ପୃଥକ ସ୍ଥାନରେ ଟ୍ରକ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବକ୍ଷମଡିହଛକ ଠାରେ ଆଜି ଅପରାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ତାଙ୍କର ପରିଚୟ ମିଳି ପାରି ନାହିଁ । ଦୁର୍ଘଟଣା ଘଟାଇଥିବା ଟ୍ରକ ନୟାଗଡରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗ ଖୋର୍ଦ୍ଧା ରୁ ନୟାଗଡ ଅଭିମୁଖେ ଏକ ପଲସର ବାଇକରେ ଯାଉଥିବା ଜଣେ ଯୁବକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକଟି ଟ୍ରକ ଭିତରେ ପଶି ଯାଇଥିବା ବେଳେ ଯୁବକ ଜଣକ ରାସ୍ତା ଉପରେ ଛିଟିକି ପଡି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଯୁବକ ଜଣଙ୍କର ପରିଚୟ ମିଳିନଥିବାବେଳେ ପୁଲିସ କିନ୍ତୁ ତାଙ୍କ ପକେଟରୁ କିଛି ତଥ୍ୟ ପାଇ ପାଇଛି। ଶବ ଚିହ୍ନଟ ନହେବା ପର୍ଯ୍ୟନ୍ତ ପରିଚୟ ଜଣାପଡିବ ନାହିଁ ବୋଲି ପୁଲିସ ଠାରୁ ପ୍ରକାଶ । ପୁଲିସ ଘଟଣାସ୍ଥଳରେ ପଂହଁଚି ବାଇକ ସହିତ ଟ୍ରକ କୁ ଜବତ କରିଛି।

ସେହିପରି ଢେଙ୍କିକୋଟ ଫାଣ୍ଡି  ଅନ୍ତର୍ଗତ ସାନବରବେଡା ହାଟ ନିକଟରେ ୨୦ନଂ ଜାତୀୟ ରାଜପଥରେ ଆଜି ପୂର୍ବାହ୍ନରେ ସାଇକେଲରେ ଯାଉଥିବା ଟିକିରା ଗ୍ରାମର ମୋହନ ମହାନ୍ତ (୬୦)ଙ୍କୁ ଏକ ଲୁହା ପଥର ବୋଝେଇ ୧୪ ଚକିଆ ଟ୍ରକ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ମୋହନଙ୍କୁ ପ୍ରଥମେ ଘଟଗାଁ ମେଡିକାଲ ଓ ସେଠାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ମୋହନ ମହନ୍ତଙ୍କର ମୃତ୍ୟୁ ଘଟିଛି। ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା କେନ୍ଦୁଝର ଯାଇ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇବା ପରେ ମରଶରୀର ମୃତକଙ୍କ ଶିକ୍ଷକପୁତ୍ର ପଦ୍ମଲୋଚନ ମହାନ୍ତଙ୍କୁ ହସ୍ତାନ୍ତର କରିଛନ୍ତି। ଆଜି ସଂନ୍ଧ୍ୟାରେ ଢେଙ୍କିକୋଟ ସରପଞ୍ଚ ଗୌରୀ ବାରିକ ଓ ସାମାଜିକ କର୍ମୀ କୃଷ୍ଣ ଚନ୍ଦ୍ର ବାରିକଙ୍କ ଉପସ୍ଥିତି ରେ ଶୋକାକୁଳ ପରିବେଶରେ ମୋହନ ମହାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

Comments are closed.