ଭାରତର ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କିତ ଜାତୀୟ କର୍ମଶାଳା

ଗୋପାଳପୁର :  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମାଜିକ ବର୍ଜିତ ଓ ସଂପୃକ୍ତି କେନ୍ଦ୍ର ଆନୁକୂଲ୍ୟରେ ଜାତୀୟ ଜନଜାତି ଆୟୋଗ, ନୂଆଦିଲ୍ଲୀ ପକ୍ଷରୁ ଭାରତବର୍ଷରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳନ ଅବସରରେ ବିଶ୍ୱବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ “ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ସଂଗ୍ରାମୀଙ୍କ ଅବଦାନ” ଶୀର୍ଷକ ଏକଦିବସୀୟ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଦାଶ ଏହି ଅବସରରେ ଭାରତବର୍ଷର ଜନଜାତି ସଂଗ୍ରାମୀ ବୀରଙ୍କ ଭାରତୀୟ ସ୍ୱାଧୀନତା କାଳରେ ବଳିଦାନକୁ ସ୍ମରଣ କରିବା ସହିତ ସେହି ବୀରମାନଙ୍କ ସଂଗ୍ରାମ ଓ ଉତ୍ସର୍ଗୀକୃତ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସଂପ୍ରତି ଭାରତବର୍ଷର ଇତିହାସକୁ ପୁନର୍ଲିଖନ ଓ ପୁନଃ ଆଲୋଚନା କରିବା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଘୁମୁସୁରରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବୀଜ ସ୍ଥାପନରେ ଚକରା ବିଷୋୟୀଙ୍କ ସମେତ ଅନ୍ୟାନ୍ୟ ଜନଜାତି ସଂଗ୍ରାମୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । କର୍ମଶାଳାରେ ମୁଖ୍ୟ ବକ୍ତା ଭାବେ  ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ନିରଞ୍ଜନ ଶବର ଭାରତବର୍ଷରେ ଜନଜାତି ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହିତ ଓଡି଼ଶାର ଜନଜାତି ବୀରମାନଙ୍କ କୃତି ଓ କୀର୍ତ୍ତିର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ଜାତୀୟ ଜନଜାତି କମିଶନ ପକ୍ଷରୁ ଯୋଗ ଦେଇଥିବା ବିଶିଷ୍ଟ ଜନଜାତି ଗବେଷକ ରିପୁସୂଦନ ମିଶ୍ର ସାମ୍ପ୍ରତିକ କାଳରେ ଜନଜାତି ସଂଗ୍ରାମୀ ଓ ଜନଜାତି ଆୟୋଗର ଭୂମିକା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । କର୍ମଶାଳାରେ ଉପସ୍ଥିତ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଭେରିୟର ଅଲୱିନ୍‌ଙ୍କଠାରୁ ଆରମ୍ଭ କରି ଓଡି଼ଶାର ବିଭିନ୍ନ ଗବେଷକଙ୍କ ପର୍ଯ୍ୟନ୍ତ ବିଦ୍ୱାନମାନେ ଭାରତୀୟ ଜନଜାତି ସମ୍ପର୍କରେ କରିଥିବା ଗବେଷଣାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ ।
ପ୍ରାରମ୍ଭରେ କର୍ମଶାଳାର ସଂଯୋଜକ ସ୍ନାତକୋତ୍ତର ଓଡି଼ଆ ବିଭାଗ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଅତିଥି ପରିଚୟ ସହିତ କର୍ମଶାଳାର ଉଦ୍ଦେଶ୍ୟ ଓ ଏହାର ଉପଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ । ସାମାଜିକ ବର୍ଜିତ ଓ ସଂପୃକ୍ତି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମୃତ୍ୟୁଞ୍ଜୟ ସ୍ୱାଇଁ କର୍ମଶାଳା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ସଂଯୋଜକ ଡ. ସରିତା ଦାସଙ୍କ ନେତୃତ୍ୱରେ ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଉପରେ ପର୍ଯ୍ୟବସିତ ଦେଶାତ୍ମବୋଧକ କବିତା ଗାନ କରିଥିଲେ । ଶେଷରେ ଭାଷା ବିଭାଗର ଅଧ୍ୟାପକ ଡ. ଅନୂପ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜନଜାତି ସଂଗ୍ରାମୀଙ୍କ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏତଦ୍‌ଭିନ୍ନ ଏହି କର୍ମଶାଳାରେ ଜନଜାତି ସଂଗ୍ରାମୀଙ୍କର ବହୁ ଫଟୋଚିତ୍ର ଦୁଇ ଦିନ ଧରି ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ପଦ୍ମଲୋଚନ ପ୍ରଧାନ, ସୁଶାନ୍ତ ଜେନା, କୁନା ଜେନା, ଧ୍ରୁବ ସେଠୀ, ରୋହିତ ବାରିକ୍‌, ଜୟେନ୍ଦ୍ର ବେହେରା, ଜଗନ୍ନାଥ ଭୂତିଆ, ଗୌତମ କହଁର, କୁଳମଣି ମାଝୀ, ଅଜୟ ବେହେରା ପରିଚାଳନାରେ ସହଯୋଗ କରିଥିଲେ । ଏହି କର୍ମଶାଳାରେ ଓଡି଼ଶାର ବିଭିନ୍ନ ଅଞ୍ଚଳରୁ ପଚାଶରୁ ଊର୍ଦ୍ଧ୍ୱ ପ୍ରତିନିଧିଙ୍କ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ, ଛାତ୍ର, କର୍ମଚାରୀ ଯୋଗ ଦେଇଥିଲେ ।

Comments are closed.