ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପଙ୍କ ଗଣତି ବନ୍ଦ ଆବେଦନ ଖାରଜ

ୱାଶିଂଟନ(ଡିସି): ଆମେରିକାରେ ଏ ପର୍ଯ୍ୟନ୍ତ ହାର-ଜିତ୍‌ର ଫଇସଲା ହୋଇ ପାରି ନାହିଁ। ଭାରତୀୟ ସମୟ ଶୁକ୍ରବାର ସଂଧ୍ୟା ୫ଟା୪୫ ଅନୁଯାୟୀ ୱାଶିଂଟନ ଡିସିର ୩ ଇଲେକ୍ଟର୍ସଙ୍କୁ ମିଶାଇଲେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନଙ୍କୁ ବହୁମତ ୨୭୦ରୁ ଅଧିକ ୧୯ଟି ଅର୍ଥାତ୍‌ ୨୮୯ଟି ଆସନ ମିଳିପାରେ। ସେହିପରି ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୪୯ ଇଲେକ୍ଟର୍ସଙ୍କ ସମର୍ଥନ ମିଳିପାରେ। ରାଷ୍ଟ୍ରପତି ପଦ ଭାବେ ନିର୍ବାଚିତ ହେବା ପାଇଁ ମୋଟ ୫୩୮ରୁ ୨୭୦ ଇଲେକ୍ଟର୍ସଙ୍କ ସମର୍ଥନ ଆବଶ୍ୟକ। ଜର୍ଜିଆ, ପେନସିଲଭାନିଆ, ନେଭାଡା ଓ ଆରିଜୋନାର ଇଲେକ୍ଟର୍ସଙ୍କ ଉପରେ ବିଶ୍ବବାସୀଙ୍କ ନଜର । ଜର୍ଜିଆରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ କମ ଥିବାରୁ ଏଠାରେ ପୁନଃ ଗଣତି କରାଯିବ ବୋଲି ସେକ୍ରେଟାରୀ ଅଫ ଷ୍ଟେଟ ବ୍ରାଣ୍ଡ ରଫନସ୍ପର୍ଗର କହିଛନ୍ତି।

