ଘରେ ସବୁଜ ବଳୟ; ୫ ବଖରାରେ ୫୦୦୦ ଗଛ

ଭୁବନେଶ୍ୱର : ଗଛ ଲଗାଇବା କେବଳ ଗାଁ ଗହଳିର ପରମ୍ପରା। ଉର୍ବର ମାଟି, ଉପଯୁକ୍ତ ଜାଗା ଯୋଗୁଁ ଗାଁରେ ପ୍ରାୟ ବାଡ଼ିବଗିଚା କରାଯାଇଥାଏ; ମାତ୍ର ଏହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ରାଜଧାନୀର ରହୁଥିବା ଅଶୋକ କୁମାର ସାରଦା। ନିଜର ୫ ବଖରା ଘରେ ତିଆରି କରିଛନ୍ତି ସବୁଜ ବଳୟ। ଯାହାର ନଁା ଦେଇଛନ୍ତି ପ୍ଲାଣ୍ଟ ବୁଟିକ୍‍ ଷ୍ଟୁଡିଓ। କୋଭିଡ ସମୟରେ ମାର୍ଚ୍ଚରୁ ଏମିତି ଆରମ୍ଭ କରିଥିଲେ ସୁଦ୍ଧା ବିଧିବଦ୍ଧଭାବେ ଚଳିତ ମାସରୁ ଏହି ଷ୍ଟୁଡିଓ ତିଆରି କରିଥିବାବେଳେ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପଟିଆରେ ରହୁଥିବା ଏକ ଆପାର୍ଟମେଣ୍ଟରେ ସେ ଏଭଳି ସବୁଜିମା ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଯେଉଁଥିରେ ଫୁଲଗଛଠାରୁ ଆରମ୍ଭ କରି ଔଷଧୀୟ ଗଛ, କଣ୍ଟା, ଲଟା ଏବଂ ଅନ୍ୟାନ୍ୟ ଡିଜାଇନ ଗଛ ସାମିଲ ରହିଛି। ସବୁଠୁ ବଡ଼ କଥା ହେଉଛି ସେ ନିଜ ଘର ଭିତର ସହିତ ଘର ବାହାରେ ମଧ୍ୟ ଅନେକ ଗଛ ଲଗାଇଛନ୍ତି। ଏହାର ଯତ୍ନ ନେବା ସହିତ ପ୍ରତିଦିନ ପାଣିଦେବା କାର୍ଯ୍ୟ କରୁଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ପରିବାର।
ରାୟଗଡ଼ାର ପେପର ମିଲ୍‌ରେ କାର୍ଯ୍ୟ କରୁଥିବାବେଳେ ବାଉଁଶ ଗଛ ବାହାରୁ ଆସୁଥିଲା। ଏତିକିବେଳେ ଶ୍ରୀ ସାରଦା ସ୍ଥାନୀୟ ଆଦିବାସୀଙ୍କୁ ବିଭିନ୍ନ ଗଛ ଲଗାଇବା ପାଇଁ ପ୍ରବର୍ତ୍ତାଇଥିଲେ। ଶେଷରେ ସ୍ଥାନୀୟ ଲୋକ ବାଉଁଶ ଚାଷକରି ଏବେ ମିଲ୍‌କୁ ଦେଉଛନ୍ତି। ସେବେଠୁ ଗଛ ପ୍ରତି ତାଙ୍କ ମନରେ ମମତା ଆସିଥିଲା। ଆଉ ଅବସର ପରେ ଜଣେ ଗଛପ୍ରେମୀଭାବେ ନିଜକୁ ପ୍ରସ୍ତୁତ କରି ଏବେ ସଫଳ ହୋଇଛନ୍ତି। ଘରର ବାଲ୍‌କୋନୀ ହେଉ ଅବା ଶିଡ଼ି ଯେଉଁଠି ଖାଲି ସ୍ଥାନ ଘରେ ରହୁଛି ସେଠାରେ ସେ ଗଛ ରଖୁଛନ୍ତି। ସ୍ୱଳ୍ପ ସ୍ଥାନରେ ଆକର୍ଷଣୀୟ କୁଣ୍ଡରେ ଗଛ ଲଗାଇଛନ୍ତି। ତେବେ ତାଲାବନ୍ଦରେ ସମୟର ସଦୁପଯୋଗ କରି ଏବେ କଂକ୍ରିଟ୍‌ ଜଙ୍ଗଲରେ ସବୁଜିମା ପ୍ରସ୍ତୁତ କରିଛନ୍ତି। ତାଙ୍କ ନିଜ ଫାର୍ମ ହାଉସରେ ଚାରା ସଂଗ୍ରହ କରି ରଖିଥିବା ବେଳେ କିଛି ଚାରା ପୁନେ, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ, ହାଇଦରାବାଦରୁ ସଂଗ୍ରହ କରିଛନ୍ତି। ଏହାବ୍ୟତୀତ ହାଇବ୍ରିଡ୍‌ ଚାରା ସିଙ୍ଗାପୁର ଓ ଥାଇଲାଣ୍ଡରୁ ଆଣିବା ଯୋଜାନା ରଖିଛନ୍ତି। ବର୍ତ୍ତମାନ ସେ ୫ବଖରା ଘରେ ୫୦୦୦ ହଜାର ଚାରା ଲଗାଇଛନ୍ତି। ଯେଉଁଥିରେ ୨୦୦ ପ୍ରଜାତିର ଗଛ ସାମିଲ ଅଛି। ଏହାଦ୍ୱାରା ଜୀବନ ପ୍ରତି ସମ୍ମାନ ବୋଧ ବଢ଼ିବା, ଏକଲାପଣ ଦୂରେଇ ଯିବା ଏବଂ ଘରେ ଛୋଟପିଲା ଗଛ ଲଗାଇବା ପ୍ରତି ମନ ବଳାଇବେ ବୋଲି ଶ୍ରୀ ସାରଦା କହିଛନ୍ତି।

Comments are closed.