ବନ୍ଧୁକ ମୁନରେ ଟ୍ରକ ଲୁଟ, ଡ୍ରାଇଭର ମୁହଁକୁ ବାନ୍ଧି ବାଙ୍ଗିରିପୋଷି ଘାଟିରେ ଫିଙ୍ଗି ଦେଲେ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ଛକ ନିକଟରୁ ଗତ ରାତି ଡକାୟତ ଦଳ ବନ୍ଧୁକ ମୁନରେ ଏକ ୧୪ ଚକିଆ ଟ୍ରକ ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ଟ୍ରକ ମାଲିକ ଝାଡ଼ଖଣ୍ଡ ରାଜ୍ୟ ହଜାରିବାଗ ଜିଲ୍ଲା ବାରକଠାର ଗୌରୀ ଶଙ୍କର ସାହୁ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଖବରରୁ ପ୍ରକାଶ ଯେ ଗତ ୧୮ ତାରିଖରେ ଖଡ଼ଗପୁରରେ ଆଇରନ୍ ଅନଲୋଡ୍ କରି ବଡ଼ବିଲକୁ ଫେରୁଥିବା ଜେଏଚ୍ ୦୨ ଏଏସ୍ ୭୦୬୪ ନମ୍ବର ବିଶିଷ୍ଟ ୧୪ ଚକିଆ ଟାଟା ଟ୍ରକଟିକୁ ରାତି ସାଢ଼େ ୧୦ଟାରେ ତୁରୁମୁଙ୍ଗା ହାତୀବାରି ଛକ ଏଚପି ପେଟ୍ରୋଲ ପମ୍ପ ନିକଟରେ ରଖି ଏହାର ଡ୍ରାଇଭର ହଜାରିବାଗ ବାରକଠାର ବିଜୟ ଯାଦବ (୨୭) ଢାବାରେ ଖାଇବା ପରେ ଆସି ଗାଡିରେ ଶୋଇଥିଲେ । ଏହି ଗାଡିଟିକୁ ଯଶିପୁରରୁ ପିଛା କରୁଥିବା ଏକ ଚାରିଚକିଆ ଗାଡ଼ିରେ ଡକାୟତମାନେ ରାତି ପାଖାପାଖି ଅଢେ଼ଇଟା ସମୟରେ ଉକ୍ତ ଗାଡ଼ି ନିକଟକୁ ଯାଇଥିଲେ। ଡ୍ରାଇଭର ସେମାନଙ୍କ ଡାକ ଶୁଣି ଉଠିଥିଲେ। କିଛି କହିବା ପୂର୍ବରୁ ସେମାନେ ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇବା ସହ ତାଙ୍କ ମୁଣ୍ଡ ଓ ହାତକୁ କମଳ ଘୋଡାଇ ବାନ୍ଧି ଦେଇଥିଲେ । ବନ୍ଧା ହୋଇଥିବା ଡ୍ରାଇଭରଙ୍କୁ ଟ୍ରକରେ ପକାଇ ଡକାୟତମାନେ ଟ୍ରକଟିକୁ କଲିକତା ଆଡ଼କୁ ନେଇ ପଳାଇ ଯାଇଥିଲେ। ତେବେ ବାଟରେ ବାଙ୍ଗିରିପୋଷି ଘାଟି ନିକଟରେ ଗାଡି ଭିତରୁ ଡ୍ରାଇଭରକୁ ଫିଙ୍ଗି ଦେଇ ଟ୍ରକଟି ନେଇ ଫେରାର ହୋଇଯାଇଥିଲେ। ଅନ୍ୟ ମାନଙ୍କ ସହାୟତାରେ ଟ୍ରକ୍‌ ଡ୍ରାଇଭର ସେଠାରୁ ଉଦ୍ଧାର ହେଲା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ଜିପିଏସ୍ ସିଷ୍ଟମ୍‌ ଆଧାରରେ ଟ୍ରକ୍‌ଟି ହଳଦିଆ ପୋଟ୍‌ରେ ଥିବା ଜଣାପଡିଥିବାରୁ ତୁରୁମୁଙ୍ଗା ପୋଲିସ ସେଠାକାର ପୋଲିସ ସହ ଯୋଗାଯୋଗ କରୁଛି।

Comments are closed.