୫୦ରୁ ୫ଟି ରାଜ୍ୟରେ ନିର୍ବାଚନ ଫଳାଫଳ ଅଟକି ରହିଛି। ପେନସିଲଭାନିଆ (୨୦ ଇଲେକ୍ଟର୍ସ) ଓ ନର୍ଥ କାରୋଲିନା (୧୫ ଇଲେକ୍ଟର୍ସ), ଏହିପରି ୩୫ଟି ଆସନରେ ଟ୍ରମ୍ପ ଆଗୁଆ ଅଛନ୍ତି। ପୂର୍ବରୁ ସେ ୨୧୪ଟି ଆସନରେ ବିଜୟ ଲାଭ କରି ସାରିଛନ୍ତି। ତେଣୁ ତାଙ୍କୁ ସମୁଦାୟ ୨୪୯ ଇଲେକ୍ଟର୍ସ ମିଳିପାରେ । ସେହିପରି ବାଇଡେନ ପୂର୍ବରୁ ୨୫୩ଟି ଆସନରେ ବିଜୟ ଲାଭ କରି ସାରିଛନ୍ତି। ଏବେ ଜର୍ଜିଆ (୧୬ ଇଲେକ୍ଟର୍ସ), ଆରିଜୋନା (୧୧ ଇଲେକ୍ଟର୍ସ), ନେଭେଡା (୬ଇଲେକ୍ଟର୍ସ) ଓ ୱାଶିଂଟନ ଡିସି (୩ ଇଲେକ୍ଟର୍ସ) ଆଦି ୩୬ଟି ଆସନରେ ସେ ଆଗୁୁଆ ଅଛନ୍ତି। ତେଣୁ ତାଙ୍କୁ ସମୁଦାୟ ୨୮୯ ଇଲେକ୍ଟର୍ସ ମିଳିପାରେ। ଏହି ସଂଖ୍ୟା ବହୁମତ ୨୭୦ରୁ ରୁ ୧୯ ଅଧିକ। ତେଣୁ ସେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଆସନ୍ତା ବର୍ଷ ଜାନୁୁଆରୀ ୨୦ ତାରିଖରେ ଶପଥ ଗ୍ରହଣ କରିପାରନ୍ତି।
ନିର୍ବାଚନ ଫଳାଫଳକୁ ଦେଖି ଟ୍ରମ୍ପ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ସାମାଜିକ ଗଣମାଧ୍ୟମ ଓ ଦେଶର କିଛି ବୈଦ୍ୟୁତିକ ଗଣମାଧ୍ୟମ ତାଙ୍କ ବିରୋଧରେ ଅପପ୍ରଚାର ଚଳାଇଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ତାଙ୍କ ବିଜୟକୁ ବାଇଡେନ ଛଡ଼ାଇ ନେଇଥିବା ସେ କହିଛନ୍ତି। ହ୍ବାଇଟ୍‌ ହାଉସ୍‌ (ରାଷ୍ଟ୍ରପତି ଭବନ)ରେ ସେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରୁୁଥିବାବେଳେ କେତେକ ସାମ୍ବାଦିକ ତାଙ୍କର ଏପରି ମନ୍ତବ୍ୟକୁ ବିରୋଧ କରି ସ୍ଥାନ ଛାଡ଼ି ପଳାଇ ଆସିଥିଲେ। ଟ୍ରମ୍ପଙ୍କ କୌଣସି ଭାଷଣକୁ ପ୍ରସାରଣ କରିବେ ନାହିଁ ବୋଲି ଆମେରିକାର ୩ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏବିସି, ଏନବିସି ଓ ସିବିଏସ କହିଛନ୍ତି।

ଭାରତ ପରି ଆମେରିକା ଅର୍ଦ୍ଧ ସଂଘୀୟ ରାଷ୍ଟ୍ର ନୁହେଁ । ସେଠାରେ ପୂର୍ଣ୍ଣ ସଂଘୀୟ ଶାସନ ବ୍ୟବସ୍ଥା ପ୍ରଚଳିତ । କେବଳ ବାହ୍ୟ ସୁରକ୍ଷାକୁ ଛାଡ଼ିଦେଲେ ମୋଟ ୫୦ଟି ରାଜ୍ୟ ସେମାନଙ୍କ ରାଜ୍ୟ ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିପାରିବେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ନିର୍ବାଚନ ପ୍ରକ୍ରିୟା ଓ ସମୟରେ ପରିବର୍ତ୍ତନ କରିଥିଲେ। ଏହା ଆମେରିକା ସମ୍ବିଧାନ ପ୍ରଦତ୍ତ। ଅଧିକାଂଶ ରାଜ୍ୟ ଏଥରର ନିର୍ବାଚନରେ ଆଗୁଆ ମତଦାନ (ଆର୍ଲି ଭୋଟିଂ), ଇ-ମେଲ ଓ ପୋଷ୍ଟାଲ ବାଲେଟ ଉପରେ ସ୍ବତନ୍ତ୍ର ଆଇନ ପ୍ରଣୟନ କରିଥିଲେ। ଟ୍ରମ୍ପ ଏହାକୁ ବିରୋଧ କରି ଆସୁଥିଲେ। ମତଦାନ କେନ୍ଦ୍ରକୁ ଯାଇ ସମସ୍ତ ଭୋଟର ଭୋଟ ଦେବାକୁ ଟ୍ରମ୍ପ ଚାହୁଁ ଥିଲେ। ଇ-ମେଲ ଓ ପୋଷ୍ଟାଲ ବାଲାଟ ଦ୍ବାରା ମତଦାନ ହେଲେ ନିର୍ବାଚନରେ ପାରଦର୍ଶିତା ଆସି ପାରିବ ନାହିଁ ବୋଲି ଟ୍ରମ୍ପ କହିଥିଲେ।

