ଜନଜାତି ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱରରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା

-ପଞ୍ଚାୟତ ପ୍ରତିନିଧିଙ୍କୁ ସଶକ୍ତ କରିବା ଏହି ଜାତୀୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, 

-“୧୦୦୦ ଜଳଉତ୍ସ କାର୍ଯ୍ୟକ୍ରମ” ଓ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜନଜାତି ବର୍ଗର ପଞ୍ଚାୟତିରାଜ ସଂସ୍ଥାନଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଏକ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଗୁରୁବାର ଦିନ ଭୁବନେଶ୍ୱର ଠାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସେ ମଧ୍ୟ “୧୦୦୦ ଜଳଉତ୍ସ କାର୍ଯ୍ୟକ୍ରମ” ଏବଂ ଏକ ଅନଲାଇନ୍ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହା ହେଉଛି ପ୍ରାକୃତିକ ଝର ତଥା ଜଳଉତ୍ସ ଗୁଡ଼ିକର ଜଳୀୟ ଓ ରାସାୟନିକ ଗୁଣ ଦର୍ଶାଉଥିବା ଏକ ଜିଆଇଏସ ଆଧାରିତ ମାନଚିତ୍ରର ଅନଲାଇନ ପୋର୍ଟାଲ। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂହ ସରୁତା ଉପସ୍ଥିତ ଥିଲେ।

ଏହି ଅବସରରେ ଓଡ଼ିଶାରେ ଜଙ୍ଗଲ ଅଧିକାର ଆଇନ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ମାନଚିତ୍ର ମଧ୍ୟ ଉନ୍ମୋଚନ କରାଯାଇଥିଲା। ଉଦଘାଟନୀ ଅଧିବେଶନ ପରେ ଏକ ବୈଷୟିକ ଅଧିବେଶନ ଆୟୋଜନ କରାଯାଇଥିଲା ଯେଉଁଥିରେ ଜନଜାତି ବିକାଶ ନମୁନା, ଜନଜାତି ଜମି ହସ୍ତାନ୍ତରଣ, ବନ ଧନ ବିକାଶ କେନ୍ଦ୍ର ଏବଂ ଜନଜାତି ବିକାଶ ନବୋନ୍ମେଷ ସାମିଲ ଥିଲା। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ମୁଣ୍ଡା କହିଥିଲେ ଯେ “୧୦୦୦ ଜଳଉତ୍ସ କାର୍ଯ୍ୟକ୍ରମ”ର ଉଦ୍ଦେଶ୍ୟ ହେଉଛି ଦେଶର ଉପାନ୍ତ ଏବଂ ଅପହଁଚ ଇଲାକାରେ ରହୁଥିବା ଜନଜାତି ସମୁଦାୟର ଲୋକମାନଙ୍କ ନିକଟରେ ସ୍ୱଚ୍ଛ ଜଳ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଇବା। ପ୍ରାକୃତିକ ଜଳ ଉତ୍ସକୁ ଯୋଡ଼ି ଜଳସଂକଟର ସମାଧାନ କରିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଭିତିଭୂମି ସୁବିଧା, ଚାଷ ଜମିକୁ ଜଳସେଚନ ସୁବିଧା, ଗୋଷ୍ଠୀ ସହଭାଗିତା ଜରିଆରେ ସାମୁଦାୟିକ ସ୍ୱଚ୍ଛତା କାର୍ଯ୍ୟକ୍ରମ, ଜନଜାତି ଲୋକମାନଙ୍କୁ ଜୀବନଜୀବିକା ଉପଲବ୍ଧ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ସେ କହିଥିଲେ ଯେ ଜିଆଇଏସ ଆଧାରିତ ମାନଚିତ୍ରର ଅନଲାଇନ ପୋର୍ଟାଲ ଜରିଆରେ ସମସ୍ତ ତଥ୍ୟ ଅନଲାଇନ ପ୍ଲାଟଫର୍ମରେ ମିଳିପାରିବ। ବର୍ତମାନସୁଦ୍ଧା ୧୭୦ଟି ପ୍ରାକୃତିକ ଜଳଉତ୍ସର ତଥ୍ୟ ସ୍ପ୍ରିଙ୍ଗ ଆଟଲାସରେ ଅପଲୋଡ କରାଯାଇସାରିଲାଣି। ଏହି ଯୋଜନା ଅଧୀନରେ ଓଡ଼ିଶାର ତିନୋଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ ଓ ଗଜପତିର ୭୦ଜଣ ଜନଜାତି ଯୁବକଙ୍କୁ ତାଲିମ ଦିଆଯାଇଛି। ଏମାନଙ୍କୁ ସ୍ଥାନୀୟ ଜଳବିଜ୍ଞାନୀ ଭାବେ ପାରମ୍ପରିକ ଓ ବୈଜ୍ଞାନିକ ଜ୍ଞାନ ସହିତ ପ୍ରାକୃତିକ ଜଳଉତ୍ସ ଚିହ୍ନଟ, ମାନଚିତ୍ରଣ ଓ ସେଗୁଡ଼ିକର ପୁନରୁଦ୍ଧାର ଓ ସୁରକ୍ଷା ଲାଗି ପ୍ରଶିକ୍ଷଣ ଦିଆଯାଇଛି। ଅନ୍ୟପକ୍ଷରେ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀ ମୁଣ୍ଡା କହିଥିଲେ ଯେ ସ୍ଥାନୀୟ ପ୍ରଶାସନ ସ୍ତରରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ନିଷ୍ପତି ନେବାର କ୍ଷମତା ବୃଦ୍ଧି କରି ସେମାନଙ୍କୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମରେ ଜନଜାତିଙ୍କ ବିକାଶ ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ସମେତ ସେମାନଙ୍କ ଅଧିକାରର ସୁରକ୍ଷା ଓ ସଂରକ୍ଷଣ ତଥା ସେମାନଙ୍କ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ସରକାରୀ ନୀତି ଏବଂ କାର୍ଯ୍ୟକ୍ରମର ଯୋଜନା, କାର୍ଯ୍ୟାନ୍ୱୟନ ଏବଂ ଅନୁଧ୍ୟାନରେ ଅନୁସୂଚିତ ଜନଜାତି ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଅଧିକ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ। ବିକାଶ ପ୍ରକ୍ରିୟାରେ ସେମାନଙ୍କର ଅଧିକ ସମ୍ପୃକ୍ତି ଦ୍ୱାରା ଜନଜାତି ବିକାଶ ଲକ୍ଷ୍ୟ ଅଧିକ ମାତ୍ରାରେ ହାସଲ ହୋଇପାରିବ।

