ଦ୍ଵୈତନଗରୀ ମେଟ୍ରୋ ରେଳ ପ୍ରକଳ୍ପ: ୬ ବର୍ଷ ହେଲା ଚାଲିଛି ବିଚାରବିମର୍ଷ

ଭୁବନେଶ୍ୱର: ଦ୍ଵୈତନଗରୀ ଭୁବନେଶ୍ବର-କଟକରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ସରକାର । ୨୦୨୨ ମସିହା ସୁଦ୍ଧା ମେଟ୍ରୋ ରେଳ ଚଳାଇବା ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ସରକାର  ସିକନ୍ଦରାବାଦର ଏକ ସଂସ୍ଥା ସହ ସର୍ଭେ ପାଇଁ ଚୁକ୍ତି କଲେ । ସମ୍ପୃକ୍ତ ସଂସ୍ଥା ୧୦ ମାସ ମଧ୍ୟରେ ସର୍ଭେ କରି ସରକାରଙ୍କୁ ରିପୋର୍ଟ ଦେଲା । ହେଲେ ଏହା ପରେ ପ୍ରକଳ୍ପ ଯେଉଁଠି ଥିଲା ଏବେ ୬ ବର୍ଷ ପରେ ବି ସେଇଠି । ଦୀର୍ଘ ୬ ବର୍ଷ ହେଲା ଏହି ପ୍ରକଳ୍ପର ବିଚାର ବିମର୍ଷ ଚାଲିଛି । ସରକାରଙ୍କ ଅଧିକାରୀମାନେ ସ୍ବଚ୍ଛ ଭାବରେ ସମୟାନୁବର୍ତୀ କାର୍ଯ୍ୟ କରିବାକୁ ତଳିଆ କର୍ମଚାରୀଙ୍କୁ ପାଠ ପଢ଼ାଉଛନ୍ତି । ଟେକନୋଲୋଜି ପ୍ରୟୋଗ କରି ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଉଛନ୍ତି । କେହି କେହି ତ ରକେଟ ଗତିରେ ଫାଇଲ କାର୍ଯ୍ୟ ହେବ ବୋଲି କହୁଛନ୍ତି । ମାତ୍ର ବିଡ଼ମ୍ବନା ହେଉଛି ଏବେ ବି କିଛି ଅଧିକାରୀଙ୍କ ମରହଟ୍ଟିଆ ମନୋଭାବ ବିଭିନ୍ନ ମହତ୍ବାକାଂକ୍ଷୀ ପ୍ରକଳ୍ପର ଗତିରୋଧ କରୁଛି ।

ସରକାର ମେଟ୍ରୋ ରେଳ ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ଉପରେ ଦିଗଦର୍ଶନ ପାଇବା ପାଇଁ ପ୍ରଥମେ କଟକ ଓ ଭୁବନେଶ୍ୱର ମଧ୍ୟରେ ଯାତ୍ରୀ ପରିବହନ ସେବା ତ୍ୱରାନ୍ୱିତ କରିବା ପାଇଁ ‘ତ୍ୱରିତ ଯାତ୍ରୀ ପରିବହନ ବ୍ୟବସ୍ଥା’(ଏମ୍‍ଆରଟିଏସ୍‍) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଏମ୍‍ଆରଟିଏସର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡ଼ିପିଆର୍) ପ୍ରସ୍ତୁତ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସିକନ୍ଦରାବାଦର ବାଲାଜୀ ରେଳରୋଡ ସିଷ୍ଟମ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ସଂସ୍ଥା ୧୦ ମାସ ମଧ୍ୟରେ ସର୍ଭେ କରି ବିଭାଗ ପାଖରେ ଡିପିଆର ରିପୋର୍ଟ ଦାଖଲ କରି ସାରିଛି। ହେଲେ ସଂସ୍ଥା ଯେଉଁ ରିପୋର୍ଟ ଦେଇଛି ତାହା ଉପରେ ସରକାର ବିଚାର କରିନାହାନ୍ତି। ଡିପିଆର ରିପୋର୍ଟ ଉପରେ ବିଚାର କରାଯାଉ ନଥିବାରୁ ମେଟ୍ରୋ ରେଳ ପ୍ରକଳ୍ପ ଭାଗ୍ୟ ଖୋଲିପାରୁନାହିଁ। ଦ୍ୱୈତ ନଗରରୀ ଜନସାଧାରଣଙ୍କୁ ସରକାର ମେଟ୍ରୋ ରେଳ ଚଳାଇବା ସ୍ୱପ୍ନ ଦେଖାଇଥିଲେ ମଧ୍ୟ ତାହା ଏବେ ଅନିଶ୍ଚିତତାରେ ଗତି କରୁଛି।