କେତେକ ସ୍ଥାନରେ ଭୋଟରଙ୍କଠାରୁ ଅଧିକ ମତଦାନ ହୋଇଥିବା ରିପବ୍ଲିକାନ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ଭୋଟଗଣନା ବନ୍ଦ ରଖିବା ପାଇଁ ମିସିଗନର ଏକ ସ୍ଥାନୀୟ ଅଦାଲତରେ ଟ୍ରମ୍ପଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ତେବେ ଅଦାଲତ ଟ୍ରମ୍ପଙ୍କ ଏହି ଆବେଦନକୁ ଖାରଜ କରି  ଦେଇଛନ୍ତି। କୌଣସି ପରିସ୍ଥିତିରେ ମତ ଗଣନା ରୋକା ଯାଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି।
ଏଥରର ରାଷ୍ଟ୍ରପତି ଆମେରିକାର ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିପାରନ୍ତି ବୋଲି ନିର୍ବାଚନ ପୂର୍ବରୁ ଫ୍ଲୋରିଡା ଓ ପେନସିଲଭାନିଆ ରାଲିରେ ଟ୍ରମ୍ପ କହିଥିଲେ । ପ୍ରଶ୍ନ ଉଠୁଛି ଆମେରିକୀୟ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଦେଶର ସର୍ବୋଚ୍ଚ ଅଦାଲଥ କ’ଣ ରାଷ୍ଟ୍ରପତିଙ୍କୁ ମନୋନୀତ କରିପାରିବ ? ନା କଂଗ୍ରେସର ଦୁଇ ସଦନ (ସିନେଟ ଓ ଦ ହାଉସ୍‌ ଅଫ ରିପ୍ରେଜେଣ୍ଟେଟିଭ)ର ଇଲେକ୍ଟର୍ସମାନେ ରାଷ୍ଟ୍ରପତିଙ୍କୁ ମତ ଦାନ ଜରିଆରେ ନିର୍ବାଚିତ କରାଇବେ ? ମିସିଗନର ସ୍ଥାନୀୟ ଅଦାଲତ ମତ ଗଣନା ବନ୍ଧ ପାଇଁ ମନା କରିଦେଇଛନ୍ତି।

ଏପରି ସ୍ଥଲେ ଟ୍ରମ୍ପ ଏହି ମାମଲାକୁ ସୁପ୍ରିମକୋର୍ଟ ନେଇ ପାରନ୍ତି। ତେଣୁ ଯେତେ ପର୍ଯ୍ୟନ୍ତ ଅଦାଲତରେ ମାମଲା ଅଟକି ଥିବ ସେ ପର୍ଯ୍ୟନ୍ତ କାହାକୁ ବି ରାଷ୍ଟ୍ରପତି ଭାବେ ଘୋଷଣା କରାଯାଇ ପାରିବ ନାହିଁ। ଏଥିପାଇଁ କିଛି ଦିନ ଅଥବା ସପ୍ତାହ ଲାଗିପାରେ । ଆସନ୍ତା ବର୍ଷ ଜାନୁଆରୀ ୨୦ ପୂର୍ବରୁ ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରିବାକୁ ବାଧ୍ୟ। ଆମେରିକା ସୁପ୍ରିମକୋର୍ଟର ୯ ଜଣ ବିଚାରପତି ଅଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ନିଯୁକ୍ତି ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଛି। ଏବେ ୯ ରୁ ୬ଜଣ ବିଚାରପତି ଟ୍ରମ୍ପ ତଥା ରିପବ୍ଲିକ ପାର୍ଟିର ସମର୍ଥକ ଅଛନ୍ତି। ଯେଉଁ ଦଳ ପାଇଁ ସେମାନେ ବିଚାରପତି ପଦ ପାଇଛନ୍ତି ଉକ୍ତ ଦଳକୁ ସେମାନେ ଅନୁକମ୍ପା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳେ। ଏସବୁ ମଧ୍ୟରେ ସୁପ୍ରିମକୋର୍ଟର ବିଚାରପତି ନିମ୍ନ ଅଦାଲତର ରାୟକୁ ତର୍ଜମା କରିବା ଆବଶ୍ୟକ। ତେଣୁ ବିଚାର ପ୍ରକ୍ରିୟା ମାଧ୍ୟମରେ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇବା ସେତେଟା ସହଜ ନୁହେଁ।

