ଇଟାୱା ସଫାରି ପାର୍କରେ ଦୁଇ ସିଂହୀ କୋଭିଡ ସଂକ୍ରମିତ

ଆଲ୍ଲାହାବାଦ: ହାଇଦରାବାଦ ପରେ ଉତ୍ତର ପ୍ରଦେଶର ଇଟାୱା ସଫାରି ପାର୍କରେ ଦୁଇ ସିଂହୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା କରାଯିବା ପରେ ସିଂହୀ ଦୁଇଟି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସମ୍ଭବତଃ ସେମାନଙ୍କର ଦେଖାଶୁଣା କରୁଥିବା ବ୍ୟକ୍ତିଙ୍କ ଠାରୁ ସେମାନଙ୍କୁ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଉଭୟ ସିଂହୀଙ୍କୁ ଅନ୍ୟତ୍ର ଏକାନ୍ତବାସରେ ରଖାଯାଇଥିବା ଉଦ୍ୟାନର ନିର୍ଦ୍ଦେଶକ କହିଛନ୍ତି। ଇତିମଧ୍ୟରେ ଉକ୍ତ ସଫାରି ପାର୍କକୁ ଜନସାଧାରଣଙ୍କ ପ୍ରବେଶ ନିମନ୍ତେ ବନ୍ଦ କରିଦିଆଯାଇଛି। ପୂର୍ବରୁ ଗତ ମଙ୍ଗଳବାର ଦିନ ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି (ସିଏସଆଇଆର) ପକ୍ଷରୁ କୁହାଯାଇଥିଲା ଯେ ହାଇଦରାବାଦ ଚିଡିଆଖାନାରେ ୮ଟି ଭାରତୀୟ ସିଂହ କରୋନା ସଂକ୍ରମିତ ହୋଇଥିଲେ। ଚିଡିଆଖାନା କର୍ମଚାରୀଙ୍କ ଠାରୁ ସେମାନଙ୍କୁ ସଂକ୍ରମଣ ବ୍ୟାପିଥିଲା। ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପୋଷା ପ୍ରାଣୀମାନେ ମଣିଷଙ୍କ ଠାରୁ କରୋନା ସଂକ୍ରମିତ ହେଉଥିବା ଖବର ହସ୍ତଗତ ହେବାରେ ଲାଗିଛି। କେତେକ ବିଶେଷଜ୍ଞଙ୍କ ମତରେ କୋଭିଡ-୧୯ ସମ୍ଭବତଃ ପ୍ରଥମେ ଚିଡିଆଖାନାରେ ଥିବା ପ୍ରାଣୀଙ୍କ ଠାରୁ ମଣିଷ ଶରୀରକୁ ଆସିବା ଆରମ୍ଭ କରିଥିଲା। କିନ୍ତୁ ପ୍ରାଣୀମାନେ ଏହି ସଂକ୍ରମଣ ବ୍ୟାପିବା ପାଇଁ ଦାୟୀ ବୋଲି ଏପର୍ଯ୍ୟନ୍ତ ସ୍ପଷ୍ଟ ପ୍ରମାଣ ମିଳିନାହିଁ। ବିରାଡି, କୁକୁର, ମଣିଷ ଭଳି ବହୁ ପୋଷା ପ୍ରାଣୀଙ୍କୁ ମଣିଷ ଠାରୁ ଏହି ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଥିବା ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥା ସେଣ୍ଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ କୁହାଯାଇଛି।

Comments are closed.