ଟ୍ରାଇବାଲ୍‌ ମ୍ୟୁଜିୟମ୍‌: ଭର୍ଚୁଆଲ୍‌ ଟୁର୍‌ରେ ଦିଦାୟୀ ଓ ମହାଲି ଜନଜାତି

ଭୁବନେଶ୍ୱର: କୋଭିଡ୍‌ ପରିପ୍ରେକ୍ଷୀରେ ଏସ୍‌ସିଏସ୍‌ଟିଆର୍‌ଟିଆଇଠାରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି। ତେଣୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଟୁଇଟର ଓ ଫେସ୍‌ବୁକ୍‌ ପେଜ୍‌ @scstrti, @stscdev ଖୋଲି ଡିସେମ୍ବର ୬(ରବିବାର)ରେ ଦିଦାୟୀ ଓ ମହାଲି ଜନଜାତିଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।


ଓଡ଼ିଶାର ଦକ୍ଷିଣାଞ୍ଚଳର ମାଲକାନଗିରି ଜିଲ୍ଲାରେ ଦିଦାୟୀ ଜନଜାତି ସଂପ୍ରଦାୟର ଲୋକମାନେ ବସବାସ କରିଥାନ୍ତି। ସବୁଜ ବନାନୀ ମଧ୍ୟରେ ପର୍ବତାଞ୍ଚଳରେ ଦିଦାୟୀମାନେ ବାଉଁଶରେ ବିଭିନ୍ନ ସାମଗ୍ରୀ, ହସ୍ତତନ୍ତ ବସ୍ତ୍ର ବୁଣିବା, ତୀରଚାଳନା, ଝାଡ଼ୁ ତିଆରି କରିଥାନ୍ତି। ଦିଦାୟୀମାନେ ପୃଥିବୀ ମାତାଙ୍କ ସହିତ ବହୁ ଦେବଦେବୀଙ୍କୁ ଯଥା: ବୁରୋ ଭାଇରୋ ଓ ନାନାଗିରି, ବାନଗୁର ଓ ରାସକୁରୁକ୍‌, ଗୋଆ ଓ ସେନ୍‌ଡିଆ, ରାଉ ଓ ଅକସିଆ, ଗୋଣ୍ଡ ଓ ସୁନି, ଥାକରନ ଓ ବୁରିମାତା, ଜୈନିମାତା ଓ ରେକାପାଇଡୁ ଓ ବୋକ ଓ ପା ଆଦିଙ୍କୁ ପୂଜା କରିଥାନ୍ତି। ଏହି ଜନଜାତି ସଂପ୍ରଦାୟ ଲେଣ୍ଡି ପାଣ୍ଡେ, ଘିଆ ପାଣ୍ଡେ, ଶିବୋ ଲୋୟେ ହିଆ, ଜୁଗୁଲୁବାର ହିଆ, ସିଆନ୍‌ଜେଇ ହିଆ, ଦିଆସେଇ ହିଆ, ଗୋସେନ୍‌ଦିଆ ହିଆ, ସିଙ୍ଗୁଟି ହିଆ, ରାସକୁରୁ ହିଆ, ଦୋସରା ହିଆ, ରୋଡ଼ିଆ ହିଆ, ଓସାରେକ ପାଣ୍ଡେ ଆଦି ପର୍ବପର୍ବାଣୀ ପାଳନ କରିଥାନ୍ତି।


ଏତଦ୍‌ବ୍ୟତୀତ ରବିବାର ଦିନ ଦର୍ଶକମାନେ ଅନ୍ୟ ଏକ ଭିଡ଼ିଓ ଯୋଗେ ମହାଲି ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ। ମହାଲି ଜନଜାତି ସଂପ୍ରଦାୟ ସାଧାରଣତଃ ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର ଜିଲାରେ ବସବାସ କରିଥା’ନ୍ତି। ସେମାନଙ୍କର ମୁଖ୍ୟ ପେଶା ହେଉଛି ପାଲିଙ୍କି ଧରିବା, ବାଉଁଶରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି, ଶ୍ରମଜୀବୀ। ସେମାନଙ୍କର ମୁଖ୍ୟ ପର୍ବ ହେଉଛି ‘ବାହା’, ‘ଶରାଇ’, ‘ମା-ମାନେ’ ଇତ୍ୟାଦି। ମହାଲି ଜନଜାତି ମୁଖ୍ୟତଃ ବାଉଁଶରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ଥାନୀୟ ମାର୍କେଟରେ ବିକ୍ରୟ କରିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ କୃଷି କାର୍ଯ୍ୟ କରିଥାନ୍ତି। ସେମାନେ ବିବିଧ ପାରମ୍ପରିକ ଜନଜାତି ଗୋଷ୍ଠୀ ରହୁଥିବା ଗ୍ରାମରେ ବସବାସ କରିଥାନ୍ତି। ଗୋଶାଳା ସହିତ ଦୁଇରୁ ତିନି ବଖରାବିଶିଷ୍ଟ ଘରେ ରହିଥାନ୍ତି। ଘରଗୁଡ଼ିକ ମାଟିରେ ତିଆରି ଓ ଛାତ ଛପର କିମ୍ବା ଟାଇଲ୍‌ ହୋଇଥାଏ। ସାନ୍ତାଳ ଜନ ଜାତିଙ୍କ ଭଳି ମହାଲିମାନେ ମାରାଙ୍ଗ ବୁରୁ, ବଣକୁଆଁରି, ମନରେଇକୋ ଟୁରେଇକୋ, ବାବାଜୀ, ବଡ଼ଚଣ୍ଡୀ ଓ ରଙ୍ଗଚଣ୍ଡୀଙ୍କୁ ପୂଜା କରିଥାନ୍ତି। ଭିନ୍ନ ସ୍ୱଭାବବିଶିଷ୍ଟ ଏହି ଜନଜାତି ସଂପ୍ରଦାୟ ପାଞ୍ଚଟି ବିଭାଗ ଯଥା-ବାନ୍‌ସ୍‌ଫୋର (ବାଉଁଶ କାରିଗର), ପତର (ବାସ୍କେଟ ପ୍ରସ୍ତୁତକାରୀ), ସୁଲୁଙ୍କ (କୃଷି ଓ ଶ୍ରମଜୀବୀ), ତନ୍ତି (ପାଲିଙ୍କି ଉଠାଇବା) ଓ ମହାଲି ମୁଣ୍ଡା (ମୁଣ୍ଡା ଜନଜାତିଙ୍କ ଉପଗୋଷ୍ଠୀ)। ମହାଲି, ସାନ୍ତାଳ ଓ ମୁଣ୍ଡା ଜନଜାତିଙ୍କ ମଧ୍ୟରେ ଏକ ସାଂସ୍କୃତିକ ସମାନତା ରହିଛି। ନୟା, ମାଝୀ ଓ ଗାଡ଼ିଏଟ୍‌
ଆଦିଙ୍କୁ ନେଇ ମହାଲି ଗ୍ରାମ କାଉନ୍‌ସିଲ୍‌ ଗଠିତ ହୋଇଥାଏ ଏବଂ ଏହି କାଉନ୍‌ସିଲ୍‌ ଗ୍ରାମବିବାଦର ସମାଧାନ କରିଥାଏ। ପ୍ରତ୍ୟେକ ପର୍ବପର୍ବାଣିରେ ମହାଲି ଜନଜାତିର ଲୋକମାନେ ଗୀତ ଓ ନୃତ୍ୟ ପରିବେଷଣ କରିବା ପାଇଁ ଭଲ ପାଆନ୍ତି।

Comments
Loading...