ରାସ୍ତାରେ ଝାଡ଼ାକଲା ମଇଁଷି; ମାଲିକ ଉପରେ ଜୋରିମାନା ୧୦ହଜାର ଟଙ୍କା

ଗ୍ବାଲିଅର: ରାସ୍ତାରେ ଗାଈ ମଇଁଷି ବୁଲିବା ଆମ ଦେଶରେ ସାଧାରଣ କଥା । ଲୋକମାନେ କ୍ଷୀର ଦୁହିଁବା ପରେ ଗାଈ ମଇଁଷିକୁ ରାସ୍ତାରେ ବୁଲିବାକୁ ଛାଡ଼ି ଦେବାର ଅଭ୍ୟାସ ବନ୍ଦ କରିପାରି ନାହାନ୍ତି । ମାତ୍ର ଏପରି ଲୋକମାନେ ଏବେ ସାବଧାନ ହୋଇଯିବା ଆବଶ୍ୟକ । ମଧ୍ୟପ୍ରଦେଶର ଗ୍ବାଲିଅର ସହରରେ ଏମିତି ଏକ ଘଟଣା ଘଟିଛି, ଯେଉଁଥିରେ ମଇଁଷି ମାଲିକକୁ ପ୍ରଶାସନ ୧୦ ହଜାର ଟଙ୍କା ଜୋରିମାନା କରିଛି ।

ମଧ୍ୟପ୍ରଦେଶର ଗ୍ବାଲିଅରରେ ଏକ ନୂଆ ରାସ୍ତା ନିର୍ମାଣ ହୋଇଥିଲା । ନିକଟରେ ଥିବା ଏକ ମଇଁଷି ପାଳିଥିବା ଜଣେ ବ୍ୟକ୍ତି ରାସ୍ତାରେ ବୁଲିବାକୁ ମଇଁଷିକୁ ଛାଡ଼ି ଦେଇଥିଲେ । ଏ ପର୍ଯ୍ୟନ୍ତ କଥା ଠିକ୍ ଥିଲା ।

ମାତ୍ର ମଇଁଷି ରାସ୍ତାରେ ଯିବା ବେଳେ ବିଭିନ୍ନ ସ୍ଥାନରେ ଝାଡ଼ା କରିବାରୁ ରାସ୍ତା ଅପରିଷ୍କାର ହୋଇଥିଲା । ଏତିକି ବେଳେ ସେହି ବାଟ ଦେଇ ଗ୍ବାଲିଅର ମହାନଗର ନିଗମର କିଛି ଅଧିକାରୀ ଯାଉଥିଲେ । ସେମାନେ ତୁରନ୍ତ ଅଧସ୍ତନ ଅଧିକାରୀଙ୍କୁ ଏଥିନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ ।

ଏହା ପରେ ନିଗମର ଅଧିକାରୀମାନେ ମଧ୍ୟ ମଇଁଷି ମାଲିକ ଉପରେ ୧୦ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି । ଗ୍ୱାଲିଅର୍ ସହରର ଅନେକ  ଛକରେ ପଶୁମାନେ ମୁକ୍ତ ଭାବରେ ବୁଲିବା ନୂଆ ନୁହେଁ । ଏଥିପାଇଁ ଅନେକ ଦୁର୍ଘଟଣା ଘଟିବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଜୋରିମାନା କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ।

Comments are closed.