ସୂଚନା ଅନୁସାରେ  ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଖରେ ସିଷ୍ଟମ ସିଲେକ୍ସସନ ଏବଂ ଟ୍ରାଫିକ ଡିମାଣ୍ଡ୍‍ ଆସେସମେ ରିପୋର୍ଟ ଦାଖଲ କରିଥିଲା। ପରବର୍ତୀ ସମୟରେ ରିପୋର୍ଟ ଉପରେ କୌଣସି ବିଚାର କରାଯାଇନାହିଁ। ରିପୋର୍ଟ ଫାଇଲରେ ସେମିତି ବନ୍ଧା ହୋଇ ରହିଛି। ତେବେ ସରକାର ଏମଆରଟିଏସ୍ ଏବଂ ମେଟ୍ରୋ ରେଳ ପ୍ରକଳ୍ପ ଉପରେ ଦିଗଦର୍ଶନ ପାଇବା ପାଇଁ ଏକ ବୈଷୟିକ କମିଟି ଗଠନ କରିଥିଲେ। ପ୍ରକଳ୍ପ ସଂକ୍ରାନ୍ତରେ ବୈଷୟିକ କମିଟି ନିଜସ୍ୱ ମତ ଦେବ। ପୁଣି ସଂସ୍ଥା ଯେଉଁ ରିପୋର୍ଟ ଦାଖଲ କରିଛି ତାକୁ ମଧ୍ୟ କମିଟି ପାଖରେ ଉପସ୍ଥାପନ କରାଯିବ। ହେଲେ କମିଟି ଯେଉଁ ମତ ପ୍ରକାଶ କରିଛି ତାହା ଉପରେ ମଧ୍ୟ ସରକାରଙ୍କ ପକ୍ଷରୁ ତର୍ଜମା କରାଯାଇ ନାହିଁ। କମିଟି ସହିତ ସଂସ୍ଥାର ସର୍ଭେ ଡିପିଆର ରିପୋର୍ଟକୁ ତର୍ଜମା କରାଯାଇ ନିଷ୍ପତି ନିଆଯିବାର ଥିଲା। ଯାହାକି ଏ ପର୍ଯ୍ୟନ୍ତ ହୋଇପାରିନାହିଁ।

ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ଓ କଟକ ସହର ଭିତରେ ଟାଉନ ବସ୍‍ ଚଳାଚଳ କରୁଥିଲା। ହେଲେ ଟାଉନ ବସ୍‍ ନିର୍ଦ୍ଧାରିତ ସମୟ ମଧ୍ୟରେ ଚଳାଚଳ ନକରି ପାରିବା ହେତୁ ଯାତ୍ରୀ ଟାଉନ୍‍ ବସ ସେବା ପାଇପାରିଲେ ନାହିଁ। ସରକାର ଟାଉନ ବସ୍‍ ପରିବର୍ତ୍ତେ ବିଆରଟିଏସ୍‍ ବସ୍‍ ଚଳାଇଲେ। ବସ୍‍ କିଛି ବର୍ଷ ଚାଲିବା ପରେ ମେଟ୍ରୋ ରେଳ ପ୍ରକଳ୍ପକୁ ଲକ୍ଷ୍ୟକରି ପରବର୍ତୀ ସମୟରେ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନପୋଟ (କ୍ରୁଟ) ଗଠନ କରି ଭୁବନେଶ୍ୱର ଓ କଟକ ସହର ଭିତରେ ବସ୍‍ ଚଳାଚଳ କରିବା ସହିତ ପୁରୀ, କୋଣାର୍କ ଓ ଜଟଣୀ ସହରକୁ ସଂଯୋଗ କରି ମୋ ବସ୍‍ ଚଳାଚଳ ଆରମ୍ଭ କରିଥିଲେ। ମୋ ବସ୍‍ ଚଳାଚଳ ବ୍ୟବସ୍ଥା ସଫଳ ହେଲେ ସରକାର ସିଧାସଳଖ ଭୁବନେଶ୍ୱର ସମେତ ଉପରୋକ୍ତ ସହରଗୁଡିକରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଥିବା ତତ୍କାଳନୀ ଉନ୍ନୟନ କମିଶନ ଅନୁଷ୍ଠିତ ବୈଠକରେ ମତ ପ୍ରକାଶ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ମୋ ବସ୍‍ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାକୁ ଛାଡିଦେଲେ ଅନ୍ୟ ସହରରେ ମୋ ବସ ଗଡିପାରୁନାହିଁ। ବସ୍‍ ଗଡିବା ପାଇଁ ବିଭିନ୍ନ ସ୍ତରରେ ପ୍ରତିବନ୍ଧକ ସାଜୁଛି।
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁଁ। ଯଦି ସରକାର ମେଟ୍ରୋ ରେଳ ପ୍ରକଳ୍ପ କରନ୍ତି ତେବେ ସେଥିପାଇଁ ପୁଣିଥରେ ସର୍ଭେ କରିବାର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ ଏହି ପ୍ରକଳ୍ପ ସମ୍ପର୍କରେ ବିଚାର ବିମର୍ଶ ଚାଲିଥିବା କହିଛନ୍ତି ।

Comments are closed.