ନିଜ ଜାଲରେ ଫସିଲା ଶିକାରୀ; ବାର୍‌ହା ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମୃତ

ବନ୍ତଳା: ନିଜ ଜାଲରେ ଫସିଛି ଶିକାରୀ। ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ଶିକାରୀଙ୍କ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କଞ୍ଜ ଗ୍ରାମରେ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନାଯୋଗ୍ୟ, ଗ୍ରାମର କେତେକ ଯୁବକ ଗତକାଲି ବିଳମ୍ବିତ ରାତିରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ୧୧କେଭି ବିଦ୍ୟୁତରୁ ଜିଆଇ ତାର ବିଛାଇ ଥିଲେ। ତେବେ ଅସାବଧାନତା ଯୋଗୁଁ ଦୁଇ ଶିକାରୀ ମହେଶ୍ବର ବିଶ୍ୱାଳ(୨୩) ଓ କବୀନ୍ଦ୍ର ଗଡ଼ନାୟକ(୪୦) ଉକ୍ତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ସେଠାରେ ମହେଶ୍ବର ବିଶ୍ୱାଳଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସେପଟେ କବୀନ୍ଦ୍ର ବଞ୍ଚିଥିବା ଭାବି ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏପର୍ୟ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି। ଅନ୍ୟ ପକ୍ଷରେ ବନ୍ତଳା ବନାଞ୍ଚଳରେ ବାରମ୍ବାର ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇ ଯାଉଥିବା ବେଳେ ଏଥିରେ ଫସି ଅନେକଙ୍କ ମୃତ୍ୟୁ ଘଟୁଛି। ହେଲେ ବନ ବିଭାଗ କର୍ମଚାରୀ ନିରବଦ୍ରଷ୍ଟା ସାଜିଥିବା ବେଳେ ଶିକାରୀଙ୍କ ଟେର୍ ପାଉନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.