ଇରାନ ଆକ୍ରମଣ ପରେ ଟ୍ରମ୍ପ କହିଲେ- ଅଲ୍‌ ଇଜ ୱେଲ, କାଲି ସକାଳେ ନେବୁ ବଡ଼ ନିଷ୍ପତ୍ତି

ୱାଶିଂଟନ: ଇରାକରେ ଥିବା ଆମେରିକାର ବାୟୁସେନା ଘାଟିରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଆହୁରି ବଢ଼ିଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୈନ୍ୟ ଅଧିକାରୀମାନଙ୍କଠାରୁ ଆକ୍ରମଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଅନ୍ୟପଟେ ଇରାନ କହିଛି ଆତ୍ମରକ୍ଷା ପାଇଁ ଆମେ ଆକ୍ରମଣ କରିଛୁ। ଏହାର ଜବାବରେ ଟ୍ରମ୍ପ କହିଛନ୍ତି, ଅଲ୍‌ ଇଜ୍‌ ୱେଲ ଅର୍ଥାତ ସବୁ ଠିକ୍‌ ଅଛି। ତେବେ ଟ୍ରମ୍ପଙ୍କ ଏଭଳି ଶାନ୍ତ ମନ୍ତବ୍ୟ ଆମେରିକାର କିଛି ବଡ଼ ପଦକ୍ଷେପର ପୂର୍ବାଭାଷ ବୋଲି ବୁଝାପଡ଼ୁଛି। ଟ୍ରମ୍ପଙ୍କ ଆଉ ଏକ ମନ୍ତବ୍ୟ ମଧ୍ୟ ବେଶ୍‌ ଚିନ୍ତାଜନକ ରହିଛି। ଆସନ୍ତା କାଲି ସକାଳେ ବଡ଼ ନିଷ୍ପତ୍ତି ନେବୁ ବୋଲି ଟ୍ରମ୍ପ କହିବା ପରେ ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆମେରିକା ଇରାନକୁ ଦୃଢ଼ ଜବାବ ଦେବା ଲାଗି ବଡ଼ ପଦକ୍ଷେପ ନେବା ଆଶଙ୍କା ଉପୁଜିଛି।

ଟ୍ରମ୍ପ ଟ୍ବିଟ୍‌ କରି କହିଛନ୍ତି, ଅଲ୍‌ ଇଜ୍‌ ୱେଲ। ଆମେ ମୃତାହତ ସଂଖ୍ୟା ଏବଂ ନଷ୍ଟ ହୋଇଥିବା ସମ୍ପତ୍ତିର ଆକଳନ କରୁଛୁ। ଆମ ନିକଟରେ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ସେନା ରହିଛି। ମୁଁ କାଲି ସକାଳେ ଏ ସମ୍ପର୍କରେ ମନ୍ତବ୍ୟ ଦେବି।

ଅନ୍ୟପଟେ ଇରାନର ଆକ୍ରମଣ ପରେ ଇସ୍ରାଏଲ ଏବଂ ସାଉଦି ଆରବ ସତର୍କ ରହିଛନ୍ତି। ଇରାନ ଇସ୍ରାଏଲର ହାଇଫା ସହର ଏବଂ ସାଉଦି ଆରବ ଉପରେ ବି  ଆକ୍ରମଣ କରିବାକୁ ଚେତାବନୀ ଦେଇଛି। ଏହା ପରେ ଦୁଇ ଦେଶର ସେନା ହାଇଆଲର୍ଟରେ ରହିଛନ୍ତି। ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସୈନ୍ୟ କମାଣ୍ଡରଙ୍କ ବୈଠକ ଡକାଇଛନ୍ତି।

Comments are closed.