ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଲଢ଼େଇ ରୋମାଞ୍ଚ, ଫଳ ଅସ୍ପଷ୍ଟ

ୱାଶିଂଟନ(ଡିସି) : ଆମେରିକା ନିର୍ବାଚନ ଫଳାଫଳ ରୋଚକ ସ୍ଥିତିରେ ପହଞ୍ଚିଛି। ଭାରତୀୟ ସମୟ ବୁଧବାର ରାତି ୧ଟା ପର୍ଯ୍ୟନ୍ତ ​‌ଆକଳନ କରାଯାଇଥିବା ଫଳାଫଳ ଅନୁଯାୟୀ ୫୦ଟି ରାଜ୍ୟର ମୋଟ ୫୩୮ ଜଣ ସାଂସଦ(ଇଲେକ୍ଟର୍ସ)ଙ୍କ ମଧ୍ୟରୁ ଡେମୋକ୍ରାଟିକ ପାର୍ଟି ୨୩୮ଟି ଓ ରିପବ୍ଲିକାନ ପାର୍ଟିକୁ ୨୧୩ଟି ଆସନ ମିଳିଛି। ୧୦୧ ଟି ଆସନର ଫଳାଫଳ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସେହିପରି ମୋଟ ୫୦ଟି ରାଜ୍ୟରୁ ଡେମୋକ୍ରାଟିକ୍‌ ପାର୍ଟି ୨୧ ଓ ରିପବ୍ଲିକାନ ପାର୍ଟି ୨୬ଟି ରାଜ୍ୟ ହାତେଇଛି। ୩ଟି ରାଜ୍ୟର ଫଳାଫଳ ଘୋଷଣା କରାଯାଇ ନାହିଁ। ଶେଷ ୭ଟି ରାଜ୍ୟରୁ ଜୋ ବାଇଡେନ ୩ଟିରେ ଓ ଟ୍ରମ୍ପ ୪ଟିରେ ଆଗୁଆ ଅଛନ୍ତି।

ନେଭେଡ଼ା, ଉଇସକନସିନ ଓ ମିସିଗାନ୍‌ରେ ବାଇଡେନ ଆଗୁଆ ଥିବାବେଳେ ଆଲସ୍କା, ଜର୍ଜିଆ, ନର୍ଥ କାରୋଲିନା ଓ ପେନସିଲଭାନିଆରେ ଡୋନାଲ୍ଡ ଟ୍ରମ୍ପ ଆଗୁଆ ଅଛନ୍ତି । ଇ-ମେଲ ଓ ପୋଷ୍ଟାଲ ବାଲେଟ ଯୋଗୁଁ ଏଥର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ଘଟିପାରେ। ସମ୍ଭାବ୍ୟ ନିର୍ବାଚନ ଫଳାଫଳ ନିରାଶାଜନକ । ଏଥିପାଇଁ ସେ ସୁପ୍ରିମକୋର୍ଟ ଯିବେ ବୋଲି ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ(୭୪) କହିଛନ୍ତି। ଅନ୍ୟପକ୍ଷରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ(୭୭) କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଆଶାନୁଯାୟୀ ହୋଇଛି। ବିଜୟ ଉତ୍ସବ ନ ମନାଇ ଚୂଡ଼ାନ୍ତ ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଇଡେନ ନିଜ ସମର୍ଥକଙ୍କୁ ଅନୁରୋଧ କରିଛନ୍ତି। ଡ.ଅମି ବେରା, ପ୍ରମିଳା ଜୟପାଲ, ରୋ ଖାନ୍ନା ଓ ରାଜା କ୍ରିଷ୍ଣ ମୂର୍ତ୍ତି ନାମକ ୪ ଭାରତୀୟ ବଂଶଜ ଡେମୋକ୍ରାଟିକ୍‌ ପାର୍ଟି ତରଫରୁ ପୁନର୍ବାର ଦ ହାଉସ୍‌ ଅଫ ରିପ୍ରେଜେଣ୍ଟେଟିଭକୁ ନିର୍ବାଚିତ ହୋଇଛନ୍ତି।

ଆମେରିକାର ୫୯ତମ ଚତୁବର୍ଷିୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଡେ​‌ମୋକ୍ରାଟିକ୍‌ ପାର୍ଟିର ନିର୍ବାଚନୀ ଚିହ୍ନ ନୀଳ ରଙ୍ଗର ଗଧ ହୋଇଥିବାବେଳେ ରିପବ୍ଲିକାନ ପାର୍ଟିର ସଙ୍କେତ ଲାଲ ରଙ୍ଗର ହାତୀ । ଆମେରିକାର ଡେମୋକ୍ରାଟିକ ପାର୍ଟିକୁ ବିଶ୍ବର ସର୍ବପୁରାତନ ରାଜନୈତିକ ଦଳ କୁହାଯାଇଥାଏ । ମହାମାରୀ କରୋନା ଯୋଗୁଁ ଏଥର ଦେଶର ଭୋଟରଙ୍କୁ ‘ଆର୍ଲି ଭୋଟିଂ’ର ସୁବିଧା ଦିଆଯାଇଥିଲା । ଚଳିତ ଥର ପ୍ରାୟ ୭ କୋଟି ଭୋଟର ‘ଆର୍ଲି ଭୋଟିଂ’(ଆଗୁଆ ମତଦାନ) କରିଛନ୍ତି। ଏମାନେ ଇ-ମେଲ ଅଥବା ପୋଷ୍ଟାଲ ବାଲେଟ୍‌ ମାଧ୍ୟମରେ ମତଦାନ କରିଥିଲେ । ଏଥିପାଇଁ ଭୋଟ ଗଣନା ବିଳମ୍ବ ହୋଇଥିବା କୁହାଯାଉଛି।

ବୃହତ୍‌ ଆସନ ଦୃଷ୍ଟିରୁ ଭାରତର ଉତ୍ତରପ୍ରଦେଶ ରାଜ୍ୟ ଯେପରି ପ୍ରଧାନମନ୍ତ୍ରୀ ନିର୍ଦ୍ଧାରଣ କରିଥାଏ, ସେହିପରି ଆମେରିକାର ଫ୍ଲୋରିଡା ରାଜ୍ୟ ଦେଶର ରାଷ୍ଟ୍ରପତି ନିର୍ଦ୍ଧାରଣ କରୁଥିବା କୁହାଯାଏ। କେବଳ ଫ୍ଲୋରିଡାରେ ଇଲେକ୍ଟର୍ସଙ୍କ ସଂଖ୍ୟା ୨୯ । ଏହି ରାଜ୍ୟକୁ ଟ୍ରମ୍ପ ହାତେଇ ଥିବାବେଳେ ଦେଶର ସର୍ବବୃହତ୍‌ ଇଲେକ୍ଟର୍ସ ଥିବା ରାଜ୍ୟ କାଲିଫର୍ଣ୍ଣିଆ (୫୫)କୁ ବାଇଡେନ ହାତେଇଛନ୍ତି। ସମୁଦାୟ ୫୩୮ରୁ ଏପର୍ଯ୍ୟନ୍ତ ୪୫୧ ଇଲେକ୍ଟର୍ସ ଘୋଷଣା କରାଯାଇଛି । ଏମାନଙ୍କ ମଧ୍ୟରୁ ଡେମୋକ୍ରାଟିକ ପାର୍ଟି ୨୩୮ ଓ ରିପବ୍ଲିକାନ୍‌ ପାର୍ଟି ୨୧୩ଟି ଇଲେକ୍ଟର୍ସ ହାସଲ କରିଛି। ୧୦ଟି ରାଜ୍ୟର ପ୍ରାୟ ୧୦୧ଟି ଇଲେକ୍ଟର୍ସଙ୍କ ଫଳାଫଳ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଆଗାମୀ ଦୁଇ/ତିନି ଦିନ ମଧ୍ୟରେ ସାମ୍ଭାବ୍ୟ ଫଳାଫଳ ସାମ୍‌ନାକୁ ଆସିପାରେ।

