଲୀରେ ଏହା ୮୨ ପ୍ରତିଶତ ଓ ମୁମ୍ବଇରେ ୯୦ ପ୍ରତିଶତ ପ୍ରଭାବିତ ହୋଇଥିବା ଝାରସୁଗୁଡ଼ା ବିମାନ ବନ୍ଦର ମାତ୍ର ୫ ପ୍ରତିଶତ ପ୍ରଭାବିତ ହୋଇଥିଲା। ସେ ଦୃଷ୍ଟିରୁ ଝାରସୁଗୁଡ଼ା ବିମାନବନ୍ଦର ତାରକା ପ୍ରଦର୍ଶନକାରୀ (ଷ୍ଟାର ପର୍‌ଫର୍ମର) ଭାବେ ଉଭା ହୋଇଛି । ଝାରସୁଗୁଡ଼ା ବିମାନବନ୍ଦର ଭଳି ଜୟପୁର ଓ ଉତକେଲାକୁ ବିମାନ ଅବତରଣ ପଡ଼ିଆକୁ ମଧ୍ୟ ‘ଉଡ଼ାନ’ ଯୋଜନାରେ ଯୋଡ଼ି ହେବେ। ତେଣୁ ଶୀଘ୍ର ପ୍ରସ୍ତାବ ପଠାଇବାକୁ ସେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଅନୁରୋଧ କରାଯାଇଛି। ପୁରୀରେ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦର ସ୍ଥାପନ ପାଇଁ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଇଛନ୍ତି। ଓଡ଼ିଶା ସରକାର ଏ ଦିଗରେ ଶୀଘ୍ର ପଦକ୍ଷେପ ନେଲେ ପୁରୀରେ ଭବ୍ୟ ବିମାନବନ୍ଦର ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ। ଝାରସୁଗୁଡ଼ା ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ବିକାଶ କାମ ସରିଛି। ‌ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ୧୮୦ ଏକର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଜମି ମିଳିଲେ ବିମାନବନ୍ଦର ଉନ୍ନୟନ ପ୍ରାଧିକରଣ(ଏଏଆଇ) ଦ୍ବିତୀୟ ପର୍ଯ୍ୟାୟ ବିକାଶ ଆରମ୍ଭ କରିବ। ଝାରସୁଗୁଡ଼ାକୁ ‘କୃଷି ଉଡ଼ାନ’ ଯୋଜନାରେ ସାମିଲ କରି କୃଷି କ୍ଷେତ୍ରରେ ବିମାନ ସେବା ବ୍ୟବସ୍ଥାକୁ ଉପଯୋଗ କରାଯିବ। ଏହାର ଲାଭ ଚାଷୀଙ୍କୁ ମିଳିବ।
୨୦୧୪ ସୁଦ୍ଧା ଦେଶରେ ମାତ୍ର ୭୪ଟି ବିମାନବନ୍ଦର ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁ ଗତ ୬ ବର୍ଷରେ ‌ଆହୁରି ୬୨ଟି ନୂଆ ବିମାନବନ୍ଦର ସ୍ଥାପନ କରାଯାଇଛି। ଏହା ଫଳରେ ଦେଶରେ ବିମାନବନ୍ଦର ସଂଖ୍ୟା ୧୩୬କୁ ବୃଦ୍ଧି ପାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ଏହାକୁ ୨୨୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ଅଛି।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ‘ଉଡ଼ାନ’ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଲାଏନ୍ସ ଏୟାର ଆରସିଏସ୍‌ ଉଡ଼ାନ ବିମାନ ଯାତ୍ରା ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି। ଆର୍ସିଏସ୍‌ ଉଡ଼ାନ ଯୋଜନାରେ ଝାରସୁଗୁଡ଼ା ବିମାନ ବନ୍ଦର ଉଲ୍ଲେଖନୀୟ ପ୍ରଦଶର୍ନ କରିଥିବାରୁ କେନ୍ଦ୍ର ମନ୍ତ୍ରଣାଳୟ ଏହାକୁ ନୋଡାଲ ବିମାନ ବନ୍ଦର ଭାବେ ଗ୍ରହଣ କରିଛି। ତେଣୁ ଝାରସୁଗୁଡ଼ା ବିମାନ ବନ୍ଦରରେ ମୁଖ୍ୟ ଉଡ଼ାନ ଉତ୍ସବ ଆୟୋଜିତ ହୋଇଥିଲା। ଝାରସୁଗୁଡ଼ା ଓ ଦେଶର ଅନ୍ୟାନ୍ୟ ସ୍ଥାନରୁ ଆର୍ସିଏସ୍‌ ଉଡ଼ାନ ‌ଯୋଜନାର ନୂଆଁ ରୁଟରେ ବିମାନ ସେବା ଆରମ୍ଭ କରାଯିବା ସହ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଶ୍ରେଷ୍ଠ ବିମାନ ବନ୍ଦର ଓ ଏୟାର ଲାଇନ୍ସକୁ ସମ୍ବର୍ଦ୍ଧିତ କରାଯାଇଛି।