ପଞ୍ଚାୟତିରାଜ ପ୍ରତିନିଧିମାନେ ସ୍ଥାନୀୟ ପ୍ରଶାସନ ସ୍ତରରେ ବିକାଶମୂଳକ ଯୋଜନାର କାର୍ଯ୍ୟକାରିତାରେ ସିଧାସଳଖ ସମ୍ପୃକ୍ତ ରହିପାରିଲେ ସମୁଦାୟ ଏବଂ କ୍ଷେତ୍ରୀୟ ସ୍ତରର ବିକାଶ ପ୍ରକ୍ରିୟାରେ ରହିଥିବା ଅଭାବ ଅସୁବିଧା ଦୂର କରାଯାଇପାରିବ। ଏହାଦ୍ୱାରା ବିଭିନ୍ନ ବିକାଶ ଏବଂ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତାରେ ଉନ୍ନତ ପରିଣାମ ମିଳିପାରିବ।

ଏହି ଯୋଜନା ଆରମ୍ଭ କରାଯିବା ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ଗତ କିଛି ମାସ ହେବ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଅନୁସୂଚିତ ଜନଜାତି ବର୍ଗର ବିଭିନ୍ନ ପଞ୍ଚାୟତିରାଜ ପ୍ରତିନିଧି, ନାଗରିକ ସମାଜ ଏବଂ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯିବା ପରେ ଏହି ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଥିଲା। ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ସହ ମିଶି ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମର ମଡ୍ୟୁଲ ବିକଶିତ କରାଯାଇଛି। ତାଲିମ ଉଦ୍ଦେଶ୍ୟରେ ଏହାକୁ ବିଭିନ୍ନ ସ୍ଥାନୀୟ ଭାଷାରେ ଅନୁବାଦ କରାଯିବ। ଜନଜାତି ସମୁଦାୟର ଲୋକମାନଙ୍କ ମଧ୍ୟରୁ ତାଲିମପ୍ରଦାନକାରୀମାନଙ୍କୁ ସମ୍ପୃକ୍ତ କରାଯିବ। ପ୍ରଥମେ ମାଷ୍ଟର ଟ୍ରେନରମାନଙ୍କୁ କାର୍ଯ୍ୟକ୍ରମ ବିଷୟରେ ତାଲିମ ଦିଆଯିବା ପରେ ସେମାନେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସାମର୍ଥ୍ୟ ବିକାଶ ତାଲିମ ପ୍ରଦାନ କରିବେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତି ରାଜ ସଂସ୍ଥାନ ଜରିଆରେ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାନ୍ୱୟନ କରିବେ।

 

Comments are closed.