୨୪ରେ ଦୀପାବଳି ପାଳନ କରିବେ ଟ୍ରମ୍ପ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ତୃତୀୟ ବର୍ଷ ପାଇଁ ହ୍ବାଇଟ୍‌ ହାଉସ୍‌ରେ ଦୀପାବଳି ଉତ୍ସବ ପାଳନ କରିବେ। ଭାରତରେ ଅକ୍ଟୋବର ୨୭ରେ ଏହି ଉତ୍ସବ ପାଳନ ହେଉଥିବା​ବେଳ ଏହାର ତିନି ଦିନ ପୂର୍ବରୁ ଟ୍ରମ୍ପ ଏହା ପାଳନ କରିବେ ବୋଲି ମଙ୍ଗଳବାର ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୯ରେ ତତ୍କାଳୀନ ରାଷ୍ଟ୍ରପତି ବରାକ ଓବାମା ହ୍ବାଇଟ୍‌ ହାଉସ୍‌ରେ ଦୀପାବଳି ପାଳନ ପର୍ବ ଆରମ୍ଭ କରିଥିଲେ; କିନ୍ତୁ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ଏହି ପରମ୍ପରା ବଜା​ୟ ରଖିଛନ୍ତି। ଟ୍ରମ୍ପ ପୂର୍ବ ବର୍ଷ ପରି ଚଳିତ ବର୍ଷ ଦୀପ ଜାଳି ଉତ୍ସବ ଆରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ପ୍ରଶାସନର ସଦସ୍ୟ ଓ ବଛାବଛା ଆମେରିକୀୟ-ଭାରତୀୟମାନେ ଉପସ୍ଥିତ ରହିବେ। ଅପରପକ୍ଷରେ ଆ​ମେରିକାରେ ଏବେଠାରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇଗଲାଣି। ଟେକ୍ସାସ ଗଭର୍ଣ୍ଣର ଗ୍ରେଗ ଆବଟ ଶନିବାର ଭାରତୀୟମାନଙ୍କ ଗହଣରେ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ମନେ ପକାଇଛନ୍ତି। ଟେକ୍ସାସ୍‌ର ରିପବ୍ଲିକାନ୍‌ କଂଗ୍ରେସ ସଦସ୍ୟ ପିଟ୍‌ ଓଲସନ୍‌ ସ୍ବାମୀ ନାରାୟଣ ମନ୍ଦିରରେ ଉତ୍ସବ ପାଳିଛନ୍ତି। ଆମେରିକାର ୩୫ଟି ସ୍ଥାନରେ ଚଳିତ ବର୍ଷ ବିଜୟା ଦଶମୀ ପାଳନ କରାଯାଇଥିଲା।

Comments are closed.