କଳିଙ୍ଗାଘାଟିରେ ଦୁଇଟି ଦୁର୍ଘଟଣା ପରେ ବସ୍ ରୁଟ୍ ପରିବର୍ତ୍ତନ ପାଇଁ ପରିବହନ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ଵର : ଫୁଲବାଣୀର କଳିଙ୍ଗାଘାଟିରେ ଲଗାତର ଦୁଇଟି ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ବସ ଡ୍ରାଇଭାମାନେ ଘାଟି ରାସ୍ତାରେ ଗାଡି ଚଳାଇବାରେ ଅଭ୍ୟସ୍ତ ନଥିବା କାରଣରୁ ଏହି ଦୁର୍ଘଟଣା ଘଟୁଥିବା ଜଣାପଡିଥିଲା । ଲଗାତର ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ ହେବାପରେ ଅନ୍ୟରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍ ଗୁଡିକର ମାର୍ଗ ପରିବର୍ତ୍ତନ କରିବାକୁ ନିର୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେ​‌ହେରା ।

ଏଣିକି ପ୍ରବାସୀ ଓଡିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ସମସ୍ତ ବସ୍ ବୌଦ୍ଧରୁ ନୟାଗଡ ଓଡଙ୍ଗା ଦେଇ ଗଞ୍ଜାମରେ ପହଞ୍ଚିବ । ଏହି ରାସ୍ତାରେ ଘାଟି ନଥିବା କାରଣୁ ଅନ୍ୟରାଜ୍ୟର ବସ୍ ଡ୍ରାଇଭରମାନେ ସୁବିଧାରେ ଗାଡି ଚଳାଇ ଆସିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଗତକାଲି ରାତିରେ କଳିଙ୍ଗାଘାଟିରେ ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ଏକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଦୁଇ ଜଣ ପ୍ରବାସୀ ଓଡିଆଙ୍କର ମୃତ୍ୟୁ ହୋଇଥିଲା।  ସେହିପରି ଆଜି ମଧ୍ୟ କଳିଙ୍ଗାଘାଟିରେ ପ୍ରବାସୀ ଓଡିଆଙ୍କୁ ନେଇ ଗଞ୍ଜାମ ସୋରଡା ଅଞ୍ଚଳକୁ ଆସୁଥିବା ଅନ୍ୟ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Comments are closed.