ମୋଟା ଭାଇର ଉପହାର : ଆମେରିକା କଥାରେ ଭାରତ ଢଳି ନଯାଉ

ବିଶ୍ୱର ମୋଟା ଭାଇ ରୂପେ ପରିଚିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆସନ୍ତା ଭାରତ ଗସ୍ତ ଉପରେ ସମଗ୍ର ବିଶ୍ୱର ଦୃଷ୍ଟି ନିବଦ୍ଧ ରହିଛି(ଗୁଜରାଟୀ ଭାଷାରେ ‘ମୋଟା ଭାଇ’ର ଅର୍ଥ ‘ବଡ଼ ଭାଇ’। ଟ୍ରମ୍ପଙ୍କ ଭାରତ ଗସ୍ତରେ ଗୁଜରାଟ କେନ୍ଦ୍ରବିନ୍ଦୁ ହୋଇଥିବାରୁ ତାଙ୍କୁ ଗୁଜରାଟୀ ଭାଷାରେ ସମ୍ବୋଧିତ କରିବା ତାର୍କିକ ଦୃଷ୍ଟିକୋଣରୁ ସମୀଚୀନ ହେବ)। ଉଭୟ ରାଜନୀତି ଓ ଅର୍ଥନୀତି ଦୃଷ୍ଟିରୁ ବିଶ୍ୱ ଏବେ ଏକ ସମ୍ବେଦନଶୀଳ ପରିସ୍ଥିିତି ଦେଇ ଗତି କରୁଥିବାରୁ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି। ସାମରିକ ଶକ୍ତି ଓ ଅର୍ଥନୀତିରେ ଆମେରିକା ବିଶ୍ୱର ସର୍ବଶକ୍ତିମାନ ରାଷ୍ଟ୍ର। ଅପରପକ୍ଷରେ ଗଣତନ୍ତ୍ର ଓ ଉପଭୋକ୍ତା ବଜାର ଦୃଷ୍ଟିରୁ ଭାରତ ବିଶ୍ୱର ସର୍ବବୃହତ୍ତମ। ଏଣୁ ଦୁଇ ରାଷ୍ଟ୍ରର ଶାସନମୁଖ୍ୟଙ୍କ ରାଜିନାମା ଆଗାମୀ ଦିନରେ ବିଶ୍ୱକୁ ଏକ ଭିନ୍ନ ମୋଡ଼ ଦେବାର ସମ୍ଭାବନା ରହିଛି।
୨୦୧୮ରୁ ଆମେରିକା-ଚୀନ୍‍ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧରୁ ଭାରତ ସର୍ବାଧିକ ଉପକୃତ ହେବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ଏହାର ଲାଭ ଉଠାଇବାରେ ଭାରତ ସକ୍ଷମ ହୋଇପାରିଲା ନାହିଁ। ଅଧିକନ୍ତୁ ଗତ ପ୍ରାୟ ବର୍ଷାଧିକ ସମୟ ଧରି ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କରେ ତିକ୍ତତା ଯୋଗୁଁ ଉଭୟ ରାଷ୍ଟ୍ର କ୍ଷତିଗ୍ରସ୍ତ ହୋଇଛନ୍ତି। ଇତିମଧ୍ୟରେ ଚୀନ୍‍ ସହିତ ବାଣିଜ୍ୟ ସମ୍ପର୍କକୁ ପୁନଃବାହାଲ କରିବା ପାଇଁ ଟ୍ରମ୍ପ ଘୋଷଣା କରିଥିଲେ। ଏହାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଡୋନାଲ୍ଡ ଟ୍ରମ୍ପ ଓ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ ବୋଲି ମଧ୍ୟ ଏକପ୍ରକାର ସ୍ଥିର ହୋଇସାରିଥିଲା, କିନ୍ତୁ ଚୀନ୍‍ରେ କରୋନା ଭାଇରସ୍‍ ଆତଙ୍କ ଟ୍ରମ୍ପଙ୍କ ଯୋଜନାକୁ ଏକପ୍ରକାର ଭଣ୍ଡୁର କରିଦେଲା। ଆମେରିକାର ରାଷ୍ଟ୍ରପତି ଭାବେ ପୁଣି ଥରେ ନିର୍ବାଚିତ ହେବା ପାଇଁ ଆଶା ବାନ୍ଧି ବସିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ମୁଖ୍ୟ ଆହ୍ୱାନ ହେଉଛି ଆମେରିକାର ଅର୍ଥନୀତିକୁ ସୁଦୃଢ଼ କରିବା ଓ ମଧ୍ୟପ୍ରାଚ୍ୟରୁ ସେନା ପ୍ରତ୍ୟାହାର। ଚୀନ୍‍ କିମ୍ବା ଭାରତ ସହିତ ବାଣିଜ୍ୟ ସମ୍ପର୍କରେ ସୁଧାର ନ ଆସିଲେ ପ୍ରଥମ ଲକ୍ଷ୍ୟ ଯେ ଅସମ୍ଭବ, ତାହା ଟ୍ରମ୍ପ ଭଲ ଭାବରେ ଜାଣିଛନ୍ତି। ଚୀନ୍‍ ସହିତ ନିକଟ ଭବିଷ୍ୟତରେ ବାଣିଜ୍ୟ ସମ୍ପର୍କ ସୁଧାର ସମ୍ଭାବନା କମ୍‍ ଥିବା ବେଳେ ଏବେ ଭାରତ ହିଁ ଆମେରିକା ପାଇଁ ସର୍ବଶ୍ରେଷ୍ଠ ବିକଳ୍ପ ଭାବେ ପରିଗଣିତ ହୋଇଛି। ତେଣୁ ତିକ୍ତତା ଭୁଲି ଭାରତ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ତ୍ୱରାନ୍ୱିତ କରିବାକୁ ଟ୍ରମ୍ପ ଆଶା କରିଛନ୍ତି। ଦ୍ୱିତୀୟତଃ ମଧ୍ୟପ୍ରାଚ୍ୟରୁ ସେନା ପ୍ରତ୍ୟାହାର ପୂର୍ବରୁ ସେଠାରେ ଶାନ୍ତି ପ୍ରତିଷ୍ଠା ଟ୍ରମ୍ପଙ୍କ ପାଇଁ ମୁଖ୍ୟ ଆହ୍ୱାନ ହୋଇଛି। ତେଣୁ ଆମେରିକାର ମୁଖ୍ୟ ଶତ୍ରୁ ତାଲିବାନ୍‍ ସହିତ ଶାନ୍ତି ରାଜିନାମା ପାଇଁ ଟ୍ରମ୍ପ ଇତିମଧ୍ୟରେ ଏକାଧିବାର ପ୍ରୟାସ କରିଛନ୍ତି। ଏହି ପ୍ରୟାସରେ ପାକିସ୍ତାନକୁ ମଧ୍ୟସ୍ଥତା କରିବାର ଏକାଧିକ ସୁଯୋଗ ମଧ୍ୟ ଦେଇଛନ୍ତି। ଏହାସତ୍ତ୍ବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ ଏ ଦିଗରେ ଟ୍ରମ୍ପଙ୍କୁ ସହାୟତା କରିବାର ଆଶା ଦିଶୁନାହିଁ। ଏଭଳି ପରିସ୍ଥିତିରେ ଆଫ୍‍ଗାନିସ୍ତାନ ଓ ଇରାନ୍‍ ସହିତ ଭଲ ସମ୍ପର୍କରେ ଥିବା ଭାରତର ହାତ ଧରିବା ପାଇଁ ଟ୍ରମ୍ପ ଆଶାୟୀ ହେବା ଅସ୍ୱାଭାବିକ ନୁହେଁ। ଇରାନ୍‍ର ପୂର୍ବତନ ସାମରିକ ମୁଖ୍ୟ କାସିମ୍‍ ସୁଲେମାନୀ ଆମେରିକାର ସାମରିକ ଆକ୍ରମଣରେ ନିହତ ହେବା ପରେ ଇରାନ୍‍ ପଟୁ ଆମେରିକୀୟଙ୍କ ପ୍ରତି ଅନିଶ୍ଚିତ ବିପଦ ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ନିର୍ବାଚିତ ଅବ୍ୟବହିତ ପୂର୍ବରୁ ଏହି ଆଶଙ୍କା ହିଁ ଟ୍ରମ୍ପଙ୍କ ଲୋକପ୍ରିୟତା ଆଗରେ ପ୍ରତିବନ୍ଧକ ସାଜିଛି। ତେଣୁ ଭାରତ ଜରିଆରେ ଯଦି ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୁଏ ତେବେ ଆମେରିକାର କୂଟନୀତି ଫଳପ୍ରଦ ହୋଇପାରିବ।
ଟ୍ରମ୍ପଙ୍କ ଭାରତ ଗସ୍ତର ଉଦ୍ଦେଶ୍ୟ ଯଦି ଏହା ହିଁ ହୋଇଥାଏ ତେବେ ଭାରତ ମଧ୍ୟ ଚତୁରତାର ସହିତ ମୂଲଚାଲ କରିବା ଆବଶ୍ୟକ। ଭାରତ ଗସ୍ତ ପୂର୍ବରୁ ଆମେରିକା ଭାରତକୁ ବିକାଶଶୀଳ ରାଷ୍ଟ୍ର ତାଲିକାରୁ ବାଦ୍‍ ଦେବାକୁ ଘୋଷଣା କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହାଦ୍ୱାରା ଭାରତ ଆମେରିକାରୁ ପାଉଥିବା ବାଣିଜ୍ୟ ରିଆତି ଓ ଅନୁଦାନରୁ ବାଦ୍‍ ପଡ଼ିବ ଓ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରାଯାଉଛି। ଏହି ଘୋଷଣାକୁ ଭାରତ ଗସ୍ତ ଅବସରରେ ‘ଟ୍ରମ୍ପଙ୍କ କଲରା ଝୁଡ଼ି ଉପହାର’ ବୋଲି ଶିବସେନା ମୁଖପତ୍ର ‘ସାମ୍‍ନା’ରେ ଅଭିହିତ କରାଯାଇଛି। ଯଦି ପ୍ରକୃତରେ ମୋଟା ଭାଇ(ଡୋନାଲ୍ଡ ଟ୍ରମ୍ପ)ଙ୍କ ଉପହାର ଝୁଡ଼ିରେ କଲରା ଥିବ ତେବେ ତାହାକୁ ଦୁଇଟି ଦୃଷ୍ଟିରେ ତର୍ଜମା କରିବାର ଅବକାଶ ସୃଷ୍ଟି ହୋଇଛି। ପ୍ରଥମତଃ, ବିଶ୍ୱର ସର୍ବବୃହତ୍‍ ଦୁଗ୍ଧ ବଜାର ଭାରତରେ ଆମେରିକା ବଜାର ଅଂଶ ଦଖଲ କରିବାକୁ ଚାହୁଁଛି। ତେଣୁ ଟ୍ରମ୍ପଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଦେଶର ଦୁଗ୍ଧ ବଜାର ଯେପରି କ୍ଷତିଗ୍ରସ୍ତ ନ ହୁଏ ସେଥିପ୍ରତି ଭାରତ ସତର୍କ ରହିବାକୁ ପଡ଼ିବ। ‘ପିତା ବଦଳରେ ମିଠା’ କୌଶଳରେ (ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଭାରତ ବିଶାଳ ଆୟୋଜନ କରୁଛି। କେବଳ ଅହମ୍ମଦାବାଦରେ ୧୦୦କୋଟି ଟଙ୍କା ଖର୍ଚ୍ଚ କରାଯାଉଛି) ଭାରତ ବିଶ୍ୱ ସମ୍ମୁଖରେ ନିଜ ହୃଦୟବତ୍ତାର ପରିଚୟ ଦେଇପାରେ। ଏହାଠାରୁ ଅଧିକ ଉଦାର ହେଲେ ଭାରତ ବାଣିଜ୍ୟରେ ଆହୁରି ଅଧିକ କ୍ଷତି ସହିବ। ନିର୍ବାଚନ ସାମ୍‍ନା କରିବାକୁ ଯାଉଥିବା ଟ୍ରମ୍ପଙ୍କ ଦୁର୍ବଳତାକୁ ମାପି ଭାରତ ଠିକଣା ଢଙ୍ଗରେ ବୁଝାମଣା କରିବା ଉଚିତ ହେବ। ଦ୍ୱିତୀୟତଃ, ଭାରତ ବିକାଶଶୀଳ ରାଷ୍ଟ୍ର ତାଲିକାରୁ ବାହାରି ବିକଶିତ ରାଷ୍ଟ୍ରର ମାନ୍ୟତା ପାଇବାର ସମୟ ଏବେ ଉପନୀତ। ଏଣୁ ଆଉ ଆମେରିକାର ହାତଟେକା ଅନୁଦାନ ଓ ରିଆତି ଉପରେ ନିର୍ଭର ନ କରି ଭାରତ ନିଜ ଗୋଡ଼ରେ ଠିଆ ହେବାର ଉଦ୍ୟମ କରିବା ଆବଶ୍ୟକ। ଏହି ଦୃଷ୍ଟିକୋଣରୁ କଲରା ପିତା ହେଲେ ମଧ୍ୟ ଦୀର୍ଘକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ଭାବିବାକୁ ହେବ। ୫ ଟ୍ରିଲିୟନ ଡଲାର ଆଡ଼କୁ ଦୌଡ଼ୁଥିବା ଭାରତୀୟ ଅର୍ଥନୀତିର ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟାବଶ୍ୟକ ନିଶ୍ଚୟ।
ମୋଟା ଭାଇଙ୍କ ଝୁଡ଼ିରେ କ’ଣ ଉପହାର ରହିଛି ତାହା ଆସନ୍ତା ୨୪ ତାରିଖ ପରେ ଅବଶ୍ୟ ସ୍ପଷ୍ଟ ହେବ। ଉପହାରରେ ଭଳି ନ ଯାଇ(କାରଣ ମାତ୍ରାଧିକ ମିଠା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ଅହିତକର) ଭାରତର କୂଟନୀତିଜ୍ଞମାନେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଓ ବହୁପାକ୍ଷିକ ସମ୍ପର୍କ(ଶରୀର)ରେ ସମତୁଲତା ରକ୍ଷା କରିବା ପାଇଁ ଯାହା ହିତକର ତାର ଉପଯୋଗ କରିବା ଆବଶ୍ୟକ। ଅନେକ କ୍ଷେତ୍ରରେ ‘ବିଶ୍ୱର ଶ୍ରେଷ୍ଠ’ ମାନ୍ୟତା ପାଇସାରିଥିବା ଭାରତ ଯେ ଏ ଦିଗରେ ସଚେତନ, ସଜାଗ ଓ ସଂଯମ ରକ୍ଷା କରିବ- ତାହା ନିଃସନ୍ଦେହ।

Comments are closed.