ଟ୍ରମ୍ପ ହେଉଛନ୍ତି ଜୋକର, ଇରାନ ଲୋକଙ୍କୁ ଧୋକା ଦେବେ – ଖୋମିନି

ତେହେରାନ: ଇରାନର ଶୀର୍ଷ ନେତା ଆୟତୁଲ୍ଲା ଅଲ୍ଲୀ ଖୋମିନି କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ହେଉଛନ୍ତି ଜଣେ ଜୋକର ଏବଂ ସେ ଇରାନ ଲୋକଙ୍କ ସମର୍ଥନ କରୁଥିବା ଭଳି ନାଟକ କରୁଛନ୍ତି। ୨୦୧୨ ପରେ ପ୍ରଥମ ଥର ପାଇଁ ନମାଜରେ ଉପସ୍ଥିତ ନାଗରିକଙ୍କୁ ଉଦବୋଧନ ଦେଇ କହିଛନ୍ତି, ଆମେରିକା ଇରାନ ଉପରେ ବିଶ୍ୱାସଘାତକତା କାର୍ଯ୍ୟ କରିବ।
ସେ କହିଛନ୍ତି, ଆମେରିକା ଇସ୍ଲାମିକ ଷ୍ଟେଟ ସମୂହ ବିରୁଦ୍ଧରେ ଲଢ଼ୁଥିବା ଜଣେ ଲଢୁଆ କମାଣ୍ଡରଙ୍କୁ ଭୀରୁତା ପୂର୍ବକ ହତ୍ୟା କରିଛି। ୟୁକ୍ରେନ ବିମାନକୁ କ୍ଷେପଣାସ୍ତ୍ର ମାଡ ପ୍ରସଙ୍ଗକୁ ଖୋମିନି ଭୟଙ୍କର ବର୍ଣ୍ଣନା କରି କହିଛନ୍ତି ଯେ ଏହି ଦୁର୍ଘଟଣା ଇରାନ ଲୋକଙ୍କୁ ଯେତିକି ଦୁଃଖ ଦେଇଛି, ଶତ୍ରୁ ପକ୍ଷଙ୍କୁ ମଧ୍ୟ ସେତିକି ଆନନ୍ଦ ଦେଇଛି। ସେ କହିଛନ୍ତି, ପଶ୍ଚିମ ଦେଶଗୁଡିକର ସେତେ ଦମ ନାହିଁ ଯେ ସେମାନେ ଇରାନକୁ ଜବାବ ଦେଇ ପାରିବେ। ଇରାନ ଆଲୋଚନା ପାଇଁ ପ୍ରସ୍ତୁତ ଅଛି କିନ୍ତୁ ଆମେରିକା ସହ ନୁହେଁ ବୋଲି ଇରାନର ଶୀର୍ଷ ନେତା ଆୟତୁଲ୍ଲା ଅଲ୍ଲୀ ଖୋମିନି କହିଛନ୍ତି।