ଜମିହରା ଆଦିବାସୀଙ୍କ ୬ଦଫା ଦାବି ନେଇ ଶ୍ରୀ ସିମେଣ୍ଟ ଫାଟକ ସମ୍ମୁଖରେ ଧାରଣା

ଦାବି ପୁରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

ଗୁରୁଡିଝାଟିଆ :  ଘଣ୍ଟିଖାଲ ନିକଟରରେ ଗଢିଉଠିଥିବା ଶ୍ରୀ ସିମେଣ୍ଟ କାରଖାନା ଜମିହରା ଆଦିବାସୀମାନଙ୍କୁ ଚାକିରୀ ଦେବା ନାମରେ ଭଣ୍ଡେଇ ଚାଲିଛି। ଶାଗମାଛ ଦରରେ ଜମି ନେଇ ନିଯୁକ୍ତି ଦେବା କହି ନିଯୁକ୍ତି ତ ଦେଉନାହିଁ ବରଂ ଠିକାରେ ଥିବା ୩ଜଣ କର୍ମଚାରୀଙ୍କୁ ବାହାର କରିଦେଇଛି । ପାରିପାର୍ଶ୍ବିକ ଉନ୍ନୟନ ପାଇଁ କିଛି କାମ କରୁନାହିଁ । କାରଖାନା ଫାଟକ ଠାରୁ ୧୦୦ ମିଟର ଦୂରରେ ଘଣ୍ଟିଖାଲ ଶବରସାହି ଅବସ୍ଥିତ । ଜନସାଧାରଣ ଧୁଳି, ଧୂଆଁରେ ରୁନ୍ଧି ହୋଇପଡୁଛନ୍ତି। ପ୍ରଦୁଷଣରେ ଲୋକମାନେ ହଇରାଣ ହେଉଛନ୍ତି । ହେଲେ ପାରିପାର୍ଶ୍ବିକ ଉନ୍ନୟନ ବାବଦରେ ଗାଁ ପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିନାହିଁ । ବିଦ୍ୟାଳୟର ପାଚେରୀ , ପାଠ୍ୟ ଉପକରଣ, ସ୍ୱାସ୍ଥ୍ୟସେବା, ଯୁକ୍ତି,ପୋଖରୀର ପୁନଃଉଦ୍ଧାର, ଅବସରବିନୋଦନ ଗୃହ, କୌଣସି ଗୋଟିଏ ମଧ୍ୟ କରିନାହିଁ । ଖାଲି ମିଥ୍ୟା ପ୍ରତିଶୃତିଦେଇ ଚାଲିଛି । ଛଅଦଫା ଦାବି ନେଇ ଶବର ସାହିର ଜମିହରା ୩୩ ପରିବାରର ସଦସ୍ୟମାନେ କାରଖାନା ସମ୍ମୁଖରେ ରାତିରେ ବସିଥିଲେ ମଧ୍ୟ କାରଖାନା କର୍ତ୍ତୃପକ୍ଷଙ୍କ ଦର୍ଶନ ମିଳିନାହିଁ। କେବଳ ଘଣ୍ଟିଖାଲ ଶବରସାହି କାହିଁକି ସ୍ଥାନୀୟ ପାଖ ପଞ୍ଚାୟତ ମାନଙ୍କରେ ଶ୍ରୀ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷଙ୍କ ପାରିପାର୍ଶ୍ବିକ ଉନ୍ନୟନ ବାବଦରେ ଆଖିଦୃଶିଆ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷର ଦାନା ବାନ୍ଧୁଛି। ପ୍ରକାଶଯୋଗ୍ୟ କାରଖାନା କର୍ତ୍ତୃପକ୍ଷ ବିପଦ ସମୟରେ ବିଳମ୍ବିତ ରାତିରେ ନିକଟବର୍ତ୍ତି ଗାଁରେ କାହାର ସ୍ୱାସ୍ଥ୍ୟଜନିତ ଅସୁବିଧା ହେଲେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟ ନେଉଥିଲା । ତାହାକୁ କିଛିମାସ ହେଲା ବନ୍ଦ କରି ଦିଆଯାଇଛି । ଯାହାକି ଅତ୍ୟନ୍ତ ଅମାନବିକ । ରାସ୍ତାରେ ଧୁଳି ରୋକିବା ପାଇଁ ପାଣିସିଞ୍ଚନ ବ୍ୟବସ୍ଥାକୁ ମଧ୍ୟ ବନ୍ଦ କରି ଦିଆଯାଇଛି । କାଁ ଭାଁ ଜଣେ ଅଧେକୁ ଛାଡିଦେଲେ ସମସ୍ତ କର୍ମଚାରୀଙ୍କୁ ଠିକାରେ ନିଯୁକ୍ତି ଦେଇଛି । ଏପରିକି ସିମେଣ୍ଟ ପ୍ୟାକିଂ ଓ ଗୁଣ୍ଡ କରିବା ସ୍ଥାନରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ନିରାପତ୍ତା ଦୃଷ୍ଟିରୁ ତୁଣ୍ଡି, କଦଳୀଗୁଡ ଆଦି ପ୍ରଦାନ କରୁନାହିଁ। ପାରିପାର୍ଶ୍ବିକ କଥା ନକହିଲେ ଭଲ । ତେଣୁ ଶ୍ରୀ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷଙ୍କ ମନମାନି ବିରୋଧରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏହି ଅଭିଯୋଗ କରିବା ସହ କାରଖାନା କର୍ତ୍ତୃପକ୍ଷ ସରକାରୀ ନିୟମ ଅନୁଯାୟୀ ବିକାଶ କାର୍ଯ୍ୟ ନକଲେ ଆଗକୁ ବଡ ଆନ୍ଦୋଳନର ସମ୍ମୁଖିନ ହେବେ ବୋଲି କେହି କେହି କହିବାକୁ ପଛାଉନାହାନ୍ତି । କାରଖାନା ସମ୍ମୁଖରେ ଜମିହରା ଆଦିବାସୀମାନେ ୬ଦଫା ଦାବି ନେଇ ଧାରଣାରେ ବସିଥିବା ସଂପର୍କରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କୁ ପଚାରିବାରୁ ସେ କହିଥିଲେ ଅହିଂସାରଥ ଆଠଗଡକୁ ଆସିଥିବାରୁ ସେଥିରେ ବ୍ୟସ୍ତତା ହେତୁ ଧାରଣାକାରୀଙ୍କ ସମାସ୍ୟା ବୁଝା ହୋଇପାରିନାହିଁ। ଆସନ୍ତାକାଲି ଏ ସଂପର୍କରେ ଆଲୋଚନା କରାଯାଇ ବ୍ୟବସ୍ଥା କରାଯିବ। କାରଖାନାର ବରିଷ୍ଠ ଅଧିକାରୀ ସର୍ବେଶ୍ୱର ମହାନ୍ତିଙ୍କୁ ପଚାରିବାରୁ କହିଥିଲେ ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ । ଯେଉଁ ୩ଜଣଙ୍କୁ ବାହାର କରିଦିଆଯାଇଛି ବୋଲି କୁହାଯାଇଛି ସେମାନେ ସାମୟିକ କର୍ମଚାରୀଥିଲେ । କାରଖାନାର ଆବଶ୍ୟକତା ସମୟରେ ପୁନର୍ବାର ରହିପାରିବେ।

Comments are closed.