ଟ୍ରାଭାଙ୍କୋର ରାଜପରିବାର ହାତକୁ ଗଲା ପଦ୍ମନାଭସ୍ବାମୀ ମନ୍ଦିର

ନୂଆଦିଲ୍ଲୀ : ଦୀର୍ଘ ୯ବର୍ଷ ପରେ କେରଳର ତିରୁଅନନ୍ତପୁରମ୍‌ସ୍ଥିତ ଅଷ୍ଟାଦଶ ଶତାବ୍ଦିର ପଦ୍ମନାଭ ସ୍ବାମୀ ମନ୍ଦିରର ସ୍ବତ୍ବାଧିକାର ସମ୍ପର୍କିତ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ୟୁ.ୟୁ ଲଳିତ ଓ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଦୁଇଜଣିଆ ପୀଠ ଟ୍ରାଭାଙ୍କୋରର ପୂର୍ବତନ ରାଜପରିବାର ସପକ୍ଷରେ ରାୟ ଦେଇ କହିଛନ୍ତି ଯେ ସେମାନଙ୍କର ମନ୍ଦିର ପରିଚାଳନା ଉପରେ ପୂର୍ଣ୍ଣ ଅଧିକାର ରହିଛି। ରାଜ୍ୟ ସରକାରଙ୍କୁ ମନ୍ଦିରକୁ ନିୟନ୍ତ୍ରଣକୁ ନେବା ପାଇଁ ନିର୍ଦେଶ ଦେଇଥିବାବେଳେ ବର୍ଷାଧିକ କାଳ ଧରି ବନ୍ଦ ରହିଥିବା ମନ୍ଦିରର ୬ ଗୁପ୍ତ ଭଣ୍ଡାର ବା ‘କଲ୍ଲରା’ ଖୋଲିବା ପାଇଁ ରାଜ ପରିବାରକୁ କ୍ଷମତା ଦେଇଛନ୍ତି। ରାଜପରିବାର ଦ୍ବାରା ମନ୍ଦିର ପରିଚାଳନା କମିଟି ଗଠନ ପର୍ଯ୍ୟନ୍ତ ତିରୁଅନନ୍ତପୁରମ୍‌ ଜିଲା ଜଜ୍‌ଙ୍କୁ ମନ୍ଦିର ପରିଚାଳନା ପାଇଁ ଏକ କମିଟି ଗଠନ କରିବାକୁ ଦାୟିତ୍ବ ଦିଆଯାଇଛି। ୨୦୧୧ରେ ସୁପ୍ରିମକୋର୍ଟ ଦ୍ବାରା ଗଠିତ କମିଟି ଏହି ନୂଆ କମିଟି ଗଠନ ପର୍ଯ୍ୟନ୍ତ ଦାୟିତ୍ବରେ ରହିବ। ଏହି ଭଣ୍ଡାର ଖୋଲିଲେ ମନ୍ଦିର ତଥା ରାଜ୍ୟକୁ ବିପତ୍ତି ପଡ଼ିବ ବୋଲି କୁହାଯାଏ; ତେଣୁ ଏହା ଖୋଲିବାକୁ ରାଜପରିବାର ଦ୍ବାରା ଗଠିତ କମିଟି ହିଁ ନିଷ୍ପତ୍ତି ନେବ। ରାୟକୁ ଟ୍ରାଭାଙ୍କୋର ରାଜପରିବାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ବର୍ତ୍ତମାନର ପରିଚାଳନା କମିଟି ନାନା ଦୁର୍ନୀତିରେ ବୁଡ଼ିଥିବାର ଅଭିଯୋଗ ନେଇ ମାମଲା ଗତ ୯ ବର୍ଷ ହେଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲା।

Comments are closed.