ପ୍ରାଥମିକ ଫଳାଫଳକୁ ନେଇ ଟ୍ରମ୍ପ ନିଜକୁ ବିଜୟୀ ଭାବେ ଘୋଷଣା କରିଛନ୍ତି। ଫଳାଫଳ ଯାହା ହେଉନା କାହିଁକି ସେ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଟ୍ରମ୍ପ କହିଛନ୍ତି। ମତଦାନ ଅବଧି ଶେଷ ହୋଇଥିଲେ ହେଁ କେତେକ ରାଜ୍ୟରେ ଭୋଟ ଗ୍ରହଣ ଜାରି ରହିଥିବା ସେ ଅଭିଯୋଗ କରିଛନ୍ତି। ଏପଟେ ବାଇଡେନ ଜନତାଙ୍କୁ ​‌େ​‌ଧୖର୍ଯ୍ୟ ରଖିବାକୁୁ ପରାମର୍ଶ ଦେଇଛନ୍ତି। ଗତ ନିର୍ବାଚନ ପରି ଏଥର ମଧ୍ୟ ପପୁଲାର ଭୋଟର ଡେମୋକ୍ରାଟିକ୍‌ ପାର୍ଟି ଆଡ଼କୁ ଯାଇଛି। ତେବେ ଇଲେକ୍ଟର୍ସଙ୍କ ମତଦାନ ହିଁ ଗୁରୁତ୍ବପୂର୍ଣ୍ଣ। ଯେକୌଣସି ପ୍ରାର୍ଥୀ ରାଷ୍ଟ୍ରପତି ପଦ ହାତେଇବାକୁ ହେଲେ ୨୭୦ ଇଲେକ୍ଟର୍ସଙ୍କ ସମର୍ଥନ ଆବଶ୍ୟକ । ଆମେରିକାର ମୋଟ ୫୦ଟି ରାଜ୍ୟରୁ ପ୍ରତି ରାଜ୍ୟ ଦୁଇଟି ଲେଖାଏଁ ଇଲେକ୍ଟର୍ସ କଂଗ୍ରେସ (ଦେଶର ସଂସଦ)ର ଉଚ୍ଚ ସଦନ ସିନେଟକୁ ପଠାଇଥା’ନ୍ତି। ସେହିପରି ଜନସଂଖ୍ୟା ଅନୁଯାୟୀ ୫୦ଟି ରାଜ୍ୟ ମୋଟ ୪୩୫ଜଣ ଇଲେକ୍ଟର୍ସଙ୍କୁ ସଂସଦର ନିମ୍ନ ସଦନ ‘ଦ ହାଉସ୍‌ ଅଫ ରିପ୍ରେଜେଣ୍ଟେଟିଭ’କୁ ପଠାଇଥା’ନ୍ତି। ଏହାବାଦ୍‌ ୱାଶିଂଟନ ଡିସିରୁ ୩ଜଣ ଇଲେକ୍ଟର୍ସ ନିମ୍ନ ସଦନକୁ ନିର୍ବାଚିତ ହୋଇଥା’ନ୍ତି। ନିମ୍ନ ସଦନର ସମୁଦାୟ ୪୩୮ ଜଣ ଇଲେକ୍ଟର୍ସ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରୁଥିବାବେଳେ ଉଚ୍ଚ ସଦନର ୧୦୦ ଜଣ ଇଲେକ୍ଟର୍ସ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥା’ନ୍ତି।

ସରକାରୀ ଭାବେ ଚଳିତ ମାସ ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ କଂଗ୍ରେସରେ ନିର୍ବାଚିତ ପ୍ରତିନିଧିଙ୍କ ଭୋଟ ଗଣତି ଆରମ୍ଭ ହେବ । ସେହିମାସ ୨୦ ତାରିଖରେ ଆମେରିକାର ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ଏଥରର ନିର୍ବାଚନରେ ପେନ୍‌ସିଲଭାନିଆ, ମିସିଗନ୍‌, ଜର୍ଜିଆ, ଫ୍ଲୋରିଡା, ଆରିଜୋନା ଓ ଇଣ୍ଡିଆନା ପରି ରାଜ୍ୟରେ ଭାରତୀୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଭାରତୀୟ ସବୁଜ କାର୍ଡଧାରୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବେ ବୋଲି ବାଇଡେନ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷରେ ଟ୍ରମ୍ପ କହିଥିଲେ ଯେ, ସେ ସର୍ବଦା ଭାରତୀୟଙ୍କ ହିତ ପାଇଁ କାର୍ଯ୍ୟ କରି ଆସିଛନ୍ତି ା ପୁନର୍ବାର କ୍ଷମତାକୁ ଫେରିଲେ ଭାରତକୁ ଅଧିକ ସାମରିକ ସହଯୋଗ ଯୋଗାଇ ଦେବେ ବୋଲି ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି। ରାଜନୈତିକ ହିଂସାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comments are closed.