ଟ୍ରମ୍ପଙ୍କ ସମର୍ଥକ ଫଳାଫଳକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଘଟାଇବାରେ ଲାଗିଛନ୍ତି। ଗଣ୍ଡଗୋଳ କରୁଥିବା ଅଭିଯୋଗରେ ଫିଲାଡେଲଫିଆର ଜଣେ ରିପବ୍ଲିକାନ ପାର୍ଟିର ସମର୍ଥକଙ୍କୁ ସ୍ଥାନୀୟ ପୁଲିସ୍‌ ଗିରଫ କରିଛି। ଭୋଟ ଚୋରି..ଭୋଟ ଚୋରି ନାରା ଦେଇ ଟ୍ରମ୍ପଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି। କେତେକଙ୍କ ହାତରେ ବନ୍ଧୁକ ଥିବା ଦେଖିବାକୁ ମିଳିଛି। ଏପଟେ ଆମେରିକା ସେନା ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଟ୍ରମ୍ପଙ୍କ ନିକଟରେ ସଂଖ୍ୟାବଳ ନାହିଁ, କିନ୍ତୁ ଭାଷଣବାଜିରେ ଦେଶରେ ଅସ୍ଥିରତା ସୃଷ୍ଟି କରୁଥିବା ବାଇଡେନ କହିଛନ୍ତି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ସହ ଦେଶର ରାଜ୍ୟସ୍ତରୀୟ ନିର୍ବାଚନ ଶେଷ ହୋଇଛି। ଏଥିରେ ସମୁଦାୟ ୧୨ ଜଣ ଭାରତୀୟ ବଂଶଜ ବିଜୟୀ ହୋଇଛନ୍ତି। କଂଗ୍ରେସର ନିମ୍ନ ସଦନ ‘ଦ ହାଉସ ଅଫ ରିପ୍ରେଜେଣ୍ଟେଟିଭ’କୁ ୪ ଜଣ ଭାରତୀୟ ନିର୍ବାଚିତ ହୋଇଛନ୍ତି। ଏମାନେ ହେଲେ ଡ. ଏମି ବେରା, ପ୍ରମିଳା ଜୟପାଳ, ରୋ ଖାନ୍ନା ଓ ରାଜା କୃଷ୍ଣମୂର୍ତ୍ତି । ଏମାନଙ୍କ ବ୍ୟତୀତ ଜେନିଫର ରାଜକୁମାର ନ୍ୟୁୟର୍କ ଷ୍ଟେଟ ଆସେମ୍ବ୍ଲିକୁ, ନିମା କୁଲକର୍ଣ୍ଣି କେଣ୍ଟୁକି ଷ୍ଟେଟ ଆସେମ୍ବ୍ଲିକୁ ଓ କେଶା ରାମ ବର୍ମୋଣ୍ଟ ଷ୍ଟେଟ ଆସେମ୍ବ୍ଲିକୁ, ବନ୍ଦନା ସ୍ଲେଟର ୱାଶିଂଟନ ଷ୍ଟେଟ ହାଉସ୍‌କୁ, ପଦ୍ମା କୁପ୍ପା ମିସିଗନ ଷ୍ଟେଟ ହାଉସକୁ, ନୀରଜ ଅନ୍ତାନି ଓହିଓ ଷ୍ଟେଟ ସିନେଟକୁ ନିର୍ବାଚିତ ହୋଇଛନ୍ତି।

Comments are closed.