ଏହି ସମାରେହରେ ମନ୍ତ୍ରୀ ଜ୍ୟୋତିରାଦିତ୍ୟଙ୍କ ସହିତ ବେସାମରିକ ବିମାନ ଚଳାଚଳ ବିଭାଗ ସଚିବ ରାଜୀବ ବଂଶଲ, ଯୁଗ୍ମ ସଚିବ ଉଷା ପାଢ଼ୀ, ଭାରତୀୟ ବିମାନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର, ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ପରିବହନ ଆୟୁକ୍ତ ମଧୁସୂଦନ ପାଢ଼ୀ, ବରଗଡ଼ ସାଂସଦ ସୁ​‌େ​‌ରଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ପୂର୍ବତନ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ଝାରସୁଗୁଡ଼ା ଜିଲାପାଳ ସରୋଜ ସାମଲ, ସୁନ୍ଦରଗଡ଼ ସଦର ବିଧାୟିକା କୁଶୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ବିମାନ ବନ୍ଦର ନିର୍ଦ୍ଦେଶକ ପବନ କୁମାର ଯୁତ୍‌ସୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶର ବିଭିନ୍ନ ବିମାନ ବନ୍ଦରରୁ ଆର୍ସିଏସ୍‌ ଉଡ଼ାନ ଯୋଜନାରେ ପ୍ରଥମ ଥର ଲାଗି ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସହ ମନ୍ତ୍ରଣାଳୟ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗାଯୋଗ କରି ପ୍ରତିକ୍ରିୟା ନେଇଥିଲା। ଉଡ଼ାନ ଯୋଜନାର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଆକଳନ ରିପୋର୍ଟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ‘ଉଡ଼ାନ’ ବିବରଣୀ ପୁସ୍ତିକା ଓ ‘ଉଡ଼ାନ ଇଣ୍ଡିଆ ଆଟ୍‌ ଦ ରେଟ୍‌ ୭୫’ ଲୋଗୋକୁ ମନ୍ତ୍ରୀ ଶ୍ରୀ ସିନ୍ଧିଆ ଉନ୍ମୋଚନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆଙ୍କ ସହ ୭୫ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକ ଓ ବେଲପାହାଡ଼ସ୍ଥିତ ଠକ୍କର ବାପା ସେବା ସଦନର ଶିଶୁମାନଙ୍କୁ ମିଶାଇ ୪୫ ଜଣ ବିମାନରେ ଭ୍ରମଣ କରିଥିଲେ। ମନ୍ତ୍ରୀ ଶ୍ରୀ ସିନ୍ଧିଆ କର୍ଣ୍ଣାଟକର ବେଲଗାମୀ, ରାଜସ୍ଥାନର କିଶନଗଡ଼, ଆସାମର ରୁପ୍ସି, ଉତ୍ତର ପ୍ରଦେଶର ଇନ୍ଦୋର, କର୍ଣ୍ଣାଟକର ବିଦ୍ୟାନଗର ବିମାନବନ୍ଦରର ଅଧିକାରୀ ଓ ଯାତ୍ରୀଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ। ବିଭାଗୀୟ ଯୁଗ୍ମ ସଚିବ ଉଷା ପାଢ଼ୀ କହିଛନ୍ତି ଯେ କୋଭିଡ ସମୟରେ ଝାରସୁଗୁଡ଼ାରୁ ବନ୍ଦ ହୋଇଥିବା ସମସ୍ତ ବିମାନ ସେବାକୁ ‌ଶୀଘ୍ର ଆରମ୍ଭ କରାଯିବ। ଏ ଦିଗରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ସରିଛି। ସଭାକୁ ଡ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ। ଭାରତୀୟ ବିମାନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ସ୍ୱାଗତ ଅଭିଭାଷଣ ଦେଇଥିଲେ।

Comments are closed.